ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା ଅଭିନବ ଢଙ୍ଗରେ ପ୍ରାୟ ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ଚୋରାଇ ନେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଏକ କାର୍ରେ ଆସିଥିବା ୭ ଜଣ ମହିଳା ଓ ଜଣେ ଡ୍ରାଇଭର ଶୋ’ରୁମ୍କୁ ପ୍ରବେଶ କରିଥିଲେ। ଧନୀ ଗ୍ରାହକଙ୍କ ଭଳି ପୋଷାକ ଓ ଗହଣା ପିନ୍ଧିଥିବାରୁ ସେମାନେ ଦାମୀ ଶାଢ଼ି କିଣିବେ ବୋଲି କର୍ମଚାରୀମାନେ ଭାବିଥିଲେ। ସେତେବେଳେ ଷ୍ଟୋର୍ର କେତେଜଣ କର୍ମଚାରୀ ଖାଇବା ପାଇଁ ବାହାରିଯାଇଥିବାରୁ କେବଳ ୨ ଜଣ ଥିଲେ। ଏହାକୁ ସୁଯୋଗ ବୋଲି ଭାବି ସମ୍ପୃକ୍ତା ମହିଳାମାନେ କର୍ମଚାରୀଙ୍କୁ ବିଭିନ୍ନ ଶାଢ଼ି ଦେଖାଇବାରେ ବ୍ୟସ୍ତ ରଖି ଚତୁରତାର ସହ ପ୍ରାୟ ୭ଲକ୍ଷ ଟଙ୍କାର ଶାଢ଼ି ୨ ଗୋଡ଼ ମଧ୍ୟରେ ଲୁଚାଇ ରଖି ବାହାରକୁ ପଳାଇଥିଲେ।
ଶାଢ଼ି ଦେଖାଉଥିବା କର୍ମଚାରୀଙ୍କ ସନ୍ଦେହ ହେବାରୁ ସେ ଶାଢ଼ିଗୁଡ଼ିକ ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍ ଖୋଜାଖୋଜି କରିଥିଲେ। ଏହାପରେ ସମ୍ପୃକ୍ତା ୭ ଜଣ ମହିଳା ଶାଢ଼ି ଚୋରି କରିଥିବା ଜଣାପଡ଼ିଥିଲା। ଏ ନେଇ ଷ୍ଟୋର ମ୍ୟାନେଜର ସତ୍ୟବ୍ରତ ବେହେରା ଟାଉନ ଥାନାରେ ଅଭିଯୋଗ କରିବା ପରେ ରବିବାର ପୋଲିସ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି।

