ପ୍ରଭାବିତ ହେବ ନଦୀ ଓ ଖାଦ୍ୟ ସୁରକ୍ଷା

ଈପ୍ସିତା ମହାନ୍ତି

 

ନିକଟରେ ବ୍ରିଟେନ୍‌ର ଲିଡସ ବିଶ୍ବବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବର ଅନ୍ୟ ହିମନଦୀ ତୁଳନାରେ ହିମାଳୟ ଅଞ୍ଚଳର ହିମନଦୀଗୁଡ଼ିକ ଦ୍ରୁତଗତିରେ ଅସ୍ତିତ୍ୱ ହରାଇ ଚାଲିଛନ୍ତି। ମଧ୍ୟ ୟୁରୋପର ଆଲପସ, କକେସସ ଏବଂ ସ୍କେଣ୍ଡିନାଭିୟା ପରି ଏସବୁ ହିମନଦୀରେ ବରଫର ମାତ୍ରା ଲଗାତର ହ୍ରାସ ପାଉଛି। ବୈଜ୍ଞାନିକଙ୍କ ମତରେ ତ୍ରୟୋଦଶ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ହିମାଳୟସ୍ଥ ବରଫାବୃତ ଅଞ୍ଚଳର ପ୍ରାୟ ୪୦ ପ୍ରତିଶତ କ୍ଷେତ୍ର ସଂକୁଚିତ ହୋଇଛି। ଏହି ଅବଧିରେ ଏହାର କ୍ଷେତ୍ରଫଳ ୨୮ହଜାର ବର୍ଗ କିଲୋମିଟରରୁ ହ୍ରାସ ପାଇ ୧୯୬୦୦ବର୍ଗ କିଲୋମିଟରରେ ପହଞ୍ଚିଛି। ଗତ କିଛି ଦଶନ୍ଧି ମଧ୍ୟରେ ବରଫ ତରଳିବାର ହାର କ୍ରମଶଃ ବୃଦ୍ଧି ପାଇଛି, ଯାହାର ସମ୍ବନ୍ଧ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ। ବୈଜ୍ଞାନିକମାନେ ଗତ ଦୁଇ ଦଶନ୍ଧି ଧରି ହିମାଳୟସ୍ଥ ହିମନଦୀ ଉପରେ କେବଳ ଗବେଷଣା କରୁନାହାନ୍ତି ବରଂ ସେଠାରେ ବରଫ ତରଳିବାର କାରଣ ଓ ତାହାର ଗତି ସମ୍ବନ୍ଧରେ ଅଧ୍ୟୟନ ଜାରି ରଖିଛନ୍ତି। ଏଥିରୁ ହିମାଳୟ ଅଞ୍ଚଳରେ ୩୯୦ରୁ ୫୮୬ ଘନ କିଲୋମିଟର ପର୍ଯ୍ୟନ୍ତ ବରଫ ତରଳିଥିବା ଜଣାଯାଇଛି; ଯେଉଁଥିପାଇଁ ବିଶ୍ବ ବ୍ୟାପୀ ସାମୁଦ୍ରିକ ଜଳ ସ୍ତର ୦.୯୨ରୁ ୧.୩୮ମିଲିମିଟର ବୃଦ୍ଧି ଘଟିଛି।
ତରଳୁଥିବା ବରଫର ଆକଳନ ପାଇଁ ଅନୁସନ୍ଧାନକାରୀମାନେ ନାସାର ମାଧ୍ୟାକର୍ଷଣ ପୁନରୁଦ୍ଧାର ଏବଂ ଜଳବାୟୁ ପରୀକ୍ଷଣ ଉପଗ୍ରହକୁ ପ୍ରୟୋଗ କରିଛନ୍ତି। ଏହା ମାଧ୍ୟମରେ ହିମନଦୀରେ ବରଫ ତରଳିବାର କାରଣ ସହ ଦୁନିଆରେ ମାଧ୍ୟାକର୍ଷଣ ଶକ୍ତିର ତାରତମ୍ୟକୁ ମାପ କରାଯାଉଛି। ଏହା ସାହାଯ୍ୟରେ କେବଳ ସମୁଦ୍ରରେ ବଢୁଥିବା ଜଳସ୍ତରକୁ ମାପ କରାଯାଉ ନାହିଁ ବରଂ ପୃଥିବୀର କେଉଁ ଅଞ୍ଚଳରେ ଜଳ ଏବଂ ବରଫର ସ୍ତର ବୃଦ୍ଧି ପାଉଛି ତାହାର ସୂଚନା ମିଳୁଛି। ଗ୍ରୀନଲ୍ୟାଣ୍ଡ, ଆଲାସ୍କା ଏବଂ ହିମାଳୟ ଆଦି ଅଞ୍ଚଳରେ ହିମଖଣ୍ଡ ବଢୁଛି ନା କମୁଛି ତାହା ଜଣାପଡୁଛି। ସମୁଦ୍ର ପତ୍ତନ ସମଭାବରେ ବୃଦ୍ଧି ପାଉଛି ନା ସମୁଦ୍ରର ବିଭିନ୍ନ ଭାଗରେ ଜଳସ୍ତର ଭିନ୍ନ ଭିନ୍ନ ଭାବରେ ବୃଦ୍ଧି ପାଉଛି- ଏହା ଦ୍ବାରା ଏସବୁ ତଥ୍ୟ ସମୁଦ୍ର ବିଜ୍ଞାନୀମାନେ ସହଜରେ ଆକଳନ କରିପାରୁଛନ୍ତି।
