ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର ବିଷୟ, ଜୀବନଦାତ୍ରୀ ନଦୀକୁ ମାଆର ଆଖ୍ୟା ଦେଇଥିବା ଦେଶରେ ତାହାର ଏବକାର ସ୍ଥିତି ବର୍ଣ୍ଣନାତୀତ। ଭାରତରେ ନଦୀ ପ୍ରଦୂଷଣ ଭୟାବହ ରୂପ ଧାରଣ କରିଛି।
ନଦୀଜଳରେ ସ୍ବାଭାବିକ ପରିମାଣଠାରୁ ଅଧିକ କିମ୍ବା ବାହାରୁ ଆସିଥିବା କେତେକ କ୍ଷତିକାରକ ରାସାୟନିକ ପଦାର୍ଥ ମିଶିଲେ ଜଳ ପ୍ରଦୂଷିତ ହୋଇଥାଏ। କଳକାରଖାନା ଯୋଗୁ ନଦୀଜଳରେ ମୁଖ୍ୟତଃ ଭାରି ଧାତୁ ଯଥା: ସୀସା, ପାରଦ,କାଡ୍‌ମିୟମ, କ୍ରୋମିୟମ ଓ ଆର୍ସେନିକ ଆଦି ପଦାର୍ଥ ଜଳକୁ ପ୍ରଦୂଷଣ କରିଥାନ୍ତି ।
କୃଷି କାର୍ଯ୍ୟରୁ ଆସୁଥିବା ରାସାୟନିକ ପଦାର୍ଥ ମଧ୍ୟରେ ନାଇଟ୍ରେଟ୍‌,ଫସ୍‌ଫେଟ୍‌ ଓ କୀଟନାଶକ ମଧ୍ୟ ନଦୀଜଳ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇଥାଏ । ଘରୋଇ ଓ ସହରୀ ବର୍ଜ୍ୟବସ୍ତୁରୁ ଆସୁଥିବା ରସାୟନ ମଧ୍ୟରେ ଡିଟରଜେଣ୍ଟ ଏବଂ ସାବୁନ୍‌, ଯାହା ପାଣିରେ ଫେଣ ସୃଷ୍ଟିକରି ସୂର୍ଯ୍ୟକିରଣକୁ ଜଳ ଭିତରକୁ ଯିବାକୁ ଦେଇ ନ ଥାଏ। କ୍ଲୋରିନ୍‌ ଏବଂ ବ୍ଲିଚିଂ ପାଉଡର ଅତ୍ୟଧିକ ପରିମାଣରେ ମିଶି ଜଳର ପ୍ରାକୃତିକ ସନ୍ତୁଳନକୁ ବିଗାଡ଼ିଦେଇଥାଏ। କେମିକାଲ୍‌ ଫ୍ୟାକ୍ଟ୍ରିରୁ ନିର୍ଗତ ଏସିଡ୍‌ ଏବଂ କ୍ଷାର ମଧ୍ୟରେ ସଲ୍‌ଫ୍ୟୁରିକ୍‌ ଏସିଡ୍‌, ନାଇଟ୍ରିକ୍‌ ଏସିଡ୍‌ ନଦୀଜଳର ପିଏଚ୍‌ ସ୍ତରକୁ ବଦଳାଇ ଦିଅନ୍ତି, ଫଳରେ ଜଳ ଅତ୍ୟଧିକ ଅମ୍ଳୀୟ କିମ୍ବା କ୍ଷାରୀୟ ହୋଇଯାଏ, ଯାହା ଜୀବଜଗତ ପ୍ରତି ବିପଦ ସୃଷ୍ଟିକରେ ।
ପେଟ୍ରୋଲିୟମ ଏବଂ ତୈଳ ଜାତୀୟ ପଦାର୍ଥ ମଧ୍ୟରେ ଦେଖିଲେ ଗ୍ୟାରେଜରୁ ବାହାରୁଥିବା ପୋଡ଼ା ମୋବିଲ ଏବଂ ତେଲ ଧୋଇହୋଇ ନଦୀରେ ମିଶିଥାଏ। ଏହା ଜଳ ଉପରେ ଏକ ଅଦୃଶ୍ୟ ସ୍ତର ତିଆରି କରେ। ଫଳରେ ଅମ୍ଳଜାନ ଜଳ ଭିତରକୁ ଯାଇପାରେ ନାହିଁ ଏବଂ ଏହା ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ। ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟ ଅନୁସାରେ, ଭାରତର ସହରଗୁଡ଼ିକରୁ ବାହାରୁଥିବା ନର୍ଦ୍ଦମାଜଳର ମାତ୍ର ଏକତୃତୀୟାଂଶ ପରିଶୋଧନ କରାଯାଇଥାଏ, ବାକି ସବୁ ନଦୀକୁ ଦୂଷିତକରେ। ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌ ଏବଂ ପ୍ୟାକେଜିଂ ସାମଗ୍ରୀର ଅତ୍ୟଧିକ ବ୍ୟବହାର ନଦୀର ସ୍ବାଭାବିକ ଗତିପଥକୁ ଅବରୋଧ କରୁଛି। ନଦୀ ଶଯ୍ୟାରେ ଜମି ରହୁଥିବା ପ୍ଲାଷ୍ଟିକ୍‌ ଜଳକୁ ବିଷାକ୍ତକରିବା ସହ ଜଳଜୀବଙ୍କ ପାଇଁ କାଳ ସାଜିଛି। ନଦୀରେ ମୂର୍ତ୍ତି ବିସର୍ଜନ, ଶବ ସଂସ୍କାର ପରେ ପାଉଁଶ ଓ ଅଧାପୋଡ଼ା ଶବ ଭସାଇବା, ପୂଜା ସାମଗ୍ରୀ ଏବଂ ପଲିଥିନ୍‌ ବ୍ୟାଗ୍‌ ନଦୀରେ ପକାଇବା ଫଳରେ ପ୍ରଦୂଷଣ ବଢ଼ିଚାଲିଛି। ଏସବୁ ପଦାର୍ଥ ଓ ରାସାୟନିକ ଦ୍ରବ୍ୟ ନଦୀଜଳରେ ମିଶି ନଦୀଟି ‘ମୃତନଦୀ’ରେ ପରିଣତ ହେଉଛି।
