Categories: ଖେଳ

କୋହଲିଙ୍କ ଅନୁପସ୍ଥିତିରେ ରୋହିତ ନେତୃତ୍ୱ ନେବା ଉଚିତ: ଇର୍ଫାନ

ନୂଆଦିଲ୍ଲୀ,୧୦।୧୧(ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ନୁହଁ ରୋହିତ ଶର୍ମା ଦଳରେ ନେତୃତ୍ୱ ନେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଦ୍ରୁତ ବୋଲର ଇର୍ଫାନ ପଠାନ।
ପ୍ରଥମ ଟେଷ୍ଟ ପରେ କୋହଲିଙ୍କୁ ପାଟର୍ନିଟି ଲିଭ୍‌ ପ୍ରଦାନ କରାଯାଇଛି। ତେଣୁ ବାକିଥିବା ୩ଟି ଟେଷ୍ଟରେ ସେ ଖେଳିବେ ନାହିଁ ଓ ଏହାର ପ୍ରଭାବ ଦଳ ଉପରେ ନିଶ୍ଚିତ ଭାବେ ପଡିବ। ଦୁଇବର୍ଷ ତଳେ କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। କୋହଲିଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଆବଶ୍ୟକ। କ୍ରିକେଟପରେ ବ୍ୟକ୍ତିଗତ ଜୀବନର ମଧ୍ୟ ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ରାହାନେଙ୍କ ବଦଳରେ ରୋହିତଙ୍କୁ ନେତୃତ୍ୱ ପ୍ରଦାନ କରାଗଲେ ଭାରତ ପାଇଁ ଲାଭଦାୟକ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇ ରୋହିତ ଏକାଧିକ ଟାଇଟଲ ଜିତିଛନ୍ତି। ସେ ମଧ୍ୟ ନିଦାହାସ ଟ୍ରଫି ଓ ଏସିଆ କପ୍‌ରେ ନେତୃତ୍ୱ ନେଇ ଭାରତକୁ ଚାମ୍ପିୟନ କରାଇଥିଲେ।
ରାହାନେଙ୍କୁ ବିରୋଧ କରୁନାହିଁ। କିନ୍ତୁ ପ୍ରଦର୍ଶନ ଓ ଅଭିଜ୍ଞତା ସୃଷ୍ଟିକୋଣରୁ ରୋହିତଙ୍କୁ ନେତୃତ୍ୱ ନେବାକୁ ହେବ। ସେ ମଧ୍ୟ ନିଜ ନେତୃତ୍ୱର ପରାକାଷ୍ଠାକୁ ପ୍ରମାଣିତ କରିଛନ୍ତି। ଓପନର ହିସାବରେ ମଧ୍ୟ ରୋହିତଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟ୍ରେଲିଆ ମାଟିରେ ରୋହିତ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ୨୦୦୮ରେ ନୂଆକରି ଆସିଥିଲେ ମଧ୍ୟ ରୋହିତ ଅଷ୍ଟ୍ରେଲିଆରେ ଭଲ ଖେଳିଥିଲେ। ବିଦେଶରେ ଖେଳିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। କିନ୍ତୁ ରୋହିତ ଫର୍ମରେ ଥିଲେ ବିପକ୍ଷ ଦଳ ପାଇଁ ସମସ୍ୟା ସୃଷ୍ଟି କରିବେ। ୨୦୦୪ ସିରିଜରେ ବୀରେନ୍ଦ୍ର ସେହ୍ବାଗ ଯେପରି ଖେଳିଥିଲେ ରୋହିତ ମଧ୍ୟ ଠିକ୍‌ ସେହିଭଳି ଖେଳିପାରିବେ। ୩ ନମ୍ବରରେ ପୂଜାରାଙ୍କ ଭୂମିକାର ଗୁରୁତ୍ୱ ଆହୁରି ବଢିବ। କୋହଲିଙ୍କ ଅନୁପସ୍ଥିତିରେ ରାହାନେ ୪ ନମ୍ବରରେ ବ୍ୟାଟିଂ କରିବେ। ଗତ ସିରିଜ୍‌ରେ ପୂଜାରା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ତେବେ କୋହଲିଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ଭାରତ ଭଲ ଦଳ ହୋଇଥିଲେ ମଧ୍ୟ କୋହଲିଙ୍କ ଅନୁପସ୍ଥିତି ଖେଳାଳିମାନେ ଅନୁଭବ କରିବେ। ଓ୍ବାର୍ମ- ଅପ୍‌ ଗେମ୍‌ ପରେ ସିରିଜର ଫଳାଫଳ ନେଇ ଭବିଷ୍ୟବାଣୀ କରି ହେବ ବୋଲି ଇର୍ଫାନ କହିଛନ୍ତି।

Share