Categories: ଖେଳ

ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଲଞ୍ଚ୍‌ କଲେ ରିଜିଜୁ

ନୂଆଦିଲ୍ଲୀ,୧୫।୮(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଲଞ୍ଚ୍‌ କରିଛନ୍ତି। ସାରା ଦେଶରେ ଏହି ଇଭେଣ୍ଟ ଫିଟ୍‌ନେସ୍‌ରେ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି। ଏବେ ସାରା ଦେଶ ତଥା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ପ୍ରାସଙ୍ଗିକତା ରହିଛି। ଅଂଶଗ୍ରହଣକାରୀମାନେ ନିଜ ସ୍ଥାନ ଓ ଗତିରେ ଅଗଷ୍ଟ ୧୫ଠାରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଦୌଡ଼ି ପାରିବେ ବୋଲି କୁହାଯାଇଛି।
ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌), ଇଣ୍ଡୋ- ଟିବେଟାନ ବର୍ଡର ପୋଲିସ (ଆଇଟିବିପି) ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) ଭଳି ସଶସ୍ତ୍ର ବାହିନୀ ଦେଶର ଏହି ସର୍ବବୃହତ୍‌ ଦୌଡ଼ରେ ସାମିଲ ହେବେ। ଏମାନଙ୍କ ସହିତ ଯୋଗ ଦେବେ ଭାରତୀୟ ରେଲଓ୍ବେ, ସିବିଏସ୍‌ଇ ଓ ଆଇସିଏସ୍‌ଇ ସ୍କୁଲ। ନେହେରୁ ଯୁବା କେନ୍ଦ୍ର ସଙ୍ଗଠନ (ଏନ୍‌ଓ୍ବାଇକେଏସ୍‌) ଓ ନ୍ୟାଶନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌) ଅଫ୍‌ ୟଥ ଆଫୟାର୍ସ ଡିପାର୍ଟମେଣ୍ଟର ୭୫ ଲକ୍ଷ ଭଲ୍ୟୁଣ୍ଟିୟରମାନେ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଟ୍ରେନିମାନେ ଏହି ଇଭେଣ୍ଟରେ ଯୋଗ ଦେବେ। ପ୍ରୋକାମ ଓ ଗୋକ୍ୱି ଭଳି ଫିଟ୍‌ନେସ୍‌ କେର୍ପୋରେଟମାନେ ଏଥିରେ ସହଯୋଗ କରିବେ। ସ୍ବାଧୀନତା ଦିବସ ଉପଲକ୍ଷେ ବହୁ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେବେ। ଏହି ରନ୍‌ରେ ଅଂଶଗ୍ରହଣ ନେଇ ଉତ୍ସାହ ଦେଖି ବେଶ୍‌ ଅଭିଭୂତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲଞ୍ଚ୍‌ କରିଥିବା ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ଏହା ଏକ ଦୃଷ୍ଟି ଓ ଏହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି ବୋଲି ରିଜିଜୁ କହିଛନ୍ତି।

Share