କାଣୀଗୁମାରେ ମର୍ମନ୍ତୁଦ ଦୁର୍ଘଟଣା; ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କାରେ ଯୁବକ ମୃତ

ଥୁଆମୂଳ ରାମପୁର,୨୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣୀଗୁମା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁଣପୁର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ଲାମର ବାଇକ୍ ଏବଂ ବିପରୀତ ଦିଗରୁ ଆସୁଥିବା ଏଚ୍.ଏଫ୍. ଡିଲକ୍ସ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଅମଠଗୁଡ଼ା ଗ୍ରାମର ସାଧୁରାମ ନାଏକଙ୍କ ପୁଅ ଦୀପକ କୁମାର ନାଏକ (୨୭) ରବିବାର ରାତ୍ରୀ ପ୍ରାୟ ୯:୪୫ ମିନିଟ୍ ସମୟରେ କାଣୀଗୁମା ଖଣ୍ଡୁଆଲା ମହୋତ୍ସବ ଦେଖି ସାରି ନାକରୁଣ୍ଡି ସ୍ଥିତ ମୋହନଗିରି ଅଞ୍ଚଳକୁ ଦଶହରା ଦେଖିବାକୁ ଯାଉଥିଲେ। ସେହି ସମୟରେ ଜାକମ୍ ଗ୍ରାମର ୩ ଜଣ ଯୁବତୀ ଓ ଜଣେ ଯୁବକ ଏକ ଗ୍ଲାମର ବାଇକ୍ (ନମ୍ବର- ଓଡ଼ି ୦୮ ଆର୍ ୬୧୫୫) ଯୋଗେ ଗୁଣପୁର ପଟୁ କାଣୀଗୁମା ଯାତ୍ରା ଦେଖିବାକୁ ଆସୁଥିଲେ। ସ୍ୱାସ୍ଥ୍ୟ ସ୍ୱରାଜ ନିକଟସ୍ଥ କଫି ପ୍ଲାଣ୍ଟେସନ୍ ପାଖରେ ଉଭୟ ଗାଡ଼ି ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଏଚ୍.ଏଫ୍. ଡିଲକ୍ସ ଗାଡ଼ି ଚଳାଉଥିବା ଦୀପକ କୁମାର ନାଏକଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ପଟେ ଥିବା ୪ ଜଣ ଆହତ ଯୁବତୀଯୁବକଙ୍କୁ ପ୍ରଥମେ କାଣୀଗୁମା ସ୍ୱାସ୍ଥ୍ୟ ସ୍ୱରାଜ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ଅଧିକ ଚିକିତ୍ସା ପାଇଁ ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ମୃତକଙ୍କ ପିତା ସାଧୁରାମ ନାଏକ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନମ୍ବର- ୧୭୪/୨୬) ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସକାଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅଘଟଣରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Dharitri – Odisha’s No.1 Odia Daily

Share
Tags: accident