ଦୁଃଖକୁ ସୁଖ ପ୍ରାୟ ମଣି

ଡ. ପବିତ୍ର ସୁବୁଦ୍ଧି

 

ବିଭୀଷିକାମୟ ମହାଭାରତ ଯୁଦ୍ଧର ଯବନିକା ପଡ଼ିଛି। ଧର୍ମରାଜ ଯୁଧିଷ୍ଠିର ହସ୍ତିନାପୁର ସିଂହାସନରେ ଅଭିଷିକ୍ତ ହୋଇଛନ୍ତି। ଏଥର ମହାଭାରତର ମହାନାୟକ ଶ୍ରୀକୃଷ୍ଣଙ୍କର ଦ୍ୱାରକା ପ୍ରତ୍ୟାବର୍ତ୍ତନର ବେଳ। ରଥ ପ୍ରସ୍ତୁତ। ପ୍ରଭୁ ଶ୍ରୀକୃଷ୍ଣ ପ୍ରିୟ ସଖା ପଞ୍ଚପାଣ୍ଡବ ଓ ପ୍ରିୟ ସଖୀ ଦ୍ରୌପଦୀଙ୍କଠାରୁ ବିଦାୟନେଇ ମହାରାଣୀ କୁନ୍ତୀଙ୍କ ନିକଟରେ ପହଞ୍ଚିଛନ୍ତି ମେଲାଣି ପାଇଁ। କିନ୍ତୁ ଏ କି ଦୃଶ୍ୟ ଦେଖୁଛନ୍ତି ଲୀଳାମୟ ଶ୍ରୀକୃଷ୍ଣ। ମହାରାଣୀ କୁନ୍ତୀ ଯେ କଇଁ କଇଁ ହୋଇ କାନ୍ଦୁଛନ୍ତି। ଶ୍ରୀକୃଷ୍ଣ ପଚାରିଲେ – ”ପିଉସୀ ମା’! ଏଭଳି ଏକ ଅତୀବ ଆନନ୍ଦ ମୁହୂର୍ତ୍ତରେ ଆପଣ କାନ୍ଦୁଛନ୍ତି କାହିଁକି? ଏବେ ତ କୁରୁବଂଶ ଧ୍ୱଂସ ହୋଇଛି। ଆପଣଙ୍କ ପୁତ୍ରମାନେ ନିଷ୍କଣ୍ଟକ ରାଜ୍ୟ ଭୋଗ କରୁଛନ୍ତି।“ ଉତ୍ତରରେ କୁନ୍ତୀ ଅତ୍ୟନ୍ତ ଦୁଃଖାଭୀଭୂତ ହୋଇ କହିଲେ, ”ହେ ପ୍ରିୟ କୃଷ୍ଣ! ଆପଣ ଆମ୍ଭମାନଙ୍କୁ ଅନେକ ବିପତ୍ତିରୁ ରକ୍ଷା କରିଛନ୍ତି। ମୋ ପୁତ୍ରମାନଙ୍କୁ ବିଷାକ୍ତ ପିଷ୍ଟକରୁ, ଭୟଙ୍କର ଅଗ୍ନିରୁ, ମାନବ ଭକ୍ଷମାନଙ୍କ କବଳରୁ, ଅଜ୍ଞାତ ବନବାସ ସମୟରେ ବହୁ ବିପଦରୁ ଏବଂ କୁରୁକ୍ଷେତ୍ର ଯୁଦ୍ଧସ୍ଥଳରେ ଅନେକ ରଥୀ ମହାରଥୀଙ୍କର ଅବ୍ୟର୍ଥ ଅସ୍ତ୍ରଶସ୍ତ୍ରରୁ ବଞ୍ଚାଇଛନ୍ତି। ଏବେ ଏବେ ମଧ୍ୟ ଆପଣ ଆମ୍ଭମାନଙ୍କୁ ଅଶ୍ୱତ୍‌ଥାମାଙ୍କର ବ୍ରହ୍ମାସ୍ତ୍ର କବଳରୁ ମୁକ୍ତି ଦେଇଛନ୍ତି। ଏସବୁ ସତ୍ତ୍ୱେ ହେ ଜଗଦ୍‌ଗୁରୁ! ବିଦାୟ ବେଳାରେ ମୁଁ ଆପଣଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ, ସେ ସମସ୍ତ ବିପଦ ଆମ୍ଭମାନଙ୍କ ପାଖକୁ ବାରମ୍ବାର ଆସୁ। ଚକିତ କୃଷ୍ଣ ପଚାରିଲେ, ”କାହିଁକି ପିଉସୀ ମା’?