ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜଗୁଡ଼ିକରେ ନାମଲେଖା (ଆଡ୍‌ମିଶନ) ବେଳେ ଏବଂ ଆଡ୍‌ମିଶନର ପ୍ରଥମ ୬ ମାସ ପର୍ଯ୍ୟନ୍ତ ଏହି ବର୍ଗର ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ ଫି’ କିମ୍ବା ଅନ୍ୟ କୌଣସି ଦେୟ ଜମା କରିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନେକ ସମୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ନାମଲେଖା ସମୟରେ ମୋଟା ଅଙ୍କର ଫି’ ଜମା କରିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଆର୍ଥିକ ସମ୍ବଳ ନ ଥାଏ, ଯାହା ସେମାନଙ୍କ ଉଚ୍ଚଶିକ୍ଷା ପଥରେ ବାଧା ସୃଷ୍ଟି କରିଥାଏ। ସାଧାରଣତଃ ଏହି ଛାତ୍ରୀଛାତ୍ରମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପୋଷ୍ଟ-ମାଟ୍ରିକ କିମ୍ବା ଅନ୍ୟାନ୍ୟ ବୃତ୍ତି (ସ୍କଲାରଶିପ୍‌) ପାଇଥାନ୍ତି। କିନ୍ତୁ ବୃତ୍ତି ପ୍ରଦାନ ପ୍ରକ୍ରିୟା ଶେଷ ହୋଇ ଟଙ୍କା ପହଞ୍ଚିବା ପାଇଁ ପ୍ରାୟ ୩ରୁ ୪ ମାସ ସମୟ ଲାଗିଯାଇଥାଏ। ଫଳରେ ନାମଲେଖା ବେଳେ ସେମାନେ ଆର୍ଥିକ ସଙ୍କଟର ସାମ୍ନା କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଏହି ଛାତ୍ରୀଛାତ୍ରମାନେ ନିଜର ସ୍କଲାରଶିପ୍‌ ଟଙ୍କା ପାଇବା ପରେ ସୁବିଧା ଅନୁଯାୟୀ ଆଡ୍‌ମିଶନ ଓ ଟ୍ୟୁଶନ ଫି’ ଜମା କରିପାରିବେ। ଏହି ନିଷ୍ପତ୍ତି ଦ୍ୱାରା ବହୁ ଗରିବ ଓ ମେଧାବୀ ଛାତ୍ରୀଛାତ୍ର ଉପକୃତ ହେବେ। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ଏକ ବିଶେଷ ମାର୍ଗଦର୍ଶିକା ଜାରି କରାଯିବ।

 

Dharitri – Odisha’s No.1 Odia Daily

Share