Categories: ଖେଳ

ରୋହିତଙ୍କ ମୂଲ୍ୟାୟନ କରିବ ମେଡିକାଲ ଟିମ୍‌

ନୂଆଦିଲ୍ଲୀ, ୧୩ା୧୨ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ‘କ୍ଲିନିକାଲି ଫିଟ୍‌’ ଘୋଷଣା କରିଛି। ଫଳରେ ସେ ଏଣିକି ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗ ଦେଇପାରିବେ। ସେଠାରେ ସେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ। ଏହା ପୂର୍ବରୁ ଦଳର ମେଡିକାଲ ଟିମ୍‌ ତାଙ୍କର ମୂଲ୍ୟାୟନ କରିବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଳେ ରୋହିତଙ୍କ ହାମଷ୍ଟ୍ରିଙ୍ଗ ଇଞ୍ଜୁରି ହୋଇଥିଲା। ଏଥିପାଇଁ ସେ ଚଳିତ ଅଷ୍ଟ୍ରେଲିଆ ଟୁର୍‌ରେ ହ୍ବାଇଟ୍‌ ବଲ୍‌ ସିରିଜ ଖେଳିପାରି ନ ଥିଲେ। ଆଡିଲେଡ୍‌ଠାରେ ଡିସେମ୍ବର ୧୭ ତାରିଖରୁ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ରିହାବିଲିଟେଶନ ପ୍ରକ୍ରିୟା ଶେଷ କରିବା ପରେ ସେଠାରେ ତାଙ୍କର ଫିଟ୍‌ନେସ୍‌ ଟେଷ୍ଟ ହୋଇଥିଲା। ଏଥିରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ବିଶ୍ୱର ନମ୍ବର ଓ୍ବାନ୍‌ ଦଳ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବାର ୩ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୧୮ରେ ସେ ଅଷ୍ଟ୍ରେଲିଆ ପ୍ରସ୍ଥାନ କରିବେ। ସେଠାରେ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଟିମ୍‌ ଇଣ୍ଡିଆର ମେଡିକାଲ ଟିମ୍‌ ରୋହିତଙ୍କର ଫିଟ୍‌ନେସ୍‌ ଷ୍ଟାଟସ ଦେଖିବେ। ଏଥିରେ ଉତ୍ତୀର୍ଣ୍ଣ ହେବାପରେ ଯାଇ ସେ ବର୍ଡର-ଗାଭାସ୍କର ଟ୍ରଫିରେ ଭାଗ ନେଇପାରିବେ ବୋଲି ବିସିସିଆଇ ତରଫରୁ ଏକ ବିବୃତ୍ତିରେ କୁହାଯାଇଛି। ଏନସିଏର ମେଡିକାଲ ଟିମ୍‌ ରୋହିତଙ୍କ ଫିଟ୍‌ନେସ୍‌ ନେଇ ସନ୍ତୋଷ ବ୍ୟକ୍ତ କରିଥିଲା। ତେବେ ସହ୍ୟଶକ୍ତି ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ କିଛି କରିବାକୁ ପଡ଼ିବ ବୋଲି ଟିମ୍‌ କହିଥିଲା।

Share