“ ଉତ୍ତରରେ କୁନ୍ତୀ ଯାହା କହିଲେ, ତାହା ସମସ୍ତଙ୍କ ଭିତରେ ଏକ ଦିବ୍ୟ ଗଭୀର ଭକ୍ତିଭାବ ଓ ସୂକ୍ଷ୍ମ ପରାମାର୍ଥିକ ଚେତନା ପ୍ରକାଶ କରିବା ପାଇଁ ଯଥେଷ୍ଟ। କୁନ୍ତୀ କହିଲେ, ”ଏ ବିପଦ ସବୁ ବାରମ୍ବାର ଆମ୍ଭ ନିକଟକୁ ଆସିଲେ, ଆମେ ଆପଣଙ୍କୁ ବାରମ୍ବାର ସ୍ମରଣ କରିବୁ। ଆପଣଙ୍କୁ ବାରମ୍ବାର ସ୍ମରଣକଲେ ଆପଣ ଆମକୁ ବାରମ୍ବାର ଦର୍ଶନ ଦେବେ। ହେ ଯୋଗେଶ୍ୱର ! ଆପଣଙ୍କୁ ପୁନଃ ପୁନଃ ଦର୍ଶନ କରିବାର ଅର୍ଥ ଆମ୍ଭେମାନେ ଆଉ ଜନ୍ମ ମୃତ୍ୟୁ ଚକ୍ରରେ ଘୂରିବୁଲିବୁ ନାହିଁ, ମୁକ୍ତି ପାଇଯିବୁ।“
ମହାରାଣୀ କୁନ୍ତୀଙ୍କର ଏ ମହାନ୍‌ ପ୍ରାର୍ଥନା ଦୁଃଖ ଓ ନୈରାଶ୍ୟରେ ଗତି କରୁଥିବା ଆଧୁନିକ ମଣିଷମାନଙ୍କ ମଧ୍ୟରେ ମଧ୍ୟ ଅନ୍ତଜ୍ଞାନ ସୃଷ୍ଟିକରେ। ଆପଣମାନେ ପ୍ରଖ୍ୟାତ ଓ୍ବିମ୍ବେଲଡନ୍‌ ଟେନିସ ଖେଳାଳି ଆର୍ଥର ଆସେଙ୍କ ନାଁ ଶୁଣିଥିବେ। ଜଣେ ବିଶ୍ୱବିଜୟୀ ଟେନିସ୍‌ ଖେଳାଳି ଭାବେ ସେ ଥିଲେ ବେଶ୍‌ ପ୍ରସିଦ୍ଧ। ମାତ୍ର ହଠାତ୍‌ ସେ ଏକ ମରଣାନ୍ତକ ରୋଗରେ ପୀଡ଼ିତ ହୋଇ ପଡ଼ିଲେ। ବଞ୍ଚିବାର ଆଶା ବହୁତ କ୍ଷୀଣ ଥିଲା। ଏ ଖବରରେ ସମଗ୍ର ଟେନିସ୍‌ ଜଗତ ସ୍ତବ୍ଧ ହୋଇଗଲା। ସାରା ପୃଥିବୀର କୋଣ ଅନୁକୋଣରୁ ତାଙ୍କର ବନ୍ଧୁ ଓ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନାକରି ଅସଂଖ୍ୟ ସମବେଦନାମୂଳକ ପତ୍ର ପଠାଇବାକୁ ଲାଗିଲେ। ଜଣେ ପ୍ରଶଂସକ ତାଙ୍କର ଏ ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇ ଚିଠିଟିଏ ଲେଖିଥିଲେ। ସେ ଏ ଚିଠିରେ ସମସ୍ତଙ୍କଠାରୁ ପାଦେ ଆଗେଇଯାଇ ଲେଖିଥିଲେ – ”ହେ ମୋର ଅତି ପ୍ରିୟ ଟେନିସ୍‌ ତାରକା! ପୃଥିବୀରେ ଏତେ ଲୋକ ଥାଉଁ ଥାଉଁ ଈଶ୍ୱର ଏ ଭୟଙ୍କର ବ୍ୟାଧି ଦେବାକୁ ଆପଣଙ୍କ ଭଳି ଜଣେ ମହାନ୍‌ ମଣିଷକୁ କାହିଁକି ଚୟନ କଲେ?