କଟକ ଅଫିସ,୨୯।୭: ଦେଶରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢାଇଦେଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ସ୍ଥଳେ ଓଡ଼ିଶାରେ ମଧ୍ୟ ‘ମଙ୍କିପକ୍ସ’କୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଏସ୍ସିବି ମେଡିକାଲକୁ ‘ମଙ୍କିପକ୍ସ’ର ନୋଡାଲ ସେଣ୍ଟର କରାଯାଇଛି। ଏହାସହ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ ଓ ସ୍କିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଆଉଟ୍ଡୋର ଓ ଇନ୍ଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡରେ ଦୁଇଟି ଏବଂ ଆଇସିୟୁ ବେଡ଼ ୪ଟି ପ୍ରସ୍ତୁତ କରି ରଖାଯାଇଛି। ତେବେ କୌଣସି ବ୍ୟକ୍ତିଙ୍କଠାରେ ‘ମଙ୍କିପକ୍ସ’ର କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଟିମ୍କୁ ଅବଗତ କରିବାକୁ କୁହାଯାଇଛି।


