Categories: ଖେଳ

ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର

ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩ ରନ୍‌ରେ ଅଲ୍‌ଆଉଟ କରିବା ପରେ ନ୍ୟୁଜିଲାଣ୍ଡ ୧୧୯.୧ ଓଭରରେ ୩୮୮ ରନ୍‌କରି ଅଲ୍‌ଆଉଟ ହେବା ସହ ପ୍ରଥମ ଇନିଂସରେ ୮୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୧ ଓଭରରେ ୯ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଛି। ଗୋଟିଏ ଉଇକେଟ ହାତରେ ଥାଇ ଇଂଲଣ୍ଡ ମାତ୍ର ୩୭ ରନର ଅଗ୍ରଣୀ ହାସଲ କରି ପରାଜୟ ଦ୍ୱାରରେ ଛିଡା ହୋଇଛି। ମାର୍କ ଉଡ୍‌ ସର୍ବାଧିକ ୨୯ ରନ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନେରୀ ଓ ନିଲ ଓ୍ବାଗନର ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୯/୩ରୁ ନ୍ୟୁଜିଲାଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ୪୬ ରନରୁ ଖେଳ ଆରମ୍ଭ କରି ୮୦ ରନକରି ଆଉଟ ହୋଇଥିଲେ। ଏହାପରେ ଟମ୍‌ ବ୍ଲଣ୍ଡେଲ ୩୪, ଏଜାଜ୍‌ ପଟେଲ ୨୦ ରନକରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଭଲ ପ୍ରଦର୍ଶନ କରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ୍‌ ୪, ମାର୍କ ଉଡ୍‌ ଓ ଓଲି ଷ୍ଟୋନ ୨ଟି ଲେଖାଏ, ଜେମ୍ସ ଆଣ୍ଡରସନ ଓ ଡାନ ଲରେନ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ: ୧୦୧ ଓଭରରେ ୩୦୩ ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୧୯.୧ ଓଭରରେ ୩୮୮।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୪୧ ଓଭରରେ ୧୨୨/୯

Share