“ ଏ ଚିଠିର ଉତ୍ତରରେ ଆର୍ଥର ଯାହା ଲେଖିଥିଲେ ତାହା କୋଟି କୋଟି ମଣିଷଙ୍କ ପାଇଁ ଆଜି ବି ପ୍ରଣିଧାନଯୋଗ୍ୟ। ରୋଗ ଶଯ୍ୟାରେ ଶୋଇ ଆର୍ଥର ଲେଖିଥିଲେ- ”ହେ ମୋର ପ୍ରିୟ ବନ୍ଧୁ, ଆପଣଙ୍କ ସମବେଦନା ପାଇଁ ଶତ ଧନ୍ୟବାଦ। ଆପଣ ଜାଣନ୍ତି ସମଗ୍ର ପୃଥିବୀରେ ପ୍ରାୟ ୫ କୋଟି ପିଲା ଟେନିସ୍‌ ଖେଳିବାକୁ ଆରମ୍ଭ କରିଥାନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୫୦ଲକ୍ଷ ପିଲା ଟେନିସ୍‌ ଖେଳିବାକୁ ପଡ଼ିଆରେ ପହଞ୍ଚନ୍ତି। ବଡ଼ ହେବା ପରେ ସେମାନଙ୍କ ମଧ୍ୟରୁ ମାତ୍ର ୫ ଲକ୍ଷ ପିଲା ବୃତ୍ତିଗତ ଭାବେ ଏହି ଖେଳ ଖେଳିଥାନ୍ତି। ଆଉ ସେମାନଙ୍କ ମଧ୍ୟରୁ ପ୍ରତିଯୋଗିତା ପାଇଁ ମାତ୍ର ୫୦ହଜାର ମଇଦାନକୁ ଓହ୍ଲେଇଥାନ୍ତି। ତନ୍ମଧ୍ୟରୁ ମାତ୍ର ୫ ହଜାର ଗ୍ରାଣ୍ଡ୍‌ ସ୍ଲାମ୍‌ (ପ୍ରତିଯୋଗିତାର ଶେଷ ପର୍ଯ୍ୟାୟ)ରେ ପହଞ୍ଚନ୍ତି। ପୁଣି ବଛାବଛି ପରେ ସେମାନଙ୍କ ମଧ୍ୟରୁ ମାତ୍ର ୫୦ଜଣ ବିଶ୍ୱ ବିଖ୍ୟାତ ଓ୍ବିମ୍ବେଲଡନ କପ୍‌ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୪ଜଣ ସେମିଫାଇନାଲରେ ପ୍ରବେଶ କରନ୍ତି। ଶେଷରେ ମାତ୍ର ୨ଜଣ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ସବାଶେଷରେ ସେ ୨ଜଣଙ୍କ ମଧ୍ୟରୁ କେବଳ ଜଣେ ବିଜୟୀ ହୋଇ ଓ୍ବିମ୍ବେଲଡନ୍‌ କପ୍‌ ହାସଲ କରିଥାଏ। ହେ ମୋର ପ୍ରୟ ବନ୍ଧୁ!
କୋଟି କୋଟି ଟେନିସ୍‌ ଖେଳାଳିଙ୍କୁ ପଛରେ ପକାଇ ଦୟାମୟ ଈଶ୍ୱର ଯେତେବେଳେ ବିଜେତା ହିସାବରେ ‘ଓ୍ବିମ୍ବେଲଡନ୍‌ କପ୍‌’ଟି ମୋ ହାତରେ ଧରାଇ ଦେଇଥିଲେ, ସେହି ସୁଖଦ ମୁହୂର୍ତ୍ତରେ ମୁଁ ତ ଈଶ୍ୱରଙ୍କୁ ପଚାରି ନ ଥିଲି, ସଂସାରରେ ଏତେ ଲୋକ ଥାଉ ଥାଉ ମୋତେ କାହିଁକି ଆପଣ ବିଜେତା ଭାବେ ଚୟନ କଲେ? ଆଉ ଆଜି ଯେତେବେଳେ ଏ ଦୁଃଖ ଯନ୍ତ୍ରଣା ଭୋଗୁଛି, ସେତେବେଳେ ତାଙ୍କୁ କାହିଁକି ପଚାରିବି – ଆପଣ କାହିଁକି ମୋତେ ଏ ରୋଗ ଦେବାକୁ ଚୟନ କଲେ?
