ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ନେଇ ଆମେରିକା ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆମେରିକାରେ ପ୍ରବେଶ ପାଇଁ ରୁଷିଆ ନାଗରିକଙ୍କୁ ମନା କରାଯାଇଛି। ଅପରପକ୍ଷରେ ୟୁକ୍ରେନ୍ ନାଗରିକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଆମେରିକାରେ ପ୍ରବେଶ କରୁଥିବା ପ୍ରାୟ ୩୦ରୁ ଅଧିକ ରୁଷୀୟ ଶରଣାର୍ଥୀଙ୍କୁ ଅନୁମତି ମିଳି ନାହିଁ।
ଆମେରିକା ସୀମାରେ ରୁଷିଆ ଶରଣାର୍ଥୀମାନେ ପ୍ରବେଶ ଲାଗି କିଛି ଦିନ ଧରି ଅପେକ୍ଷା କରିଥିବାବେଳେ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଆମେରିକାର ସୀମାବର୍ତ୍ତୀ ସହର ତିଜୁଆନାଠାରେ ଅପେକ୍ଷା କରିଥିବା ରୁଷୀୟ ଶରଣାର୍ଥୀଙ୍କୁ ଅଧିକାରୀମାନେ ବିନମ୍ରତା ପୂର୍ବକ ସେଠାରୁ ଚାଲିଯିବାକୁ ଅନୁରୋଧ କରିଥିଲେ।
କିଛିଦିନ ତଳେ କେତେକ ରୁଷୀୟ ଶରଣାର୍ଥୀଙ୍କୁ ସେନ୍ ୟସିଡ୍ରୋଠାରେ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୟୁକ୍ରେନ୍ ଶରଣାର୍ଥୀଙ୍କୁ ମନା କରାଯାଇଥିଲା। ମାତ୍ର ଏବେ ଏହାର ବିପରୀତ ହୋଇଛି।
ଆମେରିକାର ନିଷ୍ପତ୍ତି ନେଇ ଏବେ ଶରଣାର୍ଥୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଥିବା କେତେକ ରୁଷିଆ ନାଗରିକ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନର ନିଷ୍ପତ୍ତିି ଉପରେ ଭରସା ନଥିବା ସେମାନେ କହିଛନ୍ତି।
ବାଇଡେନ୍ଙ୍କ ପ୍ରଶାସନର ଏଭଳି ନିଷ୍ପତ୍ତି ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ଙ୍କ ସରକାରଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।
ଯୁଦ୍ଧ ଯୋଗୁ ରୁଷିଆ ଏବଂ ୟୁକ୍ରେନ୍ର ସୀମାବର୍ତ୍ତୀ ସହରଗୁଡ଼ିକର ଲୋକେ ଜୀବନ ଭୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି।