ନଦୀ ଓ ପ୍ଲାଷ୍ଟିକ୍‌ ପ୍ରଦୂଷଣ

ମିରେଇ ଏଣ୍ଡାରା ଦେ ହେରାସ

 

ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦୂର କରିବାକୁ ଏକ ନୂତନ ଚୁକ୍ତି ପାଇଁ ମିଳିତ ଜାତିସଂଘ ଚେଷ୍ଟା ଜାରି ରଖିଛି ଓ ଏଥିପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତିନାମାରେ କେବଳ ପ୍ଲାଷ୍ଟିକ୍‌ ଉତ୍ପାଦନ ହ୍ରାସ ନୁହେଁ ବରଂ ଏବକାର ପ୍ଲାଷ୍ଟିକ୍‌ ବର୍ଜ୍ୟ ଅପସାରଣ ଏବଂ ରିସାଇକେଲିଂ ଲାଗି ସ୍ଥାନୀୟ ପଦକ୍ଷେପକୁ ଦୃଢ଼ କରିବାରେ କାର୍ଯ୍ୟ କରିବାକୁ ସରକାରଗୁଡ଼ିକୁ ନିଶ୍ଚିତ କରିବାକୁ ହେବ। ମୁଁ ରହୁଥିବା ସହର ପାନାମା ସିଟି ଦେଇ ପ୍ରବାହିତ ଜୁଆନ ଡିଆଜ ନଦୀ କଥା ବିଚାର କରାଯାଉ। ଦୁର୍ବଳ ବର୍ଜ୍ୟ ପରିଚାଳନା କାରଣରୁ ଅନେକ ଟନ୍‌ ପ୍ଲାଷ୍ଟିକ୍‌ ବୋତଲ ଏବଂ ଅନ୍ୟାନ୍ୟ ଆବର୍ଜନା ନଦୀ ସ୍ରୋତରେ ପ୍ରବାହିତ ହେଉଛି। ଏହି ସମସ୍ୟାର ସମ୍ମୁଖୀନ ହେବା ପରେ ମାରିଆ ଭର୍ଡେ (ଗ୍ରୀନ୍‌ ଟାଇଡ) ନାମକ ଏକ ଅଣ-ଲାଭକାରୀ ସଂଗଠନ(ଏନ୍‌ପିଓ) ପ୍ରଦୂଷଣ ଦୂର ଉପରେ କାର୍ଯ୍ୟ କରୁଛି ଏବଂ ମୁଁ ଏହାର ସହ-ପ୍ରତିଷ୍ଠାତା। ଓ୍ବାଣ୍ଡା ଡିଭାଇସ ନାମକ ଏକ ଆବର୍ଜନା ସଂଗ୍ରହକାରୀ ୱାଟର ହ୍ବିଲ୍‌କୁ କାର୍ଯ୍ୟରେ ଲଗାଯାଇଛି। ନଦୀ ପାଣିରେ ପ୍ରବାହିତ ବର୍ଜ୍ୟ ସମୁଦ୍ରରେ ପହଞ୍ଚିବା ପୂର୍ବରୁ ଏହି ଯନ୍ତ୍ର ବର୍ଜ୍ୟର ସିଂହଭାଗ ସଂଗ୍ରହ କରିନେଉଛି।
ବିଶ୍ୱ ଜଳବାୟୁ ଲକ୍ଷ୍ୟଗୁଡ଼ିକ ହାସଲ କରିବା ପାଇଁ ଆମଭଳି ସ୍ଥାନୀୟ ବା ଆଞ୍ଚଳିକ ପଦକ୍ଷେପ ଆବଶ୍ୟକ। ବିଶେଷକରି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦୂରକରିବା ସକାଶେ ଏହା କରାଯିବା ଦରକାର। ମୋ ମତରେ ଜାତିସଂଘର ନୂତନ ଚୁକ୍ତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଛାଡ଼ି କେବଳ କ୍ଷମତାରେ ଥିବା ଲୋକେ ନେଉଥିବା ନିଷ୍ପତ୍ତି ଭଳି ପଦକ୍ଷେପଗୁଡ଼ିକରେ ସମନ୍ବୟ ରକ୍ଷାକରିବା ଉଚିତ। ଏହା ବ୍ୟତୀତ ଏହି ଚୁକ୍ତି ପ୍ଲାଷ୍ଟିକ୍‌ ଉତ୍ପାଦନକୁ ହ୍ରାସ କରିବା ଏବଂ ଏହି ଉତ୍ପାଦଗୁଡ଼ିକରେ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ। ପୃଥିବୀର ବିଭିନ୍ନ ଜଳପଥକୁ ବନ୍ଦ କରି ପରିବେଶକୁ କ୍ଷତି ପହଞ୍ଚାଉଥିବା ଅନେକ କୋଟି ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକର ରିସାଇକେଲିଂ, ପୁନଃବ୍ୟବହାର କିମ୍ବା ରୂପାନ୍ତର ପାଇଁ ପ୍ରୟାସ କରିବା ଉଚିତ। ଅନ୍ୟଥା ୨୦୫୦ ସୁଦ୍ଧା ମହାସାଗରରେ ମାଛଠାରୁ ପ୍ଲାଷ୍ଟିକ୍‌ର ପରିମାଣ ଅଧିକ ହୋଇଯିବ। ମାଇକ୍ରୋପ୍ଲାଷ୍ଟିକ୍‌(ସୂକ୍ଷ୍ମ ପ୍ଲାଷ୍ଟିକ କଣିକା) ଦ୍ୱାରା ନୂଆ ରୋଗ ସୃଷ୍ଟି ହେବ। ଏହି ସୂକ୍ଷ୍ମ କଣିକା ମଣିଷ ରକ୍ତରେ ପୂର୍ବରୁ ଚିହ୍ନଟ ହୋଇସାରିଛି ଓ ଏହା ସମସ୍ତଙ୍କଠାରେ ଦେଖାଦେଇପାରେ। ଏବେସୁଦ୍ଧା ଏହି ଚୁକ୍ତି କିପରି ଭଲ ଭାବେ ଅଗ୍ରଗତି ହୋଇପାରିବ ତାକୁ ନେଇ ଅଂଶୀଦାରଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି। ଗତ ନଭେମ୍ବରରେ ନାଇରୋବିରେ ଅନୁଷ୍ଠିତ ହୋଇଥିବା ଚୁକ୍ତିନାମା ସମ୍ପର୍କିତ ଆଲୋଚନା ସମୟରେ ପ୍ଲାଷ୍ଟିକ୍‌ ଶିଳ୍ପ ଏବଂ କେତେକ ତୈଳ ଓ ପେଟ୍ରୋକେମିକାଲ ରପ୍ତାନିକାରୀ ଦେଶ ପ୍ଲାଷ୍ଟିକ୍‌ ରିସାଇକେଲିଂ ଏବଂ ପୁନର୍ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ। ଅପରପକ୍ଷରେ ପରିବେଶ ଅଭିଯାନକାରୀ ଏବଂ ଅନ୍ୟାନ୍ୟ ସରକାରଗୁଡ଼ିକ ପ୍ଲାଷ୍ଟିକ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଯକ୍ତି ବାଢ଼ିଥିଲେ। ୨୦୨୪ ଶେଷ ସୁଦ୍ଧା ଏହି ଦୁଇ ପକ୍ଷ ଏହା ଉପରେ ସହମତ ହେବା ସହିତ ସ୍ଥାନୀୟ ପଦକ୍ଷେପ ସହ ବୈଶ୍ୱିକ ଲକ୍ଷ୍ୟଗୁଡ଼ିକୁ ଯୋଡ଼ିପାରୁଥିବା ଏକ ସମନ୍ବିତ ଆଭିମୁଖ୍ୟ ଉପରେ ରାଜିହେବା ଉଚିତ।
ଅନ୍ତର୍ଜାତୀୟ ଯୋଜନା ଏବଂ ତୃଣମୂଳ ସ୍ତରର ବାସ୍ତବ ସ୍ଥିତି ମଧ୍ୟରେ ଥିବା ପାର୍ଥକ୍ୟ କିଭଳି ପ୍ରଗତିକୁ ରୋକିବା ସହ ଅବିଶ୍ୱାସବାଦ ସୃଷ୍ଟି କରେ ତାହା ସରକାରୀ ଏବଂ ଅଣ ଲାଭକାରୀ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରି ମୁଁ ପ୍ରଥମ ଥର ଅନୁଭବ କରିଛି । ସେଥିପାଇଁ ମାରିଆ ଭର୍ଡେ ଚିନ୍ତାଧାରାକୁ ଅନ୍ୟତ୍ର ସଫଳତାର ସହ କାର୍ଯ୍ୟକାରୀ କରାଯାଇଆସିଛି। ଆମେରିକାଠାରୁ ନାଇଜେରିଆ ଏବଂ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଆମ ପରିବେଶ ଏବଂ ସଂସ୍କୃତି ଯାଏ ଏହାକୁ ଉପଯୋଗ କରାଯାଇଛି। ଆମେ ବ୍ୟବହାର କରୁଥିବା ୱାଣ୍ଡା ଡିଭାଇସ ଏକ ସ୍ବଚ୍ଛ ଶକ୍ତି ପ୍ରଯୁକ୍ତି ଉପରେ ଆଧାରିତ। ଏହି ପ୍ରଯୁକ୍ତି ଆମେରିକାରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ବିଶେଷକରି ଉଷ୍ଣ ପରିସଂସ୍ଥା ପାଇଁ ଅନୁକୂଳ। ଓ୍ବାଣ୍ଡା ଗତ ଏକ ବର୍ଷ ମଧ୍ୟରେ ଜୁଆନ ଡିଆଜ ନଦୀରୁ ୧୩୦ ଟନ୍‌ରୁ ଅଧିକ ଆବର୍ଜନା ସଂଗ୍ରହ କରିଛି। ସମୁଦ୍ର ଓ ବେଳାଭୂମିରୁ ପ୍ଲାଷ୍ଟିିକ୍‌ ବର୍ଜ୍ୟ ସଂଗ୍ରହ ପଦକ୍ଷେପ ତୁଳନାରେ ଏହା ଏକ ଅଧିକ ପ୍ରଭାବଶାଳୀ । ଏହି ମଡେଲକୁ ବିଶ୍ୱ ସାରା କାର୍ଯ୍ୟକାରୀ କରାଗଲେ ଭୂପୃଷ୍ଠରେ ସୃଷ୍ଟି ହେଉଥିବା ବର୍ଜ୍ୟକୁ ଅତ୍ୟଧିକ ହ୍ରାସ କରାଯାଇପାରିବ, ଯାହା ମହାସାଗରରେ ୮୦% ପ୍ଲାଷ୍ଟିକ୍‌ ପ୍ରଦୂଷଣର କାରଣ ପାଲଟୁଛି।
ସୌଭାଗ୍ୟବଶତଃ ନୂତନ ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ସମୁଦ୍ର ଭିତରକୁ ପ୍ରବେଶ କରାଇ ନ ଦେବା ଲାଗି ଅନ୍ୟ ସଙ୍ଗଠନଗୁଡ଼ିକ ମଧ୍ୟ ନଦୀ ସଫେଇ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ମାରିଆ ଭର୍ଡେ ସମେତ ଏହି ଗୋଷ୍ଠୀର ଆଠଟି ସଙ୍ଗଠନ କ୍ଲିନ୍‌ କରେଣ୍ଟସ୍‌ କୋଆଲିଶନ ବା ମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଏହି ମେଣ୍ଟ ହେଉଛି ବିଭିନ୍ନ ପ୍ରୋଜେକ୍ଟର ଏକ ନେଟଓ୍ବର୍କ, ଯାହା ସମଗ୍ର ବିଶ୍ୱରେ ନଦୀଗୁଡ଼ିକରେ ଅଭିନବ ବର୍ଜ୍ୟ ଅପସାରଣ ପ୍ରଯୁକ୍ତିକୁ ପରୀକ୍ଷଣ କରୁଛି। ଏହି ମେଣ୍ଟର ସଦସ୍ୟମାନେ ପ୍ରଯୁକ୍ତିଗତ ଜ୍ଞାନ ଶେୟାର କରିପାରିବେ ଏବଂ ମିଳିତ ଭାବରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସହିତ ପଦକ୍ଷେପକୁ ପ୍ରଭାବୀ ଢଙ୍ଗରେ ଉତ୍ସାହିତ ଏବଂ ସହଜ ମଧ୍ୟ କରିପାରିବେ।
ପ୍ଲାଷ୍ଟିକ୍‌ ସଙ୍କଟ ହେଉଛି ମାନବ କାର୍ଯ୍ୟକଳାପର ପରିଣାମ। ଏହାର ସମାଧାନ ପାଇଁ ସ୍ବଭାବଗତ ପରିବର୍ତ୍ତନ ଆବଶ୍ୟକ, ଯାହା କେବଳ ସ୍ଥାନୀୟ ସମ୍ପ୍ରଦାୟ ବା ସମୁଦାୟକୁ ଜଡ଼ିତ କରାଇପାରୁଥିବା ପଦକ୍ଷେପଗୁଡ଼ିକ ମାଧ୍ୟମରେ ସମ୍ପନ୍ନ ହୋଇପାରିବ। ଉଦାହରଣ ସ୍ବରୂପ, ମାରିଆ ଭର୍ଡେ ରିସାଇକେଲିଂ ସୁବିଧା ନ ଥିବା ଅଞ୍ଚଳରେ ବାସିନ୍ଦାମାନଙ୍କୁ ଘରକୁ ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ସଂଗଠିତ ଏବଂ ସଶକ୍ତ କରିଥାଏ । ଫଳସ୍ବରୂପ ଅନେକ ଲୋକ ସେମାନଙ୍କ ଚାରିପାଖ ପରିବେଶର ଉନ୍ନତି ପାଇଁ ସେମାନଙ୍କର ଦକ୍ଷତା ବିଷୟରେ ଅବଗତ ହୋଇଛନ୍ତି। ସେମାନେ ଆଖପାଖରେ କରାଯାଉଥିବା ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିବା, ସବୁଜ ସ୍ଥାନର ପୁନରୁଦ୍ଧାର ଏବଂ ଉନ୍ନତ ବର୍ଜ୍ୟ ପରିଚାଳନା ପାଇଁ ଅନ୍ୟମାନଙ୍କୁ ବୁଝାଇବା ଲାଗି ଆଗେଇ ଆସିଛନ୍ତି।
ତେବେ ପାନାମା ସମେତ ଅନେକ ବିକାଶଶୀଳ ଦେଶରେ ସ୍ଥାନୀୟ ତଥ୍ୟର ଅଭାବ ଯୋଗୁ ପ୍ରଦୂଷଣ ହ୍ରାସ ପାଇଁ ଉପଯୁକ୍ତ ଜଳବାୟୁ ନୀତି ପ୍ରଣୟନ କରିବା କଷ୍ଟକର ହୋଇପାରେ । ସେଥିପାଇଁ ପାନାମାର ନଦୀଗୁଡ଼ିକରେ ପ୍ଲାଷ୍ଟିକ୍‌ ଆବର୍ଜନାର ପ୍ରକାର ଓ ପରିମାଣ ଉପରେ ମାରିଆ ଭର୍ଡେ ମଧ୍ୟ ଡାଟାବେସ୍‌ ନିର୍ମାଣ କରୁଛି । ଏହା ତଥ୍ୟରେ ଉନ୍ନତି ଆଣିବ, ସହରୀ ଯୋଜନାରେ ସାହାଯ୍ୟ କରିବା ସହ ସଙ୍କଟର ସ୍ତର ପ୍ରଦର୍ଶନ କରିପାରିବ। ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ସମସ୍ୟାର ଆକାର ଦେଖି ପଦକ୍ଷେପ ନେବାକୁ ପଡ଼ିବ। ଏଥିପାଇଁ ମିଳିତ ଜାତିସଂଘର ନୂତନ ଚୁକ୍ତିରେ ପ୍ଲାଷ୍ଟିକ ଉତ୍ପାଦନ ଉପରେ କଠୋର କଟକଣା ଲଗାଇ ଉପତ୍ାଦର ବ୍ୟବହାର ବନ୍ଦ କରିବା ସହ ସ୍ବଚ୍ଛତା ଉପରେ ଅଧିକ ପଦକ୍ଷେପ ନିଆଯିବା ଉଚିତ। ପ୍ଲାଷ୍ଟିକ୍‌ ସମସ୍ୟାର ମୁକାବିଲାର ଆଗରେ ରହିଥିବା ସ୍ଥାନୀୟ ସମୁଦାୟକୁ ମଧ୍ୟ ସମର୍ଥନ କରିବା ଆବଶ୍ୟକ। ଏହି ଗୋଷ୍ଠୀର ନୂତନତ୍ୱ ରଣନୀତି, ସାଧନ ଏବଂ ତଥ୍ୟ ସଂଗ୍ରହ କାର୍ଯ୍ୟ ବିଶ୍ୱ ସମୁଦାୟ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିପାରିବ। ଉଭୟ ଅନ୍ତର୍ଜାତୀୟ ନିୟମାବଳୀ ଏବଂ ସ୍ଥାନୀୟ ପଦକ୍ଷେପ ଆବଶ୍ୟକ । ତେବେ ଗୋଟିଏ ସମୁଦାୟ ଏବଂ ଗୋଟିଏ ନଦୀ ଦୃଷ୍ଟିକୋଣ ନେଇ ସ୍ଥାନୀୟ ପଦକ୍ଷେପ ସବୁ ଏବେ ଜାରି ରହିଛି ଏବଂ ଭିନ୍ନତା ପ୍ରଦର୍ଶନ କରୁଛି।
ପାନାମାର ପୂର୍ବତନ ପରିବେଶ ମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

ରାଷ୍ଟ୍ରପୁରୁଷ ଆମ୍ବେଡକର

ଭାରତରତ୍ନ ଡ. ଭୀମରାଓ ଆମ୍ବେଡକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ସେଥିପାଇଁ ସେ...

ଏଇ ଭାରତରେ

ସିଲିକୋସିସ୍‌ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଅନେକ ହଜାର ଆଦିବାସୀଙ୍କ ମୃତ୍ୟୁର କାରଣ ପାଲଟଛି। ଏହା ଏକପ୍ରକାର ଫୁସ୍‌ଫୁସ୍‌ ରୋଗ। କ୍ରିଷ୍ଟାଲାଇନ ସିଲିକା ଧୂଳି ନିଃଶ୍ୱାସରେ ଫୁସ୍‌ଫୁସକୁ...

ବିଷୁବ: ବିଶ୍ବାସ ଓ ବିଜ୍ଞାନ

ପ୍ରକୃତି ଓ ପରିବେଶ ସହିତ ଜୀବଜଗତ ଓତପ୍ରୋତ ଭାବେ ଜଡ଼ିତ। କେବଳ ଅନୁକୂଳ ପରିବେଶ ଯୋଗୁ ପୃଥିବୀରେ ସମ୍ଭବ ହୋଇଛି ଜୀବଜଗତର ସୃଷ୍ଟି ଓ ବିକାଶ।...

ଏପ୍ରିଲର ଇତିହାସ

୩ ବର୍ଷ ପୂର୍ବେ, ୧୫ ଏପ୍ରିଲ ୨୦୨୧ରେ କୋଭିଡ୍‌ ଉପରେ ୩ ମାସ ମଧ୍ୟରେ ନ୍ୟାଶନାଲ ଟାସ୍କଫୋର୍ସର ପ୍ରଥମ ବୈଠକ ହୋଇଥିଲା (ଶେଷ ବୈଠକ ୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri