ମୃତ୍ୟୁପଥରେ ନଦୀ

ବିଚିତ୍ର ବିଶ୍ୱାଳ

ଖରାଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ। ଖରାଦିନେ ଶୂନ୍ୟଗର୍ଭା ଥିବା ନଦୀଗୁଡ଼ିକ ବର୍ଷାଦିନେ ଅସମ୍ଭବ ଭାବେ ଫୁଲି ଉଠୁଛନ୍ତି। ମରୁଡ଼ିର ଶିକାର ହେବା ପରେ ପରେ ଲୋକମାନଙ୍କୁ ପୁଣି ବନ୍ୟାର ଦାଉ ସହିବାକୁ ପଡ଼ୁଛି। ଅନେକ ଧନ ଜୀବନ ନଷ୍ଟ ହେଉଛି। ଏପରି ପରିସ୍ଥିତି ପ୍ରାୟ ପ୍ରତି ବର୍ଷ ହେଉଥିବା ଦେଖିବାକୁ ମିଳୁଛି। ଖରାଦିନେ ଜଳାଭାବ ସହ ମରୁଡି ଜନିତ ଦୁଃଖ ମଧ୍ୟ ବଢିିବାରେ ଲାଗିଛି। ଆମ ରାଜ୍ୟ ଓଡ଼ିଶାରେ ଆମେ ଗତ କିଛିବର୍ଷ ହେବ ଏପରି ପରିସ୍ଥିତିକୁ ଅଙ୍ଗେ ଲିଭାଉଛନ୍ତି। ଲୋକମାନେ ପାଣି ପାଇଁ ହାହାକାର ହେଉଛନ୍ତି। ଏହା ଏକପ୍ରକାର ବିଡ଼ମ୍ବନା କହିଲେ ଅତ୍ୟୁକ୍ତି ହେବ ନାହଁି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏସବୁ କେବଳ ପ୍ରାକୃତିକ କାରଣରୁ ହେଉନାହଁି। ଏହା ପଛରେ ଆମର ତ୍ରୁଟିପୂର୍ଣ୍ଣ ନଦୀ ପରିଚାଳନା ହଁି ଦାୟୀ।
ଆମ ଦେଶରେ ନଦୀର ଅଭାବ ନାହଁି। ଆମେ ଜାଣିଛେ ଯେ, ବର୍ଷାପାଣିକୁ ଯଦି ନଦୀ ବାଟ ଦେଇ ଆମେ ସମୁଦ୍ର ମଧ୍ୟକୁ ଛାଡ଼ିଦେବା ତେବେ ପୁନଶ୍ଚ ଖରାଦିନେ ପାଣିର ଅଭାବ ହେବ ହଁି ହେବ। ଖରାଦିନେ ଆମେ ଯେଉଁ ଜଳସଙ୍କଟର ସମ୍ମୁଖୀନ ହେଉଛେ ସେଥିପାଇଁ ଏହା ମଧ୍ୟ ଦାୟୀ। ବର୍ଷା କେବଳ ପୃଥିବୀକୁ ଶୀତଳତା ନେଇ ଆସେନି, ବର୍ଷା ଆମ ପାଇଁ ସମୃଦ୍ଧି ଓ ସଂପନ୍ନତା ନେଇ ବି ଆସେ। କିନ୍ତୁ ଆମକୁ ସେହି ବର୍ଷାକୁ ତଥା ବର୍ଷାଜଳକୁ ଅତ୍ୟନ୍ତ ସାବଧାନତାର ସହିତ ବ୍ୟବହାର କରିବାକୁ ହେବ। ମଣିଷ ସମାଜ ପାଇଁ ଏତେ ସବୁ ସମୃଦ୍ଧି ନେଇ ଆସୁଥିବା ବର୍ଷାରେ ମଣିଷ ସମାଜର ବିପତ୍ତି ବି ଲୁଚି ରହିଛି। ସଂପ୍ରତି ପରିସ୍ଥିତି ଏପରି ହୋଇଛି ଯେ, ଯଦି କେବେ ଟିକେ ଅଧିକ ବର୍ଷା ହେଉଛି, ଦିନେ ଦୁଇଦିନ ଭିତରେ ନଦୀ ସବୁ ଫୁଲି ଉଠୁଛି ଓ ପରିଣାମ ସ୍ବରୂପ ତାହା ପ୍ରଳୟଙ୍କରୀ ବନ୍ୟାର ରୂପ ନେଉଛି। କାରଣ ଆମ ଦେଶର ନଦୀର ଗର୍ଭଗୁଡ଼ିକ ପ୍ରାୟତଃ ପୋତି ହୋଇପଡ଼ିଲାଣି। ସାମାନ୍ୟ ବି ଅଧିକ ବର୍ଷା ଜଳକୁ ତାହା ଆଉ ରଖିପାରୁ ନାହଁି। ଆମ ଦେଶର ଭିନ୍ନ ଭିନ୍ନ ସହରଗୁଡ଼ିକରେ ପ୍ରତି ବର୍ଷ ହେଉଥିବା ବନ୍ୟାର ଘଟଣାରୁ ଆମେ ତଥାପି ବି କିଛି ଶିକ୍ଷା ଲାଭ କରୁଥିବା ପରି ଜଣାପଡ଼ୁନାହଁି। ୨୦୧୫ରେ ଚେନ୍ନାଇ ସହରରେ ଯେଉଁ ବଡ଼ ବନ୍ୟା ହୋଇଥିଲା ଓ ଲୋକମାନଙ୍କ ଘରେ ପାଣି ପଶି ଯାଇଥିଲା ତା’ର ଏକମାତ୍ର କାରଣ ହେଉଛି, ସହରର ଲୋକମାନେ ନଦୀ ଗର୍ଭକୁ ଅଳିଆ ଆବର୍ଜନାରେ ଭରି ଦେଇଥିଲେ ଓ ସାମାନ୍ୟ ଅଧିକ ବର୍ଷା ହେବାରୁ ନଦୀ ଗର୍ଭରେ ପାଣି ଜାଗା ଧରିଲା ନାହଁି ଓ ପାଣି ଲୋକଙ୍କ ଘରେ ପଶିଲା। ବାଣିଜ୍ୟ ନଗରୀ ମୁମ୍ବାଇ ତ ଏବେ ବନ୍ୟାର ନଗରୀ ଭାବେ ପରିଗଣିତ ହେଲାଣି। ପ୍ରତିବର୍ଷ ବର୍ଷାଦିନେ ବନ୍ୟା ମୁମ୍ବାଇବାସୀଙ୍କ ପାଇଁ ଏକ ନିୟମିତ ସମସ୍ୟାରେ ପରିଣତ ହେଲାଣି। ଏହାର କାରଣ ବି ସମାନ। ମୁମ୍ବାଇବାସୀ ପ୍ରତିଯୋଗିତାର ସହ ତାଙ୍କ ଚାରିପଟେ ଥିବା ନଦୀ ଗୁଡ଼ିକୁ ପୋତିବାରେ ଲାଗିଛନ୍ତି। ରାଜଧାନୀ ଦିଲ୍ଲୀ ବି ଏହି ସମସ୍ୟାରୁ ମୁକ୍ତ ନୁହେଁ। ଦିଲ୍ଲୀର ଯମୁନା ନଦୀରେ ପ୍ରତି ଦିନ ଟନ୍‌ ଟନ୍‌ ଆବର୍ଜନା ପଡ଼ୁଛି ଓ ଦିନକୁ ଦିନ ଯମୁନା ପୋତି ହେବାରେ ଲାଗୁଛି। ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ଦିଲ୍ଲୀ ମେଟ୍ରୋ ସମେତ ଅନେକ ଅନୁଷ୍ଠାନକୁ ଏଥିନେଇ ଚେତେଇବା ସତ୍ତ୍ୱେ ବି ପରିସ୍ଥିତିରେ ସୁଧାର ହେଉଥିବାର ଦେଖାଯାଉନାହଁି। ନିର୍ମାଣ କାମରୁ ବାହାରୁଥିବା ମାଟି ଓ ଅନ୍ୟାନ୍ୟ ଆବର୍ଜନାକୁ ଯମୁନା ନଦୀରେ ପକେଇବା ସାଧାରଣ ଘଟଣା ହୋଇଗଲାଣି। ନଦୀଗର୍ଭ ପୋତିହେବା ଦ୍ୱାରା କେବଳ ମଣିଷ ନୁହନ୍ତି, ପଶୁପକ୍ଷୀମାନେ ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟତଃ ଖରାଦିନେ ଏହା ଭୟଙ୍କର ହେଉଛି।
