୧୭ ହଜାର ଲାଞ୍ଚ ନେଇ ଏସଏଆର୍‌ସିଏସ୍‌ ଗିରଫ

ସୋନପୁର,୧୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଏସ୍‌ଏଆର୍‌ସିଏସ୍‌ (ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ) ସୋନପୁର ମଣ୍ଡଳ ଆଶିଷ କୁମାର ରାଉତ ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ରାଉତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛିଥ।

ଏସ୍‌ଏଆର୍‌ସିଏସ୍‌ ରାଉତ ସୋନପୁର ବ୍ଲକର ପ୍ୟାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ଗୁଡିକରେ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଥିଲେ । ସେ ଲଛିପୁର ପ୍ୟାକ୍ସରେ ଖରିଫ ଧାନ କିଣା ସକାଶେ ଅସ୍ଥାୟୀ ଚାଷୀ ଆଶ୍ରୟ ସ୍ଥଳ, ଚାଷୀଙ୍କ ପାଇଁ ପରିଶ୍ରାଗାର ନିର୍ମାଣ, ପାନୀୟ ଜଳ, ମାକ୍ସ ଓ ସାନିଟାଇଜର କ୍ରୟ ବାବଦ ବିଲ୍‌ କରିବା ପାଇଁ ସମ୍ପାଦକ ମଞ୍ଜୟ ଧରୁଆଙ୍କୁ ୧୭ହଜାର ଟଙ୍କା ଲାଞ୍ଚ ମାଗଥିଲେ । ମଞ୍ଜୟ ଏ ସମ୍ପର୍କରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ନିକଟରେ ସୋମବାର ଅଭିଯୋଗ କରିଥିଲେ । ମଙ୍ଗଳବାର ଅପରାହ୍ନରେ ରାଉତ ଉପନିବନ୍ଧକ, ସମବାୟ ସମିତି ସମୂହ, ସୋନପୁର ମଣ୍ଡଳ, ସୋନପୁରଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେଇ କମ୍ପ୍ୟୁଟର ଟେବୁଲ ଡ୍ରୟାରରେ ରଖିଥିଲେ । ତେବେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ କର୍ମଚାରୀମାନେ ରାସାୟନିକ ପ୍ରଲେପ ଥିବା ୩୪ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ ଜବତ କରିଛନ୍ତି । ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା(ନଂ ୩୫/୨୦) ରୁଜୁ ହୋଇଛି ।
ସୋନପୁର ଏଆରସିଏସ୍‌ଙ୍କ ଅଫିସ ଓ ରାଉତଙ୍କ ସୋନପୁର ସହର ଘୋଡାଘାଟପଡାସ୍ଥିତ ଭଡା ଘରେ ତନଖି ଜାରି ରହିଛି । ଏସଏଆରସିଏସଙ୍କ ନାମରେ ପୂର୍ବରୁ ଅନିୟମିତତା ଅଭିଯୋଗ ରହିଥିଲା । ସେ ନୟାଗଡରେ କାର୍ଯ୍ୟରତ ଥିବା ସମୟରେ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ ହୋଇଥିଲେ । ସୁବର୍ଣ୍ଣପୁରର ଭାରପ୍ରାପ୍ତ ଡିଏସ୍‌ପି କାଦମ୍ବିନୀ ସାମଲ, ବରଗଡ ଡିଏସ୍‌ପି ପରମେଶ୍ୱର କିଷାନ, ଇନ୍ସ୍‌ପେକ୍ଟର ତୁଷାର ମହାପାତ୍ର ଓ ସଦାନନ୍ଦ ପାଣି ଏହି ଚଢାଉରେ ସାମିଲ ଥିଲେ ।