Categories: ଖେଳ

ମୀରାବାଈ ଚାନୁଙ୍କୁ ୪୦ଲକ୍ଷ ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, ୨୯ା୯ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର କାନ୍‌ସାସ୍‌ଠାରେ ୨ ମାସ ଟ୍ରେନିଂ ପାଇଁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ(ସାଇ)ର ମିଶନ ଅଲିମ୍ପିକ ସେଲ୍‌(ଏମ୍‌ଓସି) ଷ୍ଟାର ଭାରୋତ୍ତୋଳିକା ମୀରାବାଈ ଚାନୁଙ୍କୁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।ଏମ୍‌ଓସିର ଭର୍ଚୁଆଲ ବୈଠକ ବେଳେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର ୬ଟି ଖେଳ ବିଭାଗ ଯଥା ଶୁଟିଂ, ବ୍ୟାଡ୍‌ମିଣ୍ଟନ, ବକ୍ସିଂ, ପାରା ସ୍ପୋଟର୍‌ସ, ଭାରୋତ୍ତୋଳନ ଓ ହକିକୁ ୧.୫କୋଟି ଟଙ୍କା ପ୍ରଦାନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଚାନୁଙ୍କ ସହିତ ତାଙ୍କ କୋଚ୍‌ ଓ ଫିଜିଓଥେରାପିଷ୍ଟ ମଧ୍ୟ ୟୁଏସ୍‌ଏ ଯିବେ। ଦୀର୍ଘଦିନ ଧରି ଇଞ୍ଜୁରି ସମସ୍ୟାରେ ଥିବାରୁ ଏହି ଭାରୋତ୍ତୋଳିକାଙ୍କର ରିହାବିଲିଟେଶନ କାର୍ଯ୍ୟ ମଧ୍ୟ ହେବ ବୋଲି ସାଇ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି। ଶୁଟିଂ ପାଇଁ ଗୁଳି କ୍ରୟ ଲାଗି ଶୁଟରମାନେ ଦେଇଥିବା ପ୍ରସ୍ତାବ ଅନୁମୋଦ ଲାଭ କରିଛି। ଏହାଦ୍ୱାରା କରୋନା ଭାଇରସ ସମୟରେ ସେମାନେ ସେମାନଙ୍କ ହୋମ୍‌ ରେଞ୍ଜ୍‌ରେ ଟ୍ରେନିଂ ନେଇପାରିବେ। କମିଟି ଆହୁରି ମଧ୍ୟ ଅଞ୍ଜୁମ ମୋଦ୍‌ଗିଲ୍‌ ଏବଂ ମେରାଜ୍‌ ଅହମ୍ମଦ ଖାଁଙ୍କୁ ସେମାନଙ୍କ ସରଞ୍ଜାମ ଓ ଟ୍ରେନିଂ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ୩ମାସ ଧରି ଟ୍ରେନିଂ ପ୍ରୋଗ୍ରାମ୍‌ ପାଇଁ ବକ୍ସର ବିକାଶ କ୍ରିଷନ ଲାଗି ଅର୍ଥ ମଞ୍ଜୁର କରାଯାଇଛି। ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍‌ ରନ୍‌ ସିମ୍ସ ଜୁନିୟର ମଧ୍ୟ ଯିବେ। କମିଟି ଆହୁରି ମଧ୍ୟ ଡାନିଶ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ୩ ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବି ଶ୍ରୀକାନ୍ତ, ସାଇନା ନେହ୍ବାଲ ଓ ଲକ୍ଷ୍ୟ ସେନ୍‌ ଏବଂ ଡେନ୍‌ମାର୍କରେ ସେନ୍‌ ଟ୍ରେନିଂ ଓ ସାର୍‌ଲର୍‌ ଲକ୍ସ ଓପନରେ ଭାଗ ନେବା ଲାଗି ଅର୍ଥ ବ୍ୟବସ୍ଥା କରିଛି।

Share