ଆମେ ସମସ୍ତେ ଜାଣିଛେ ଯେ, ସମଗ୍ର ଦେଶରେ ଆବର୍ଜନା ପ୍ରଚୁର ପରିମାଣରେ ବଢ଼ୁଛି ଓ ଆବର୍ଜନାକୁ ପକେଇବାର ସ୍ଥାନ ନିଅଣ୍ଟ ପଡ଼ୁଛି। ସାରା ଦେଶରେ ସମସ୍ତ ପ୍ରକାର ଆବର୍ଜନାକୁ ନଦୀ ମଧ୍ୟକୁ ଛାଡ଼ି ଦିଆଯାଉଛି। ନଦୀ ସବୁ ପୋତି ହୋଇପଡ଼ିବାର ଏହା ହଁି ପ୍ରମୁଖ କାରଣ। ନଦୀଗୁଡ଼ିକର ଏପରି ପରିସ୍ଥିତିରେ ସବୁଠାରୁ ଅଧିକ କୁପ୍ରଭାବ ପଡ଼ିବ ମଣିଷ ସମାଜ ଉପରେ। ସଂପ୍ରତି ଆମ ନଦୀଗୁଡ଼ିକ ସାମ୍‌ନାରେ ତିନୋଟି ମୁଖ୍ୟ ସମସ୍ୟା ଦେଖାଦେଉଛି। କମ୍‌ ପାଣି, ପୋତି ହୋଇପଡ଼ୁଥିବା ନଦୀଗର୍ଭ ଓ ପ୍ରଦୂଷଣ। ଜଳବାୟୁ ପରିବର୍ତ୍ତନ ଯୋଗୁ ବୃଷ୍ଟିପାତରେ ଭୀଷଣ ଅନିୟମିତତା ଦେଖାଦେଉଛି। ଯେତିକି ଦିନ ଧରି ଓ ଯେତିକି ପରିମାଣର ବର୍ଷା ହେବା କଥା ସେତିକି ଦିନ ଓ ସେତିକି ପରିମାଣର ବର୍ଷା ହେଉନାହଁି। କେଉଁଠି ପ୍ରଚୁର ବର୍ଷା ହେଉଛି ତ କେଉଁଠି ବହୁତ କମ୍‌ ବର୍ଷା ହେଉଛି। ଏସବୁ ପରିସ୍ଥିତି ନଦୀ ପାଇଁ ଅସ୍ତିତ୍ୱର ସଙ୍କଟ ଠିଆ କରିଛି। ବ୍ରହ୍ମପୁତ୍ର, ଗଙ୍ଗା, ମହାନଦୀ ଓ ବ୍ରାହ୍ମଣୀ ଆଦି ବଡ଼ ନଦୀଗୁଡ଼ିକ ରାସ୍ତାରେ ପ୍ରଚୁର ବର୍ଷା ହେଉଛି ଓ ଏଥିରେ ସର୍ବନିମ୍ନ ପ୍ରବାହ ୪.୭ ଲକ୍ଷ ଘନମିଟର ପ୍ରତି ବର୍ଗ କିଲୋମିଟର ହେଉଛି। କୃଷ୍ଣା, ସିନ୍ଧୁ, ତାପ୍ତି, ନର୍ମଦା ଓ ଗୋଦାବରୀ ଆଦି ନଦୀଗୁଡ଼ିକ ରାସ୍ତାରେ କମ୍‌ ବର୍ଷା ହେଉଛି ଓ ଏଥିରେ ଜଳ ପ୍ରବାହ ୨.୬ ଲକ୍ଷ ଘନମିଟର ପ୍ରତି ବର୍ଗ କିଲୋମିଟର ହେଉଛି। କମ୍ପାନୀଗୁଡ଼ିକୁ ପାଣି, ଜଳସେଚନ, ବଡ଼ ବନ୍ଧ ନିର୍ମାଣ ଆଦି ଯୋଗୁ ନଦୀର ପ୍ରାକୃତିକ ସ୍ବରୂପ ବିଗିଡ଼ିବାରେ ଲାଗୁଛି ଓ ପରିଣାମ ସ୍ବରୂପ ନଦୀରେ ପାଣି କମ୍‌ ରହୁଛି। ଭାରତୀୟ ନଦୀଗୁଡ଼ିକରେ ପ୍ରତି ବର୍ଷ ୧୬୪୫ ଘନ କିଲୋଲିଟର ପାଣି ପ୍ରବାହିତ ହୁଏ, ଯାହା ସାରା ବିଶ୍ୱର ୪.୪୪ ପ୍ରତିଶତ। ଜଳ ସମ୍ପଦ କ୍ଷେତ୍ରରେ ଭାରତବର୍ଷ ସାରା ବିଶ୍ୱରେ ଅଧିକ ସମୃଦ୍ଧ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ସମୁଦାୟ ପାଣିର ୫୦ ପ୍ରତିଶତରୁ ଅଧିକ ବର୍ଷାଋତୁ ତିନି ମାସରେ ସମୁଦ୍ରକୁ ଚାଲିଯାଉଛି ଓ ନଦୀ ଶୁଖିଲା ପଡ଼ୁଛି। ଜଙ୍ଗଲ ଧ୍ୱଂସ, ଖଣି ଖନନ, ବିସ୍ଫୋଟକ ଆଦିର ବ୍ୟବହାର ଯୋଗୁ ଅନେକ ପ୍ରକାର ଆବର୍ଜନା ଯାଇ ନଦୀରେ ମିଶୁଛି। ତେଣୁ ନଦୀର ଗର୍ଭ ପୋତି ହେଉଛି। ବେଳେବେଳେ ନଦୀ ମରିଯାଉଛି ନଚେତ୍‌ ତା’ର ଗତିପଥ ବଦଳି ଯାଉଛି। କଳ କାରଖାନାର ଆବର୍ଜନା, ଘରର ଆବର୍ଜନା, ଜମିରେ ବ୍ୟବହାର ହେଉଥିବା ବିଷାକ୍ତ ରାସାୟନିକର ଅବଶିଷ୍ଟାଂଶ ଆଦି ଯୋଗୁ ନଦୀର ପବିତ୍ର ଜଳ ମଧ୍ୟ ଦ୍ରୁତ ଗତିରେ ବିଷାକ୍ତ ହେବାରେ ଲାଗୁଛି।