ବ୍ରହ୍ମପୁତ୍ର, ଗଙ୍ଗା, ସିନ୍ଧୁ ଆଦି ଭାରତୀୟ ନଦୀଗୁଡ଼ିକୁ ହିମାଳୟସ୍ଥ ହିମଖଣ୍ଡ ଜଳ ଯୋଗାଇଥାଏ। ହିମାଳୟ ଅଞ୍ଚଳର ବରଫ ତରଳୁଥିବା ହେତୁ ଉକ୍ତ ନଦୀଗୁଡ଼ିକରେ କିଛି ସମୟ ପାଇଁ ଯଦିଓ ଜଳ ପ୍ରବାହ ସ୍ଥିର ରହିବ କିନ୍ତୁ ଆଗାମୀ ଦିନରେ ଏହି ନଦୀର ଜଳ ସ୍ତର ହ୍ରାସ ପାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପୂର୍ବ ନେପାଳ ଏବଂ ଭୁଟାନର ପୂର୍ବାଞ୍ଚଳରେ ବରଫ ଦ୍ରୁତ ଗତିରେ ତରଳୁଛି। ଭାରତରେ ପ୍ରାୟ ୨୦ଲକ୍ଷ ବର୍ଗ କିଲୋମିଟରରୁ ଊଦ୍ଧ୍ୱର୍ର୍ ଅଞ୍ଚଳ ବିବିଧ କୃଷି-ଜଳବାୟୁ କ୍ଷେତ୍ର ରହିଛି। ଏଥିମଧ୍ୟରେ ଉତ୍ତର-ପଶ୍ଚିମସ୍ଥ ଥର୍‌ ମରୁଭୂମିଠାରୁ ଲଦାଖର ଶୀତଳ ମରୁଭୂମି ପର୍ଯ୍ୟନ୍ତ ଶୁଷ୍କ ଅଞ୍ଚଳ ସହ ଉତ୍ତର-ପୂର୍ବ ଏବଂ ପଶ୍ଚିମ ଘାଟର କେତେକ ଅଧିକ ବୃଷ୍ଟିପାତ ଅଞ୍ଚଳ ଅନ୍ତର୍ଭୁକ୍ତ।
ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ସମ୍ପ୍ରତି ଜଳବାୟୁ ଢାଞ୍ଚାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ପ୍ରଥମତଃ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଶୀତଋତୁ ଯଥେଷ୍ଟ ପୂର୍ବରୁ ସମାପ୍ତ ହେଉଛି, ଗ୍ରୀଷ୍ମ ଋତୁ ମଧ୍ୟ ଶୀଘ୍ର ଚାଲି ଯାଉଛି। ଯେଉଁଥିପାଇଁ ବିହନ ଏବଂ ଫସଲ ଢାଞ୍ଚାରେ ପରିବର୍ତ୍ତନ ଦେଖାଗଲାଣି। ବିଶେଷଜ୍ଞଙ୍କ ମତରେ ପୂର୍ବାପେକ୍ଷା ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ୨୦୨୩ ଶେଷ ସୁଦ୍ଧା ସମୁଦ୍ର ପତ୍ତନ ୧ ମିଟର ବୃଦ୍ଧି ପାଇବ। ଏହି କାରଣରୁ କୋଲକାତା, ମୁମ୍ବାଇ, ସୁରଟ ଏବଂ ଚେନ୍ନାଇ ଭଳି ଉପକୂଳବର୍ତ୍ତୀ ସହର ଅଧିକ ମାତ୍ରାରେ ପ୍ରଭାବିତ ହେବ। ଭାରତର ସମୁଦ୍ର ପତ୍ତନ ୫୦ସେମି ବୃଦ୍ଧି ପାଇଲେ ଏସବୁ ସହରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ପୃଥିବୀର ଏକାଧିକ ଅଞ୍ଚଳରେ ସମୁଦ୍ର ପତ୍ତନର ବୃଦ୍ଧି ଘଟଣା ଦୃଶ୍ୟମାନ ହେବ; ଯାହା ଅନେକ ନିମ୍ନ ଉପକୂଳବର୍ତ୍ତୀ ସହର ଏବଂ ଛୋଟବଡ ଦ୍ୱୀପପୁଞ୍ଜ ପ୍ରତି ବିପଦ ସୃଷ୍ଟି କରିବ। ଭାରତରେ ୭୫୦୦ବର୍ଗ କିଲୋମିଟରର ବିସ୍ତୀର୍ଣ୍ଣ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବି ବଡ଼ ବିପଦ ସୃଷ୍ଟି କରିବ।
ଆଭ୍ୟନ୍ତରୀଣ ବିସ୍ଥାପନ ମନିଟରିଂ ସେଣ୍ଟରର ତଥ୍ୟ ଅନୁଯାୟୀ ୨୦୦୮ ରୁ ୨୦୧୮ମଧ୍ୟରେ ବିଶେଷତଃ ମୌସୁମୀ ବର୍ଷାଜନିତ ବନ୍ୟାରେ ପ୍ରାୟ ୩୬ଲକ୍ଷ ଭାରତୀୟଙ୍କ ବିସ୍ଥାପନ ହୋଇଥିଲା। ଏଥିଯୋଗୁ ସମସ୍ତ ଘରୋଇ ଉତ୍ପାଦ ଦୃଷ୍ଟିରୁ ସହସ୍ର କୋଟି ଟଙ୍କା ଅଯଥା ପାଣିରେ ପଡ଼ିଲା। ବାରମ୍ବାର ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ପ୍ରତିବର୍ଷ ଏକାଧିକ ସାମାଜିକ ଓ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଦଶନ୍ଧି ଧରି ସମୁଦ୍ର ପତ୍ତନର ବୃଦ୍ଧି ଜାରିରହିଛି। ଅଧ୍ୟୟନ ଅନୁଯାୟୀ ଏହି କାରଣରୁ ଅନେକ ଦ୍ୱୀପପୁଞ୍ଜ ଜଳମଗ୍ନ ହୋଇଛି। ସୁନ୍ଦରବନରେ ୩ଟି ଦ୍ୱୀପପୁଞ୍ଜ ଜଳମଗ୍ନ ହେବା ସହ ଅନ୍ୟ ଦ୍ୱୀପପୁଞ୍ଜ ମଧ୍ୟ ଆଜି ବୁଡ଼ିବା ଦ୍ବାରଦେଶରେ। ଆଗାମୀ ଦିନରେ ଏଭଳି ଅନେକ ଦ୍ୱୀପ ସମୁଦ୍ର ମଧ୍ୟରେ ଲୀନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶା ବି ଏଭଳି ସଂକଟରେ ପେଷି ହେଉଛି। ଗଞ୍ଜାମ ଜିଲା ପୋଡମପେଟ୍ଟାର କିଛି ଘର ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। ସେହିପରି କେନ୍ଦ୍ରାପଡା ଜିଲା ସାତଭାୟାର ୭ଖଣ୍ଡ ଗାଁକୁ ସମୁଦ୍ର ଗିଳି ସାରିଲାଣି।
ଜଳବାୟୁ ପରିବର୍ତ୍ତନର ବଢୁଥିବା ପ୍ରଭାବ ଯୋଗୁ ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇବ। କୃଷିକ୍ଷେତ୍ର ହ୍ରାସ ପାଇବ। ଖାଦ୍ୟ ସମସ୍ୟା ଦେଖାଦେବ। ଏହି ପରିପ୍ରେକ୍ଷୀରେ ଜଳବାୟୁ ଏବଂ ବିକାଶ ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅନେକ ପରିବାରକୁ ବିସ୍ଥାପିତ ହେବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ଲକ୍ଷଲକ୍ଷ ଲୋକଙ୍କୁ କେବଳ ସ୍ଥାନାନ୍ତର ହେବାକୁ ବାଧ୍ୟ କରିବ ନାହିଁ, ଭୟଙ୍କର ଖାଦ୍ୟ ସମସ୍ୟା ସହ ବାସସ୍ଥାନର ଅଭାବ ସୃଷ୍ଟି କରିବ। ତେଣୁ ଏ ଦିଗରେ ତୁରନ୍ତ ସକାରାତ୍ମକ ପଦକ୍ଷେପ ଜରୁରୀ।
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri