ଆଫଗାନିସ୍ତାନରେ ଯୌନ ଦାସତ୍ୱ ଆଶଙ୍କା ବଢ଼ିଲା…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ଦ୍ୱାରା ମହିଳାମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଜୁଲାଇ ଆରମ୍ଭରେ, ସେ ତାଲିବାନ ସଦସ୍ୟଙ୍କ ସହିତ ଦେଶର ୧୫ ବର୍ଷ ବାଳିକାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ସ୍ବାମୀଙ୍କୁ ହରାଇ ଥିବା ୪୫ ବର୍ଷରୁ କମ ବୟସ୍କା ମହିଳାଙ୍କର ବିବାହ କରାଇବା ଲାଗି  ବାଦଖଶନ ଏବଂ ତାଖର ଅଞ୍ଚଳର ସ୍ଥାନୀୟ ଧାର୍ମିକ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଏକ ତାଲିକାପ୍ରସ୍ତୁତ କରିବାକୁ କୁହାଯାଇଥିଲା।
ବିବାହ ପରେ ସମ୍ପୃକ୍ତ ମହିଳାମାନଙ୍କୁ ପାକିସ୍ତାନର ୱାଜିରିସ୍ତାନକୁ ନିଆଯାଇ ପୁନର୍ବାର ଇସଲାମିକ ଶିକ୍ଷା ପ୍ରଦାନ କରାଯିବାର ଯୋଜନା ମଧ୍ୟ କରାଯାଇଛି। ମାନବିକ ଅଧିକାରକର୍ମୀଙ୍କ ଅନୁସାରେ ଆଫଗାନିସ୍ତାନରେ ମହିଳାମାନଙ୍କୁ ଯୌନ ଦାସତ୍ୱକୁ ଠେଲିବାର ଷଡ଼ଯନ୍ତ୍ର କରାଯାଉଛି।
ଟରୋଣ୍ଟୋର ମ୍ୟାକଗିଲ ୟୁନିଭରସିଟିର ଆଇନ ତଥା ମାନବିକ ଅଧିକାରର ଆସୋସିଏଟ ପ୍ରଫେସର ବୃନ୍ଦା ନାରାୟଣଙ୍କ ଅନୁସାରେ ତାଲିବାନ ଆଦେଶ କାବୁଲରେ ପହଞ୍ଚିବା ପୂର୍ବରୁ ଦେଶର ମହିଳା ଏବଂ ସେମାନଙ୍କ ପରିବାର ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଫଳରେ ଗତ ୩ ମାସ ମଧ୍ୟରେ ପ୍ରାୟ ୯ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ୧୯୯୬ରେ ମଧ୍ୟ ଦେଶର ମହିଳାଙ୍କ ଅଧିକାର ଉପରେ ତାଲିବାନ ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଚାର କରାଯାଇଥିଲା। ସେମାନଙ୍କୁ ଶିକ୍ଷାଠାରୁ ଦୂରରେ ରଖାଯାଇଥିଲା, ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯାଇଥିଲା ଏବଂ ପୁରୁଷ ଅଭିଭାବକ ବିନା ଘରୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା। ।
ତାଲିବାନ ମହିଳାମାନଙ୍କୁ ପୁନର୍ବାର ଯୌନ ଦାସତ୍ୱକୁ ଠେଲିବା ଉଚିତ ନୁହେଁ ବୋଲି ପାକିସ୍ତାନର ଯୁବ ସାମାଜିକ କାର୍ଯ୍ୟକର୍ତ୍ତା ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଲିବାନ ଆତଙ୍କବାଦର ଶିକାର ହୋଇଥିବା ମଲାଲା କହିଛନ୍ତି ଯେ ତାଲିବାନ ଆଫଗାନିସ୍ତାନକୁ ଫେରିବା ପରେ ମହିଳାଙ୍କ ମଧ୍ୟରେ ପୁଣି ଆତଙ୍କ ଦେଖାଦେଇଛି।
୨୪ ବର୍ଷ ବୟସ୍କାର ମଲାଲା ଟୁଇଟ୍‌ କରି ଆଫଗାନିସ୍ତାନ ସାଧାରଣ ନାଗରିକ ଏବଂ ଶରଣାର୍ଥୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ବିଶ୍ୱ ସମୁଦାୟ ଦୃଷ୍ଟି ଦେବା ଆବଶ୍ୟକ। ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ମହିଳାମାନେ ଶିକ୍ଷା, ରୋଜଗାର ଏବଂ ରାଜନୈତିକ କ୍ଷେତ୍ରରେ ବିକାଶ କରିଥିଲେ। ତେବେ ଏବେ ପୁଣି ସେମାନଙ୍କ ଜୀବନଧାରଣ ମାନ ଉପରେ ବିପଦରେ ଆଶଙ୍କା ଦେଖାଦେଇଛି ବୋଲି ମଲାଲା କହିଛନ୍ତି।

Share