Categories: ଖେଳ

ସାବାଲେଙ୍କାଙ୍କୁ ମାଡ୍ରିଡ୍‌ ଓପନ୍‌ ଟେନିସ ଟାଇଟଲ

ମାଡ୍ରିଡ,୧୦।୫(ଏପି): ବେଲାରୁଷ ମହିଳା ଟେନିସ ତାରକା ଅରିନା ସାବାଲେଙ୍କା ମାଡ୍ରିଡ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ପଞ୍ଚମ ସିଡ୍‌ ମାନ୍ୟତା ପାଇଥିବା ସାବାଲେଙ୍କା ୬-୦, ୩-୬, ୬-୪ ସେଟ୍‌ରେ ଟପ ସିଡ୍‌ ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ହରାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ସେ କ୍ୟାରିୟରର ୧୦ମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ତେବେ କ୍ଲେ କୋର୍ଟରେ ତାଙ୍କ ପାଇଁ ଏହା ପ୍ରଥମ ଟାଇଟଲ ସାବ୍ୟସ୍ତ ହୋଇଛି।
ଦୁଇ ସପ୍ତାହ ପୂର୍ବରୁ ଅନୁଷ୍ଠିତ ଷ୍ଟର୍ଟଗାର୍ଟ ଫାଇନାଲରେ ସାବାଲେଙ୍କା ବାର୍ଟିଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ସେ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଏହି ବିଜୟ ସହ ସାବାଲେଙ୍କା ଆସନ୍ତା ସପ୍ତାହରେ ପ୍ରକାଶିତ ହେବାକୁ ଥିବା ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ଉଠିବା ନିଶ୍ଚିତ ହୋଇଛି। ଚଳିତ ବର୍ଷ ସାବାଲେଙ୍କା ଦ୍ୱିତୀୟ ଟାଇଟଲ ହାସଲ କରିଛନ୍ତି। ଏହାପୂର୍ବରୁ ସେ ସିଜନର ପ୍ରଥମ ଟୁର୍ନାମେଣ୍ଟ ଆବୁଧାବି ଟାଇଟଲ ଜିତିଥିଲେ। ମିଆମି ଟୁର୍ନାମେଣ୍ଟରେ ମଧ୍ୟ ସାବାଲେଙ୍କା କ୍ୱାର୍ଟର ଫାଇନାଲ୍ସରେ ବାର୍ଟିଙ୍କଠାରୁ ପରାସ୍ତ ହୋଇଥିଲେ।
ଜେଭରେଭ-ବରେଟିନି ଫାଇନାଲ
ଅନ୍ୟପଟେ ପୁରୁଷ ସିଙ୍ଗଲ୍ସରେ ରବିବାର ଫାଇନାଲ ମ୍ୟାଚ୍‌ରେ ଟାଇଟଲ ପାଇଁ ୨୦୧୮ ଚାମ୍ପିୟନ ଆଲେକଜାଣ୍ଡର ଜେଭରେଭ ଓ ଅଷ୍ଟମ ସିଡ ମାଟେଓ ବରେଟିନ ମୁହଁାମୁହିଁ ହେବେ। ସେମିଫାଇନାଲରେ ଜେଭରେଭ ୬-୩,୬-୪ ସେଟ୍‌ରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ଜେଭରେଭ କ୍ୱାର୍ଟରଫାଇନାଲରେ ରାଫାଲ ନାଡାଲଙ୍କୁ ହରାଇଥିଲେ। ସେହିପରି ଅନ୍ୟ ଏକ ସେମିଫାଇନାଲରେ ବରେଟିନି ୬-୪,୬-୪ ସେଟ୍‌ରେ କାସ୍ପେର ରୁଡ୍‌ଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ୨୦୧୮ରେ ମଧ୍ୟ ଥିମ୍‌ଙ୍କୁ ହରାଇ ଜେଭରେଭ ଟାଇଟଲ ଜିତିଥିଲେ।

Share