ଉଚ୍ଚସ୍ଥାନରୁ ଚିତ୍କାର

ଚଳିତ ମାସ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିବା ପରେ ଦେଶବ୍ୟାପୀ ଏହାର ସପକ୍ଷ ଓ ବିପକ୍ଷରେ ବହୁ ମତ ପ୍ରକାଶ ପାଉଛି। ସରକାର କହୁଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ନାରୀଙ୍କୁ ଅଧିକ ସଶକ୍ତ କରାଯାଇପାରିବ ଏବଂ ଝିଅମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ। କମ୍‌ ବୟସର ଝିଅମାନେ ଶାରୀରିକ ଦୃଷ୍ଟିରୁ ବିବାହ ପାଇଁ ଉପଯୁକ୍ତ ହୋଇ ନ ଥାଆନ୍ତି। ଅଳ୍ପ ବୟସରେ ବିବାହ ହୋଇଗଲେ ସେମାନେ ଶୀଘ୍ର ଗର୍ଭଧାରଣ କରିଥାଆନ୍ତି। ଫଳରେ ମାଆ ଓ ଶିଶୁଙ୍କ ପୋଷଣ ସ୍ତର ପ୍ରଭାବିତ ହୋଇଥାଏ। ତେଣୁ ସେମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବା ହେଉଛି ଝିଅମାନଙ୍କ ବିବାହ ବୟସ ବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ। ପୁଅଙ୍କ ଭଳି ସେମାନଙ୍କ ବୟସ ୨୧ ହୋଇଗଲେ ଲିଙ୍ଗଗତ ସମାନତା ଆସିପାରିବ ବୋଲି ମଧ୍ୟ ସରକାର ଯୁକ୍ତି ବାଢ଼ୁଛନ୍ତି। ଏଠାରେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବାର ଅନେକ କାରଣ ରହିଛି। ତନ୍ମଧ୍ୟରୁ ଅନ୍ୟତମ ହେଲା ୧୮ ବର୍ଷୀୟା ଝିଅଙ୍କୁ ବିବାହ କରାଇଦେଲେ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ସେଥିପାଇଁ ବହୁଜଣ ସର୍ବନିମ୍ନ ସ୍ନାତକ ପୂର୍ବରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥାଆନ୍ତି। ୨୧ ବର୍ଷରେ ବିବାହ କରୁଥିବା ଯୁବତୀ କେତେକାଂଶରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇପାରନ୍ତି। ସେ ଦିଗରୁ ଦେଖିଲେ ଏହି ନିଷ୍ପତ୍ତି ନିଶ୍ଚିତଭାବେ ସ୍ବାଗତଯୋଗ୍ୟ।
ସ୍ବାଗତ କରିବା ବେଳେ ବାସ୍ତବତାକୁ ମଧ୍ୟ ଦେଖାଯିବା ଦରକାର। କେବଳ ରାଜସ୍ଥାନ ନୁହେଁ, ଭାରତବ୍ୟାପୀ ବାଲ୍ୟବିବାହ ଏବେ ମଧ୍ୟ ପ୍ରବଳ ଭାବେ ଦେଖାଯାଉଛି। ଏହି ସାମାଜିକ ବ୍ୟାଧିରୁ ଓଡ଼ିଶା ବାଦ୍‌ ପଡୁନାହିଁ। ଏହାର କେତୋଟି ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ ହେଲା ପରିବାରର ଆର୍ଥିକ ସ୍ଥିତି ଓ ଶାରୀରିକ ପରିପକ୍ୱତା ଲାଭ କରିବା ପରେ ଝିଅକୁ ସୁରକ୍ଷିତ ରଖିବାର ଭୟ। ଏଭଳି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ହେବ ନାହିଁ। କାରଣ ଭାରତୀୟ ସମାଜରେ ନାରୀ ସୁରକ୍ଷା ଏକ ବିରାଟକାୟ ସମସ୍ୟା ଭଳି ରହିଆସିଛି ଏବଂ ତାହା ଏକ ଜଘନ୍ୟ ରୂପ ଧାରଣ କଲାଣି। ସାଧାରଣରେ ଆଶା କରାଯିବା କଥା ଯେ ସମାଜ ଯେତିକି ଆଧୁନିକ ହେବ ସେତିକି ପରିମାଣରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଏହା ପରିବର୍ତ୍ତେ ଭାରତରେ ଯାହା ହେଉଛି ସେ ବିଷୟରେ ଏଠାରେ ଆଲୋଚନା କରିବାର ବିଶେଷ ପ୍ରୟୋଜନ ନାହିଁ। ଏକ କ୍ଷୁଦ୍ର ଉଦାହରଣ ଭାବେ ଉତ୍ତର ଭାରତର କେତେକ ରାଜ୍ୟକୁ ଦେଖାଯାଇପାରେ। ମହିଳାଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଉଥିବା ହେତୁ ଗୋଟିଏ ପରିବାରରେ ଗୋଟିଏ ବୋହୂ ରହିପାରୁଛି। ଅର୍ଥାତ୍‌ ସେଠାରେ ଗୋଟିଏ ପାଣ୍ଡବ ପରିବାରର ସ୍ଥିତି ସୃଷ୍ଟି ହେଉଛି। ଏଭଳି ମନ୍ତବ୍ୟ କେତେକଙ୍କୁ ବ୍ୟସ୍ତ କରିପାରେ। କିନ୍ତୁ ଏହାର ସତ୍ୟାସତ୍ୟ ପ୍ରତି ଆଖିବୁଜିଦେବା ହେଉଛି ବାସ୍ତବ ସମସ୍ୟାକୁ ଅଣଦେଖା କରିବା। ଆଶ୍ଚର୍ଯ୍ୟର ବିଷୟ, ଯେତେବେଳେ ସମାଜରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଥିବା ହେତୁ ଯୁବକମାନେ ଅବିବାହିତ ରହିବାକୁ ବାଧ୍ୟ ହେଉଛନ୍ତି, ସେହି ସମାଜରେ ଶିଶୁକନ୍ୟାଙ୍କୁ ହତ୍ୟା କରିବା ପଛରେ କେଉଁ ପ୍ରକାରର ମାନସିକତା ରହିଛି ତାହା ବୁଝିବା କଷ୍ଟକର। ଏହା ବ୍ୟତୀତ ଝିଅଙ୍କ ବିବାହ ପାଇଁ ୨୧ ବର୍ଷ ସର୍ବନିମ୍ନ ସୀମାକୁ ସାମାଜିକ ଅନୁମୋଦନ ମିଳିବା କଷ୍ଟକର ହେଉଥିବା ବେଳେ ସରକାର କିଭଳି ଏହି ଆଇନକୁ କାର୍ଯ୍ୟକାରୀ କରିବେ ତାହା ଏକ ବିରାଟ ପ୍ରଶ୍ନ। ଉଦାହରଣ ସ୍ବରୂପ, ଗଣମାଧ୍ୟମରେ ଅନେକ ଥର ଖବର ପ୍ରକାଶ ପାଇଛି; ଯେଉଁଥିରେ ଉଲ୍ଲେଖ ରହିଛି ଯେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଭୋଜିରେ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷ ଭାଗ ନେଉଛନ୍ତି। କେବଳ ଖାକି ପୋଷାକ ପିନ୍ଧିଦେଲେ ମାନସିକତା ବଦଳେ ନାହିଁ। ପୋଲିସ ମାଧ୍ୟମରେ ପିସିଏମ୍‌ଏ ବା ବାଲ୍ୟବିବାହ ପ୍ରତିରୋଧ ଆଇନ ଲାଗୁ ହେବା କଥା। ଭାରତର ପୁରୁଷ ପ୍ରଧାନ ସମାଜରେ ଝିଅପିଲାକୁ ନିଜସ୍ବ ଇଚ୍ଛାରେ ବିବାହ କରିବାର ସୁଯୋଗ ଦିଆଯାଏ ନାହିଁ। ଯଦି କୌଣସି ଯୁବତୀ ନିଜ ପସନ୍ଦରେ ଜୀବନସାଥୀ ବାଛିବାକୁ ନିଷ୍ପତ୍ତି ନେଉଛି, ତାହାକୁ ବାଧାଦେବା ପାଇଁ ପରିବାର ତରଫରୁ ଏହି ଆଇନର ଆଶ୍ରୟ ନେଇ ପୋଲିସକୁ ବ୍ୟବହାର କରାଯାଉଛି। ଅନ୍ୟପଟେ ସେହିଭଳି ଯୁବତୀଙ୍କୁ ପରିବାର ଇଚ୍ଛା କରୁଥିବା ବ୍ୟକ୍ତି ସଙ୍ଗେ ବିବାହ କରିବାକୁ ବାଧ୍ୟ କରାଯାଉଥିବା ବେଳେ ସରକାରୀ କଳ ନୀରବଦ୍ରଷ୍ଟା ହୋଇରହୁଛି। କେନ୍ଦ୍ରର ଏହି ଆଇନ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଅନ୍ତର୍ଜାତୀୟ ସଙ୍ଗଠନ ‘ଅକ୍ସଫାମ୍‌’ ଏଭଳି ଭିନ୍ନ ମତ ଦେଇଛି।
ଏଠାରେ ମନେପକାଇ ଦିଆଯାଇପାରେ, ଅଗଷ୍ଟ ୨୦୨୧ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେଉଁ ଦମ୍ପତିଙ୍କର ୨ରୁ ଅଧିକ ସନ୍ତାନ ହେବେ ସେମାନେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇଯିବେ। ଏହାର କିଛିଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମାନ ପ୍ରକାର ଜନସଂଖ୍ୟା ନିୟନ୍ତ୍ରଣ ନିୟମ ପାଳନ କରିବାକୁ ଯାଇ ଦୁଇ ସନ୍ତାନ ନୀତି ଆପଣେଇବେ ବୋଲି ଘୋଷଣା କରିଥିଲେ। ଏହିଭଳି ଘୋଷଣା ବିରୋଧରେ ବିରୋଧ ସୃଷ୍ଟି ହେବାରୁ ଉଭୟେ ରାଜ୍ୟ ସରକାର ନୀରବ ରହିଗଲେ। ହୁଏତ କେନ୍ଦ୍ରର କନ୍ୟାଙ୍କ ବିବାହ ବୟସ ବୃଦ୍ଧି ନିଷ୍ପତ୍ତି ଯୋଗୀ ଆଦିତ୍ୟନାଥ ଓ ହିମନ୍ତଙ୍କ ଦ୍ୱାରା ଦର୍ଶାଯାଇଥିବା ପଥର ଅନ୍ୟ ଏକ ରୂପାନ୍ତର।
ଭାରତର ସମସ୍ୟା ଖୋଦ୍‌ ସରକାର ଗଢ଼ିତୋଳୁଛନ୍ତି। ଯେତେ ମଙ୍ଗଳକାରୀ ଆଇନ ତିଆରି କଲେ ମଧ୍ୟ ତାହାର ସାମାଜିକ ପ୍ରଥା ସହିତ ତାଳମେଳ ରହୁନାହିଁ। ଏହାର ମୁଖ୍ୟ କାରଣ ହେଲା, ତଥାକଥିତ ଉଚ୍ଚକୋଟୀର ନିଷ୍ପତ୍ତି ନେବା ପୂର୍ବରୁ ଆଜିର ସରକାର କୌଣସି ହିତଧାରକ ବା ସମ୍ପୃକ୍ତ ବର୍ଗ ଓ ଗୋଷ୍ଠୀ ସହିତ ଆଲୋଚନା କରିବାକୁ ଉଚିତ ମଣୁନାହାନ୍ତି। କନ୍ୟାଙ୍କ ପାଇଁ ବିବାହ ବୟସ ନିର୍ଦ୍ଧାରଣ କରିବା ପୂର୍ବରୁ ମନେରଖିବା କଥା ଯେ ବାଲ୍ୟବିବାହ କେବଳ ହିନ୍ଦୁଧର୍ମରେ ସୀମିତ ନୁହେଁ। ଏଥିସହିତ ପରିବାରର ଆର୍ଥିକ ସ୍ଥିତି ଓ ଜାତିର ପ୍ରଭାବ ମଧ୍ୟ ଗୁରୁତ୍ୱ ଧାରଣ କରୁଛି। ସବୁବେଳେ ଉଚ୍ଚସ୍ଥାନରୁ ଚିତ୍କାର କରି ସମାଜମଙ୍ଗଳ କରାଯାଇପାରେ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri