ନୂଆଦିଲ୍ଲୀ,୨୪।୧୧: ଏସପି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦଳ ମଧ୍ୟରେ ଆସନକୁ ନେଇ ଆଲୋଚନା ଜାରି ରହିଛି ଏବଂ ଏହାର ଏକମାତ୍ର ଲକ୍ଷ୍ୟ ହେଉଛି ବିଜୟ ସୁନିଶ୍ଚିତ କରିବା। ସେ କହିଛନ୍ତି ଯେ ମେଣ୍ଟର ଅର୍ଥ ହିଁ ଏହା ଯେ ସହଯୋଗୀ ଦଳଗୁଡ଼ିକ ପାରସ୍ପରିକ ତାଳମେଳ ଏବଂ ବୁଝାମଣାରେ ଏଭଳି ରଣନୀତି ପ୍ରସ୍ତୁତ କରିବେ ଯାହାଦ୍ୱାରା ବିରୋଧୀ ଦଳକୁ ପରାସ୍ତ କରାଯାଇ ପାରିବ। ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କୁ ଆଲୋଚନାର ଦାୟିତ୍ୱ ଦିଆଯାଇଛି ଏବଂ ସେମାନେ କଂଗ୍ରେସ ନେତାମାନଙ୍କ ସହିତ ନିରନ୍ତର ସମ୍ପର୍କରେ ଅଛନ୍ତି। ସେ କହିଛନ୍ତି ଯେ ଏବେ ଏହା କହିବା ଶୀଘ୍ର ହେବ ଯେ କେଉଁ ଆସନରେ କ’ଣ ସହମତି ହେଉଛି ଏବଂ କେଉଁ ଦଳ କେତେଟି ଆସନରେ ର୍ନିବାଚନ ଲଢ଼ିପାରେ।
ଅଖିଳେଶ ଯାଦବ କହିଛନ୍ତି, “ଆମ ଦଳର ଯେଉଁ ସିନିୟର ନେତା ଅଛନ୍ତି ଏବଂ ଯେଉଁମାନଙ୍କୁ ଆଲୋଚନାର ଦାୟିତ୍ୱ ଦିଆଯାଇଛି, ସେମାନେ ଆଲୋଚନା କରୁଛନ୍ତି। ଏବେ କଥାବାର୍ତ୍ତା ଚାଲିଛି। କେଉଁ ଆସନରେ ସହମତି ହେଉଛି ଏବଂ କେଉଁ ଦଳ କେତେଟି ଆସନ ଜିତିପାରିବ, ସେନେଇ ବିଚାର ଚାଲିଛି। ଏବେ କିଛି କହିବା ମୁସ୍କିଲ।”
ସେ ଆଗକୁ କହିଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମେଣ୍ଟର ଉଦ୍ଦେଶ୍ୟ କେବଳ ଆସନ ବଣ୍ଟନ ନୁହେଁ, ବରଂ ବିଜୟର ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିବା। ତାଙ୍କ ମତରେ, “ଆଲାଏନ୍ସ ଏଥିପାଇଁ ହୁଏ ଯେପରି ଆମେ ଜିତିବୁ। ଆମେ ସମସ୍ତେ ମିଶି ଏଭଳି ଆଡଜଷ୍ଟମେଣ୍ଟ କରିବା, ପରସ୍ପରକୁ ଏଭଳି ସାହାଯ୍ୟ କରିବା ଯେପରି ସାମ୍ନାବାଲାକୁ ହରାଇ ପାରିବା। ବିଜେପି ଭଳି ମେସିନକୁ ହରାଇ ପାରିବା। ଏହା ହିଁ ରାଜନୈତିକ ଦଳଗୁଡ଼ିକର ସବୁଠାରୁ ବଡ଼ ଦାୟିତ୍ୱ।”
କଂଗ୍ରେସ ସହିତ ଆସନ ନେଇ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ସପା ଚାରି ଜଣିଆ କମିଟି ଗଠନ କରିଛି। ଏହି କମିଟିରେ ଦଳର ବରିଷ୍ଠ ଏବଂ ଗୁରୁତ୍ୱପୂର୍ଣ୍ଣ ନେତାମାନଙ୍କୁ ସାମିଲ କରାଯାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ଗଠିତ କମିଟିରେ ରାଷ୍ଟ୍ରୀୟ ପ୍ରମୁଖ ମହାସଚିବ ରାମଗୋପାଳ ଯାଦବ, ପ୍ରଦେଶ ଅଧ୍ୟକ୍ଷ ଶ୍ୟାମଲାଲ ପାଲ, ସାଂସଦ ରାଜୀବ ରାୟ ଏବଂ ସାଂସଦ ଇକରା ହସନ ଚୌଧରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ନେତାମାନଙ୍କ ଉପରେ କଂଗ୍ରେସ ସହିତ ଆଲୋଚନା କରି ଆସନ ତାଳମେଳରେ ସହମତି ସୃଷ୍ଟି କରିବାର ଦାୟିତ୍ୱ ରହିଛି। ଅନ୍ୟପଟେ କଂଗ୍ରେସର ପାଞ୍ଚ ଜଣିଆ କମିଟିରେ ଶୀର୍ଷ ନେତୃତ୍ୱ ସହିତ ଉତ୍ତରପ୍ରଦେଶର ପ୍ରମୁଖ ନେତାମାନଙ୍କୁ ସାମିଲ କରାଯାଇଛି। କଂଗ୍ରେସ କମିଟିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଙ୍ଗଠନ ମହାସଚିବ କେସି ଭେନୁଗୋପାଳ, ଉତ୍ତରପ୍ରଦେଶ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ୟୁପି କଂଗ୍ରେସ ଅଧ୍ୟକ୍ଷ ଆରାଧନା ମିଶ୍ରା ’ମୋନା’ ଏବଂ କାର୍ଯ୍ୟକାରୀ ପ୍ରଦେଶ ଅଧ୍ୟକ୍ଷ ଇମରାନ ମସୁଦ ସାମିଲ ଅଛନ୍ତି।

