ସର୍ବୋଚ୍ଚରୁ ସର୍ବନିମ୍ନ ସମାନ (ସ ସ ସ)। ଭାରତରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ବ୍ରିଟେନ୍‌ର ବର୍ମିଂହାମ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଆଥ୍‌ଲେଟମାନେ ଅନେକ ପଦକ ଜିତି ନିଜର ଦକ୍ଷତା ଦେଖାଇପାରିଛନ୍ତି। ଡାକ୍ତରଙ୍କଠାରୁ ଆରମ୍ଭକରି ମହାକାଶଚାରୀ ପର୍ଯ୍ୟନ୍ତ ସବୁଥିରେ ମହିଳା ଓ ଯୁବତୀଙ୍କ ଉପସ୍ଥିତି ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ପାର୍ଲାମେଣ୍ଟରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଅନେକ ଦଶନ୍ଧି ଧରି ବିଚାରବିମର୍ଶ ଚାଲିଛି। କେନ୍ଦ୍ରଠାରୁ ଆରମ୍ଭକରି ପଞ୍ଚାୟତ ସ୍ତରରେ ମହିଳାମାନେ କିଭଳି ଅଧିକରୁ ଅଧିକ ରାଜନୀତିରେ ପ୍ରବେଶ କରିବେ ସେଥିଲାଗି ପ୍ରୟାସ ମଧ୍ୟ ହେଉଛି। ହେଲେ ଏବେ ମଧ୍ୟପ୍ରଦେଶର ଦାମୋହ ଜିଲା ଗଇସାବାଦ୍‌ ପଞ୍ଚାୟତରେ ଘଟିଥିବା ଏକ ଘଟଣା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଏକ ଅନ୍ଧାର ଦିଗକୁ ସୂଚିତ କରିଥିବା ଦେଖିବାକୁ ମିଳିଛିି। ଘଟଣାଟି ହେଲା, ସମ୍ପୃକ୍ତ ପଞ୍ଚାୟତରେ ଅନୁସୂଚିତ ବର୍ଗର ଜଣେ ମହିଳା ସରପଞ୍ଚ ନିର୍ବାଚନରେ ଜିତିଥିବା ବେଳେ ଆଉ କେତେ ଜଣ ମହିଳା ଅନ୍ୟ ପଦବୀରେ ବିଜୟ ଲାଭ କରିଥିଲେ। ସେମାନଙ୍କ ପାଇଁ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା। ଦେଖିଲା ବେଳକୁ ବିଜୟୀ ମହିଳାଙ୍କ ସ୍ଥାନରେ ସେମାନଙ୍କ ସ୍ବାମୀମାନେ ଶପଥ ନେଇଥିଲେ। ଶପଥ ଗ୍ରହଣ ସମୟର ଫଟୋ ପ୍ରସାରିତ ହେବା ପରେ ଜିଲା ଅଧିକାରୀ ପଞ୍ଚାୟତ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।
ଉପରଲିଖିତ ଘଟଣା କେବଳ ନାରୀମାନଙ୍କ ରାଜନୈତିକ ସଶକ୍ତୀକରଣର ବିଫଳତା ଦର୍ଶାଉ ନାହିଁ, ସାମାଜିକ ସ୍ତରରେ ମହିଳାଙ୍କ ସ୍ଥିତିକୁ ଦେଖାଉଛି। ଭାରତବର୍ଷରେ ପଞ୍ଚାୟତ ସ୍ତରରେ ନିର୍ବାଚିତ ହେଉଥିବା ମହିଳାଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ବାମୀ, ଶ୍ୱଶୁର କିମ୍ବା ଭାଇମାନେ ରାଜନୀତିରେ ସକ୍ରିୟ ରହି ସବୁ କାମ କରିଥାଆନ୍ତି। ଅନେକ ମହିଳା ସରପଞ୍ଚ ଘରେ ରହି ଚୁଲି ଫୁଙ୍କିଥାନ୍ତି। ଏପରି କି ମହିଳା ବିଧାୟକ ଓ ସାଂସଦମାନଙ୍କ କ୍ଷେତ୍ରରେ ବହୁଆଡ଼େ ପୁରୁଷମାନେ ପ୍ରଶାସନିକ କାର୍ଯ୍ୟଠାରୁ ଆରମ୍ଭ କରି ଠିକାଦାରି କାମ ବୁଝାଶୁଝା କରୁଥିବା ଶୁଣିବାକୁ ମିଳେ। ତେଣୁ ମହିଳାମାନଙ୍କ ଉନ୍ନତି ଲାଗି ସେହି ବର୍ଗରୁ ଅଧିକ ପ୍ରତିନିଧିତ୍ୱ ହେବା ଉଦ୍ଦେଶ୍ୟ ରଖାଯାଇ ରାଜନୀତିରେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ସାମାଜିକ ସ୍ତରରେ ସେହି ଧ୍ୱନିର ଏକ ବିକୃତ ଚିତ୍ର ଦେଖିବାକୁ ମିଳୁଛି। ଯଦି ମଧ୍ୟପ୍ରଦେଶର ଗଇସାବାଦ୍‌ ପଞ୍ଚାୟତରେ ପୁରୁଷମାନେ ନେଉଥିବା ଶପଥଗ୍ରହଣର ସ୍ଥଳ ଓ ସେହି ଲୋକମାନଙ୍କୁ ଦେଖାଯାଏ ସେମାନେ କଦାପି ଭାବି ନ ଥିବେ ଯେ, ଏହି ଘଟଣାଟି ଏତେ ବଡ଼ ଆକାର ଧାରଣ କରିବ। ସମ୍ଭବତଃ ଏଭଳି ଧାରା ସେଠାରେ ପୂର୍ବରୁ ଗଡ଼ି ଆସୁଥିବ। ଏ କ୍ଷେତ୍ରରେ ଶପଥ ନେଉଥିବା ବ୍ୟକ୍ତିଙ୍କ ଅପେକ୍ଷା ସ୍ଥାନୀୟ ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରାଯିବା ଉଚିତ। ସେହି ଅଧିକାରୀ ଅନୁମତି ଦେବାରୁ ଆଜି ସ୍ଥିତି ଏପରି ହୋଇଛି। ଶପଥ ଗ୍ରହଣ ସମୟର ଭିଡିଓ ଚାରିଆଡ଼େ ପ୍ରସାରିତ ହୋଇ ନ ଥିଲେ ଘଟଣାଟି ଚପିଯାଇଥାଆନ୍ତା।
ଆଶ୍ଚର୍ଯ୍ୟର କଥା ଯେ ଏସବୁ କାହାରିକୁ ବ୍ୟଥିତ କରେନାହିଁ। ଭାରତୀୟ ସମାଜ ପୁରୁଷପ୍ରଧାନ ହୋଇଥିବାରୁ ଏଭଳି ଘଟଣାରେ କେହି ବ୍ୟସ୍ତ ହୁଅନ୍ତି ନାହିଁ। ମଧ୍ୟପ୍ରଦେଶର ଘଟଣାକୁ ମିଡିଆରେ ପ୍ରସାରିତ କରିଦିଆଯିବା ଫଳରେ କିଛିଟା ପ୍ରତିକ୍ରିୟା ପ୍ରକାଶ ପାଇଲା। ନଚେତ୍‌ ଏହି ଦେଶର ପୁରପଲ୍ଲୀରେ ସମସ୍ତେ ମହିଳାଙ୍କୁ ସାମାଜିକ ସ୍ଥିତିରେ ନୂ୍ୟନ କରି ରଖିଥାନ୍ତି। ଉତ୍ତର ଭାରତରେ ବୋହୂମାନଙ୍କୁ ଯୌତୁକକୁ ନେଇ ପୋଡ଼ି ମାରିଦେଲେ ମଧ୍ୟ ପଡ଼ୋଶୀଙ୍କର କୌଣସି ଫରକ ପଡ଼େନାହିଁ। ସାଧାରଣରେ ଦେଖାଯାଏ, ଅଳ୍ପ କେତୋଟି ପରିବାରକୁ ଛାଡ଼ିଦେଲେ, ମୃତ ମହିଳାଙ୍କ ନିଜ ପରିବାର ମଧ୍ୟ ବିଶେଷ ବ୍ୟସ୍ତତା ପ୍ରକାଶ କରନ୍ତି ନାହିଁ। ସତେଯେମିତି ଝିଅ ଜନ୍ମ ନେଇଥିଲେ ଏଭଳି ଦଶା ଭୋଗିବା ସ୍ବାଭାବିକ। ନିକଟରେ ଯେଉଁ କୌତୂହଳପୂର୍ଣ୍ଣ ବିବାଦ ‘ରାଷ୍ଟ୍ରପତି’ ଓ ‘ରାଷ୍ଟ୍ରପତ୍ନୀ’ ଶବ୍ଦକୁ ନେଇ ଉପୁଜିଥିଲା ତାହା କେବଳ ଭାରତ ଭଳି ଦେଶରେ ଘଟିପାରେ। ହିନ୍ଦୀ ଭାଷାରେ ପତିର ଅର୍ଥ ହେଉଛି ସ୍ବାମୀ। ଯଦି ରାଷ୍ଟ୍ରପତି ଶବ୍ଦକୁ ଭାଗ କରାଯାଏ, ତେବେ ରାଷ୍ଟ୍ର କିମ୍ବା ଦେଶର ପତି କିମ୍ବା ସ୍ବାମୀ ଏକ ପୁରୁଷ ମାନସିକତା। କିନ୍ତୁ ତାହାର ଅର୍ଥ ନୁହେଁ ଯେ, ଯିଏ ରାଷ୍ଟ୍ରପତି ହେଲେ ସିଏ ସମଗ୍ର ଦେଶର ସବୁ ମହିଳାଙ୍କ ସ୍ବାମୀ। ତେବେ ସେହି ଚିନ୍ତାଧାରାକୁ କୌଣସି ବ୍ୟକ୍ତି ବିରୋଧ କରିବାର ଦୃଷ୍ଟାନ୍ତ ନାହିଁ। ଅନ୍ୟପଟେ ଯଦି ଅଣହିନ୍ଦୀଭାଷୀ କୌଣସି ବ୍ୟକ୍ତି, ଜାଣତରେ କିମ୍ବା ଅଜାଣତରେ, ରାଷ୍ଟ୍ରପତ୍ନୀ ଶବ୍ଦ ବ୍ୟବହାର କରେ ତେବେ ସେଥିରୁ ଖିଅ ଟାଣି ପ୍ରବଳ ବିରୋଧ କରାଯାଏ ଯେ ସେହି ପଦବୀରେ ବସିଥିବା ବ୍ୟକ୍ତି ସମସ୍ତଙ୍କର ମାଇପ ନୁହେଁ।
ଏହିଭଳି ବିକୃତ ମହିଳାବିରୋଧୀ ମନୋଭାବ ଭାରତୀୟଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉଥିବାରୁ ରାଷ୍ଟ୍ରପତ୍ନୀ ଶବ୍ଦ ବ୍ୟବହାର ପରେ ଯେଉଁ ବିବାଦ ସୃଷ୍ଟି ହେଲା ସେହି ବିବାଦକୁ ବିରୋଧ କରି କେହି କହିଲେ ନାହିଁ ଯେ ରାଷ୍ଟ୍ରପତି ଶବ୍ଦରେ ହିଁ ମୂଳରୁ ପୁରୁଷପ୍ରଧାନ (ପେଟ୍ରିଆର୍‌କି) ଚିନ୍ତାଧାରା ବୁଡ଼ିରହିଛି। ଇଂଲିଶରେ ‘ପ୍ରେସିଡେଣ୍ଟ୍‌’ ଶବ୍ଦ ସମ୍ପୂର୍ଣ୍ଣ ଭାବେ ଲିଙ୍ଗ ନିରପେକ୍ଷ। କିନ୍ତୁ ହିନ୍ଦୀରେ ରାଷ୍ଟ୍ରପତି ଶବ୍ଦକୁ ସେହି ଲିଙ୍ଗ ନିରପେକ୍ଷ ମାନ୍ୟତା ଦିଆଯାଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ ରାଷ୍ଟ୍ରକର୍ତ୍ତା କିମ୍ବା ଦେଶମୁଖ୍ୟ ବୋଲି ଶବ୍ଦ ଗ୍ରହଣଯୋଗ୍ୟ ହୋଇପାରେ। ସେହିଭଳି ପଦବୀରେ ପୁରୁଷ କିମ୍ବା ମହିଳାଙ୍କର କୌଣସି ଭିନ୍ନତା ଦର୍ଶାଯାଇ ପାରିବ ନାହିଁ। ଯେତେବେଳେ ଗୋଟିଏ ସମାଜ ପୁରାତନ ଚିନ୍ତାକୁ ଧରି ବସିଥାଏ, ସେତେବେଳେ ଅନାବଶ୍ୟକ ବିବାଦ ଉପୁଜେ। ଏହାର ପ୍ରତିକାର କରିବାକୁ ହେଲେ ପ୍ରଶାସନିକ ସ୍ତରରେ ଓ ଶିକ୍ଷାରେ ଶବ୍ଦ ବ୍ୟବହାରକୁ ଲିଙ୍ଗ ନିରପେକ୍ଷ କରିବାକୁ ହେବ। ଭାରତର ପ୍ରତ୍ୟେକଟି ଆଇନକୁ ମଧ୍ୟ ପୁନର୍ବାର ନିରୀକ୍ଷଣ କରି ଲିଙ୍ଗ ନିରପେକ୍ଷ କରିବା ଅତ୍ୟନ୍ତ ଆବଶ୍ୟକ। ଏହି କାର୍ଯ୍ୟ କଷ୍ଟସାଧ୍ୟ ନୁହେଁ। କେବଳ ମାନସିକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦୁଃଖର ବିଷୟ ଯେ, ଏହି ଦେଶରେ ମାତୃଶକ୍ତିକୁ ବିଭିନ୍ନ ରୂପରେ ପୂଜା କରାଯାଉଥିଲେ ମଧ୍ୟ ମହିଳାମାନେ ସ୍ବୟଂ ନିଜର ଗୁରୁତ୍ୱକୁ ହ୍ରାସ କରିଦେବା ପାଇଁ ଇଚ୍ଛୁକ ଥିବାରୁ ମଧ୍ୟପ୍ରଦେଶ ଭଳି ଘଟଣା ଘଟିବା ସମ୍ଭବପର ହେଉଛି। ଏହା କେବଳ ମଧ୍ୟପ୍ରଦେଶରେ ସୀମିତ ନୁହେଁ, ଦେଶର କୋଣଅନୁକୋଣ ଏପରିକି ଓଡ଼ିଶାରେ ମଧ୍ୟ ଦୈନନ୍ଦିନ ଏଇଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?