ନଦୀଜଳର ପ୍ରଦୂଷଣ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ଏଥିନିମନ୍ତେ ସ୍ବତନ୍ତ୍ର ବ୍ୟୟବରାଦ କରାଯାଉଛି, ହେଲେ ଫଳ ଶୂନ। କେବଳ ଯୋଜନା ପ୍ରଣୟନ କଲେ କିମ୍ବା ବଜେଟ ପାସ୍‌କଲେ ନଦୀ ସଫା ହୁଏନାହିଁ, ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନର ଆବଶ୍ୟକତା ରହିଛି। ଆଇନ ଅଛି, ହେଲେ ପ୍ରଦୂଷଣ କରୁଥିବା କାରଖାନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପ୍ରତ୍ୟେକ କାରଖାନାରେ ‘ଶୂନ୍ୟ ତରଳ ନିର୍ଗମନ’ ବ୍ୟବସ୍ଥା ବାଧ୍ୟତାମୂଳକ କଲେ, ବିଷାକ୍ତ ପାଣି ଛାଡ଼ୁଥିବା ସଂସ୍ଥାର ଲାଇସେନ୍ସ ରଦ୍ଦ କଲେ, ୱେଷ୍ଟ ମ୍ୟାନେଜମେଣ୍ଟ ସହରଗୁଡ଼ିକରେ ଅତ୍ୟାଧୁନିକ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କଲେ, ନଦୀକୂଳରେ ଅଳିଆ ପକାଇଲେ କିମ୍ବା ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଫିଙ୍ଗୁଥିବା ସାଧାରଣ ଲୋକଙ୍କ ଉପରେ ବଡ଼ ଆକାରର ଜରିମାନା ଲାଗୁକଲେ, ନଦୀପଠାରେ ବ୍ୟାପକ ବୃକ୍ଷରୋପଣ କଲେ ନଦୀଜଳ ପ୍ରଦୂଷଣ ମୁକ୍ତ ହୋଇପାରିବ। କେବଳ ସରକାରଙ୍କ ଉପରେ ଦୋଷ ଲଦି ଖସି ନ ଯାଇ ଆତ୍ମସମୀକ୍ଷା କରିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଦେଶର ନାଗରିକଙ୍କ ମଧ୍ୟରେ ଆତ୍ମସମୀକ୍ଷା ଆସିନାହିଁ, ସେପର୍ଯ୍ୟନ୍ତ କୌଣସି ଯୋଜନା ସଫଳ ହୋଇପାରିବ ନାହିଁ।
ନଦୀକୁ ମାଆ ବୋଲି କହି ଅନ୍ୟପଟେ ତାକୁ ଅଳିଆଗଦା ଭାବିବା ଏକ ଦୋମୁହାଁ ନୀତି। ଏହାକୁ ତ୍ୟାଗ କରିବାକୁ ପଡ଼ିବ। ପୁରାଣ ଅନୁସାରେ, ନଦୀର ଜଳ ସମସ୍ତଙ୍କ ପାପ ଧୋଇଦିଏ। କିନ୍ତୁ ଆଜିର ଉପଭୋକ୍ତାବାଦୀ ସମାଜ ଓ ଶିଳ୍ପାୟନ ଦୌଡ଼ରେ ଆମେ ନଦୀର ଅସ୍ତିତ୍ୱକୁ ଧୋଇଦେବାକୁ ବସିଛୁ। ଆମର ଶ୍ରଦ୍ଧା ଆଜି କେବଳ ପୂଜାପାଠ ଏବଂ ଆଳତି ମଧ୍ୟରେ ସୀମିତ ହୋଇଯାଇଛି, ବାସ୍ତବରେ ଆମେ ନଦୀକୁ ତିଳତିଳକରି ମାରିବାକୁ ପଛାଉନାହୁଁ। ସମୟ ଆସିଛି, ଆମେ ସ୍ଲୋଗାନ କିମ୍ବା ଭାଷଣରେ ନଦୀର ଜୟଗାନ ନ କରି ନଦୀର ସୁରକ୍ଷା ପାଇଁ ଆଗେଇ ଆସିବା।
ମୋ: ୯୪୩୮୦୭୦୮୪୯

Odisha’s No.1 Odia Daily