Categories: ଖେଳ

ଚେସ୍‌ ଅଲିିମ୍ପିଆଡ୍‌: ମଙ୍ଗୋଲିଆ ସହ ଡ୍ର ରଖିଲା ଭାରତ

ଚେନ୍ନାଇ, ୨୩ା୮ (ପି.ଟି.)-ଫିଡେ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ରେ ଚାଇନା ପୁଲ୍‌ ଏ’ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ମଙ୍ଗୋଲିଆ ବିପକ୍ଷ ମ୍ୟାଚକୁ ଭାରତ ୩-୩ରେ ଡ୍ର ରଖିଛି। ଚତୁର୍ଥ ଓ ପଞ୍ଚମ ରାଉଣ୍ଡରେ ଯଥାକ୍ରମେ ଇଣ୍ଡୋନେସିଆ (୪.୫-୧.୫) ଏବଂ ଭିଏତ୍‌ନାମ(୪-୨) ବିପକ୍ଷରେ ବିଜୟ ହାସଲ କରିଥିବା ଭାରତ କିନ୍ତୁ ମଙ୍ଗୋଲିଆ ବିପକ୍ଷରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଅଧିନାୟକ ଭିଦିତ ସନ୍ତୋଷ ଗୁଜରାଠି ଏବଂ ବିଶ୍ୱ ରାପଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପିଙ୍କ ପରାଜୟ ଦ୍ୱାରା ଭାରତ କ୍ରମାଗତ ୬ଷ୍ଠ ବିଜୟ ଲକ୍ଷ୍ୟ ହାସଲ କରିପାରି ନ ଥିଲା। ଆର୍‌. ବୈଶାଳୀ ମଧ୍ୟ ତୁବସିନ୍‌ଟଗ୍ସ ବାଚିମେଗ୍‌ଙ୍କଠାରୁ ହାରିଯାଇଥିଲେ ଫଳରେ ଭାରତ ସହ ମଙ୍ଗୋଲିଆ ଡ୍ର ରଖିପାରିଥିଲା। ଚତୁର୍ଥ ରାଉଣ୍ଡରେ ଚାଇନା ମଧ୍ୟ ମଙ୍ଗୋଲିଆଠାରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। କିନ୍ତୁ ୩.୫-୨.୫ ବ୍ୟବଧାନରେ ଏହି ଦଳ ବିଜୟ ଲାଭ କରିଥିଲା। ଚାଇନା ଏହାର ପରବର୍ତ୍ତୀ ଦୁଇ ରାଉଣ୍ଡରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ସହ ଜର୍ଜିଆ ଓ ଜର୍ମାନୀ ବିପକ୍ଷରେ ବିଜୟ ହାସଲ କରିଥିଲା। ଏଥି ସହିତ ଦଳ ୧୨ ପଏଣ୍ଟ ଅର୍ଜନ କରି ଭାରତକୁ ହଟାଇ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିନେଇଥିଲା। ଭାରତ ୧୧ ପଏଣ୍ଟ ସହ ଦ୍ୱିତୀୟ ଏବଂ ଜର୍ମାନୀ ୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

Share