ଆର୍ଥରଙ୍କ ଏହି ମର୍ମସ୍ପର୍ଶୀ ଚିଠିଟି ବାସ୍ତବରେ ଆଖିରେ ଆଖିଏ ଲୁହ ଆଣିଦିଏ। ଅନ୍ୟପକ୍ଷରେ ରୋଗ ଓ ଶୋକରେ ଶଢ଼ୁଥିବା କୋଟି କୋଟି ଅସହାୟ ମଣିଷଙ୍କୁ ଏହା ଏକ ଅବିଶ୍ୱସନୀୟ ଆଶ୍ୱାସନା ଦିଏ। ଜୀବନର ସମସ୍ତ ନିରୁତା ଯନ୍ତ୍ରଣାକୁ ଗଭୀର ଭାବେ ଅନୁଭବ କରି ତା’ରି ଭିତରେ ଜୀବନର ଜୟଗୀତି ଗାଇବା ସତରେ କେତେ ମଣିଷଙ୍କ ପକ୍ଷରେ ସମ୍ଭବ? ସୁଖ ଆମ୍ଭମାନଙ୍କୁ ଆନନ୍ଦ ଦିଏ, ମାତ୍ର ଦୁଃଖ ଆମକୁ ପରୀକ୍ଷା କରେ, ବଳଶାଳୀ କରେ। ସଫଳତା ଆମ ମନରେ ଉତ୍ସାହ ଓ ଉଦ୍ଦୀପନା ଭରିଦିଏ, ମାତ୍ର ବିଫଳତା ଆମକୁ ବିନମ୍ର କରିଦିଏ। ସମ୍ପଦ ଆମକୁ ସୁଖ ଦିଏ, ମାତ୍ର ବିପଦ ଆମକୁ ଶିକ୍ଷା ଦିଏ। ସୁଖ ଓ ଦୁଃଖ, ସଫଳତା ଓ ବିଫଳତା, ସମ୍ପଦ ଓ ବିପଦକୁ ସମାନ ଭାବରେ ଗ୍ରହଣ କରିନେବା ମଣିଷର କର୍ତ୍ତବ୍ୟ। କାରଣ ଏସବୁ ଈଶ୍ୱରଙ୍କର ଲୀଳା। ଆମ ମାପକାଠିରେ ନା ତାଙ୍କୁ ମାପିହେବ, ନା ପ୍ରଶ୍ନ କରିହେବ କୌଣସି ଲୀଳାର କାରଣ ଜାଣିବା ପାଇଁ? ଏହାଛଡ଼ା ନିରାଶାରେ ଭାଙ୍ଗିପଡ଼ିଲେ ବଞ୍ଚିବାର ଶେଷ ଆଶା ଟିକକ ମଉଳିଯିବ। ବିପଦ ଭିତରେ ସମ୍ପଦ ଲୁଚି ରହିଥାଏ ବୋଲି ଜ୍ଞାନୀଜନମାନେ ମତବ୍ୟକ୍ତ କରିଥାନ୍ତି। ବାଦଲ ଫାଟିଲେ ବର୍ଷା ହୁଏ। ମାଟି ଗୁଣ୍ଡ ହେଲେ କ୍ଷେତ ହସିଉଠେ। ମଞ୍ଜି ଫାଟିଲେ ଗଜା ହୁଏ। ଗଜା ଫାଟିଲେ ଚାରା କଅଁଳେ। ଶାମୁକା ଦି’ଫାଳ ହେଲେ ମୁକ୍ତା ବାହାରେ। ବିପଦର ଜଣେ ମାତ୍ର ବନ୍ଧୁ ଅନ୍ତର୍ଯ୍ୟାମୀ ପରମେଶ୍ୱର। ସେହି ବନ୍ଧୁ ହଁି ସମ୍ପଦ, ବିପଦ ସର୍ବ କ୍ଷଣର ବନ୍ଧୁ। ବିପଦ ବ୍ୟକ୍ତିକୁ ଏହି ଅମୃତ ଉପଲବ୍ଧି ଆଣି ଦେଇଥାଏ ଯେ, ଭାଙ୍ଗିବା ଗଢ଼ିବା ସବୁ ତାଙ୍କରି ଲୀଳା।
-ପ୍ରାଧ୍ୟାପକ, ନୀଳମାଧବ କଲେଜ, କଣ୍ଟିଲୋ
ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri