୬୫୦ କୋଟିର ସି-ଶୋର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ/ଭୁବନେଶ୍ୱର, ୨୭।୨(ବ୍ୟୁରୋ): ବହୁଚର୍ଚ୍ଚିତ ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କଟକସ୍ଥିତ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚିଟ୍‌ଫଣ୍ଡ ସଂସ୍ଥା ସି-ଶୋର କମ୍ପାନୀର ପ୍ରାୟ ୬୫୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅଦାଲତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀର ୧୯୭ ଏକର ଜମି, ୧ କିଲୋ ୩୮୫ ଗ୍ରାମ୍‌ ସୁନା, ୨୦୦ କିଲୋ ରୁପା, ଗୋଟିଏ ବିଏମ୍‌ଡବ୍ଲ୍ୟୁ, ଗୋଟିଏ ମର୍ସିଡିଜ୍‌ ବେଞ୍ଜ୍‌ ଓ ୨ଟି ଟୟୋଟା କାର୍‌ ସମେତ ୨୨ ବ୍ୟାଙ୍କରେ ୨୬୬ ଆକାଉଣ୍ଟରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ୧୦୪ ଟଙ୍କା ବାଜ୍ୟାପ୍ତି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରି ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ଅଦାଲତ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସି-ଶୋର ସମ୍ପତ୍ତି ବାଜ୍ୟାପ୍ତି ଲାଗି କଟକ ଏଡିଏମ୍‌ ତଥା ସ୍ବତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ଆବେଦନ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୨ରେ ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ସାମ୍ନାକୁ ଆସିଥିଲା। ଅଧିକ ସୁଧ ଦେବାର ଲୋଭ ଦେଖାଇ ସି-ଶୋର ବହୁ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲା। ହେଲେ ଜମାକାରୀଙ୍କୁ ଅର୍ଥ ଫେରାଇ ନ ଥିଲା। ସି-ଶୋର ଗ୍ରୁପ୍‌ ପ୍ରାୟ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସେ ସମୟରେ ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଠକେଇରେ ଅନେକ ପ୍ରଭାବଶାଳୀ ନେତା, ଅଭିନେତା, ଶିଳ୍ପପତି, ବ୍ୟବସାୟୀ ଓ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ଉଠିଥିଲା। ସିବିଆଇ ପକ୍ଷରୁ ପର୍ଯ୍ୟାୟ କ୍ରମେ ନୋଟିସ୍‌ କରାଯାଇ ସେମାନଙ୍କୁ ଜେରା କରାଯାଇଥିଲା।
୨୦୨୦ ସେପ୍ଟେମ୍ବରରେ ସିବିଆଇ ଅଧିକାରୀମାନେ ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ଦେବୀ ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ଖୋର୍ଦ୍ଧାରେ ଥିବା ସରକାରୀ ଗେଷ୍ଟ ହାଉସ୍‌କୁ ପରିଚାଳନା କରିବା ପାଇଁ ସି-ଶୋରକୁ ଅନୁମତି ଦେବା ସହ କଟକରେ ୱାଟର ସ୍ପୋଟର୍‌ସ କମ୍ପ୍ଲେକ୍ସ ଏବଂ ରେଷ୍ଟୁରାଣ୍ଟ ନିର୍ମାଣ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ସିବିଆଇ ଏହାକୁ ତଦନ୍ତ ପରିସରଭୁକ୍ତ କରିଥିଲା। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ୨ଜଣ ଅଧିକାରୀ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ନୋଟିସ୍‌ କରିଥିଲା। ସି-ଶୋର ସହ ସରକାରଙ୍କ ଏମ୍‌ଓୟୁ ସ୍ବାକ୍ଷର ବେଳେ ପରାଗ ପର୍ଯ୍ୟଟନ ବିଭାଗର ସଚିବ ଥିବାବେଳେ ସଂଗ୍ରାମ ଓଟିଡିସିର ଜେନେରାଲ ମ୍ୟାନେଜର ଥିଲେ।