Categories: ଖେଳ

ବେସ୍‌ଲାଇନ୍‌ ଭେଞ୍ଚର୍ସ ସହ ଋତୁରାଜଙ୍କ ଚୁକ୍ତି

ନୂଆଦିଲ୍ଲୀ: ଉଦୀୟମାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ସ୍ପୋଟର୍‌ସ ମାର୍କେଟିଂ ଓ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ବେସ୍‌ଲାଇନ୍‌ ଭେଞ୍ଚର୍ସ ସହ ବହୁବର୍ଷ ପାଇଁ ଚୁକ୍ତି କରିଛନ୍ତି। ଏହି ଫାର୍ମ କ୍ରିକେଟରଙ୍କ ବ୍ୟବସାୟିକ ସ୍ବାର୍ଥ ବୁଝାଶୁଝା କରିବ। ପୁଣେରେ ଜନ୍ମଗ୍ରହଣ କରିଥିବା ଗାଏକ୍ୱାଡ ୨୦୧୬ରେ ଝାଡ଼ଖଣ୍ଡ ବିପକ୍ଷରେ ତାଙ୍କର ପ୍ରଥମଶ୍ରେଣୀ ପଦାର୍ପଣ କରିଥିଲେ। ଏହାପରଠାରୁ ଏହି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟରରେ ୬ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ ଖେଳାଳି ନିଲାମ ବେଳେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏହି ୨୩ ବର୍ଷୀୟ କ୍ରିକେଟରଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଚଳିତ ସିଜନରେ ଲିଗ୍‌ରେ ଟିମ୍‌ର ଶେଷ ତିନୋଟି ମ୍ୟାଚରେ ସେ କ୍ରମାଗତ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୨୦ ସିଜନରେ ଏହି ଯୁବ ଖେଳାଳି ୬ଟି ମ୍ୟାଚ୍‌ରେ ୫୧.୦୦ ଆଭରେଜ ସହ ୨୦୪ ରନ ସ୍କୋର କରିଛନ୍ତି। ଭାରତୀୟ ଦଳରୁ ପ୍ରତିନିଧିତ୍ୱ ନ କରି ଆଇପିଏଲ୍‌ରେ ପ୍ରଥମ ଖେଳାଳିଭାବେ ସେ କ୍ରମାଗତ ତିନୋଟି ଅର୍ଦ୍ଧଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି। ଆମ ଦେଶର କେତେଜଣ ବଡ଼ ବଡ଼ ଆଥଲେଟ୍‌ଙ୍କ ପ୍ରତିନିଧିତ୍ୱ କରିଥାଏ ବେସ୍‌ଲାଇନ୍‌। ମୋ ପାଇଁ ଏହି କମ୍ପାନୀ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ବେଶ୍‌ ଉତ୍ସାହିତ ବୋଲି କହିଛନ୍ତି ଋତୁରାଜ।

Share