ଆଜି ଆମ ଦେଶର ୭୦ ପ୍ରତିଶତ ନଦୀ ପ୍ରଦୂଷିତ ଓ ମୃତ୍ୟୁ ପଥରେ। ଗୁଜରାଟର ଅମଲାଖେଡ଼ି, ସାବରମତୀ ଓ ଖାରୀ, ହରିୟାଣାର ମାରକଣ୍ଡା, ମଧ୍ୟପ୍ରଦେଶର ଖାନ୍‌, ଉତ୍ତର ପ୍ରଦେଶର କାଲୀ ଓ ହିଣ୍ଡନ, ଆନ୍ଧ୍ରପ୍ରଦେଶର ମୁଂସୀ, ଦିଲ୍ଲୀର ଯମୁନା ଓ ମହାରାଷ୍ଟ୍ରର ଭୀମା ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ୧୦ଟି ନଦୀ। ପରିସ୍ଥିତି ଏପରି ହୋଇଛି ଯେ, ଆମ ଦେଶର ୨୭ଟି ନଦୀ, ନଦୀର ମାନକ ପୂରଣ କରୁନାହାନ୍ତି। ଏତଦ୍‌ବ୍ୟତୀତ ଗଙ୍ଗା ହେଉ କି ଯମୁନା, ମହାନଦୀ ହେଉ କି ଗୋଦାବରୀ, କୃଷ୍ଣା, କାବେରୀ, ବ୍ରହ୍ମପୁତ୍ର, ଝେଲମ୍‌, ସତଲେଜ, ରାବୀ ଆଦି ସମସ୍ତ ନଦୀ ସଂପ୍ରତି ପ୍ରଦୂଷିତ ଓ ନିଜ ଅସ୍ତିତ୍ୱର ସଙ୍କଟରେ। ଗତ ପଚାଶ ବର୍ଷ ମଧ୍ୟରେ ଅନିୟନ୍ତ୍ରିତ ବିକାଶ, ଔଦ୍ୟୋଗୀକରଣ ଆଦି ଯୋଗୁ ମଣିଷର ଭାବନାରେ ବହୁତ ପରିବର୍ତ୍ତନ ଆସିଛି। ଅତି ପବିତ୍ର ଭାବେ ଦେଖାଯାଉଥିବା ଏହି ସବୁ ନଦୀର ଜଳକୁ ଆଜି ପବିତ୍ର ନୁହେଁ କେବଳ ଏକ ସଂସାଧନ ଭାବେ ଦେଖାଯାଉଛି ଓ ତାକୁ କେତେ ଅଧିକ ଶୋଷଣ କରିହେବ ସେହି ବ୍ୟବସ୍ଥା ଚାଲୁଛି। ଆମେ ଭୁଲିଯିବା ଉଚିତ ନୁହେଁ ଯେ, ନଦୀ ଉପରେ ସଙ୍କଟ କେବଳ ନଦୀର ସଙ୍କଟ ନୁହେଁ। ଏହା ସମଗ୍ର ମାନବ ସମାଜ ଓ ଜୀବଜଗତ ଉପରେ ସଙ୍କଟ। କାରଣ ନଦୀ ସହିତ ଜଙ୍ଗଲ, ପାହାଡ଼, ଜୀବଜନ୍ତୁ, ଜନଜୀବନ ଆଦି ଅତି ଗଭୀର ଭାବେ ଜଡ଼ିତ। ତେଣୁ ନଦୀଗୁଡ଼ିକୁ ଉପଯୁକ୍ତ ଭାବେ ପରିଚାଳନା କରି ତାଙ୍କ ଅସ୍ତିତ୍ୱର ସୁରକ୍ଷା କରିବାକୁ ପଡ଼ିବ ଓ ଫଳସ୍ବରୂପ ଏହା ମାନବ ସମାଜ ପାଇଁ ବରଦାୟକ ସାବ୍ୟସ୍ତ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
bichitrabiswal@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri