Categories: ଖେଳ

ଆଉ ୨ ଟେଷ୍ଟର ସମ୍ମୁଖୀନ ହେବେ ଋତୁରାଜ: ସିଏସ୍‌କେ ବାୟୋ-ବବଲକୁ ଫେରିଲେ ୧୧ ସଦସ୍ୟ

ଦୁବାଇ,୧୪।୯(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ୍‌ ଆଉ ୨ଟି କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଗତମାସ ସେ କୋଭିଡ୍‌-୧୯ ପଜିଟିଭ ବୋଲି ଟେଷ୍ଟରୁ ଜଣାପଡିଥିଲା। ତେଣୁ ରବିବାର ସେ ଆଉ ଦୁଇଟି ଟେଷ୍ଟର ସମ୍ମୁଖୀନ ହେବେ। ଏଥି ସହିତ ସେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କେତୋଟି ମ୍ୟାଚ୍‌ ନ ଖେଳିବା ନିଶ୍ଚିତ ହୋଇଛି। ସିଏସ୍‌କେ ଦଳର ୧୩ଜଣ କୋଭିଡ୍‌ ପଜିଟିଭ ବୋଲି ଜଣାପଡିଥିଲା। ଏମାନଙ୍କ ମଧ୍ୟରେ ୨ ଖେଳାଳି ଋତୁରାଜ ଓ ଦୀପକ ଚହର ସାମିଲ ଥିଲେ।
ନିୟମ ଅନୁସାରେ ଋତୁରାଜ ରବିବାର ଓ ସୋମବାର ଆଉ ୨ଟି ପରୀକ୍ଷାର ସମ୍ମୁଖୀନ ହେବେ। ଯଦି ତାଙ୍କର ରିପୋର୍ଟ ନେଗେଟିଭ ବାହାରିବ ତେବେ ସେ ଟିମ୍‌ ହୋଟେଲ ବବଲକୁ ଫେରିବେ। ନେଗେଟିଭ୍‌ ରିପୋର୍ଟ ବାହାରିଥିବା ଅନ୍ୟ ୧୧ଜଣ ଷ୍ଟାଫ୍‌ମାନେ ଦଳରେ ସାମିଲ ହୋଇଛନ୍ତି ଓ ଟ୍ରେନିଂରେ ଯୋଗ ଦେଇଛନ୍ତି ବୋଲି ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ୍‌. ବିଶ୍ୱନାଥନ କହିଛନ୍ତି।
ଚହରଙ୍କ ପରେ ଭାରତ ଏ’ ଦଳର ନିୟମିତ ସଦସ୍ୟ ରହିଆସୁଥିବା ଋତୁରାଜ କିଛିଦିନ ତଳେ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଥିଲେ। ତାଙ୍କୁ ରାଇନାଙ୍କ ବଦଳ ଖେଳାଳି ବୋଲି ବିବେଚନା କରାଯାଉଛି। ରାଇନା ବ୍ୟକ୍ତିଗତ କାରଣରୁ ଏଥର ଆଇପିଏଲ୍‌ରୁ ଓହରିଯାଇଥିଲେ। ଟେଷ୍ଟ ରିପୋର୍ଟରେ ପଜିଟିଭ ବାହାରିଲେ ଋତୁରାଜ ଗୋଟିଏ ସପ୍ତାହ ପରେ ଚୟନ ପାଇଁ ଉପଲବ୍ଧ ହେବେ। ଅର୍ଥାତ୍‌ ସେ ଆଇପିଏଲ୍‌ର ପ୍ରଥମ କେତୋଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।

Share