Categories: ଖେଳ

ଆମେରିକା ଅଲିମ୍ପିକ୍ସ ଟିମ୍‌ରୁ ରିଚାର୍ଡସନ ବାଦ୍‌

ଓ୍ବାଶିଂଟନ,୮।୭(ଏପି): ବାସନ୍ଦ ହୋଇଥିବା ତାରକା ଧାବିକା ଶା’କେରୀ ରିଚାର୍ଡଶନ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଅଲିମ୍ପିକ ଟିମ୍‌ରୁ ବାଦ୍‌ ପଡିଛନ୍ତି। ଫଳରେ ସେ ଟୋକିଓ ଅଲିମ୍ପିକ୍ସରେ ଆମେରିକା ରିଲେ ଦଳରୁ ପ୍ରତିନିଧିତ୍ୱ ନ କରିବା ସ୍ପଷ୍ଟ ହୋଇଛି। ସେ ମଧ୍ୟ ୧୦୦ ମିଟର ବ୍ୟକ୍ତିଗତ ରେସ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ। ନିଷିଦ୍ଧ ମାରିଜୁଆନା କାରଣରୁ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ସେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଡୋପିଂ କାରଣରୁ ସେ ୟୁଗେନ, ଓରେଗନରେ ଗତମାସରେ ଅନୁଷ୍ଠିତ ଟ୍ରାଏଲରେ ଅଂଶଗ୍ରହଣ କରିପାରି ନ ଥିଲେ। ଫଳରେ ସେ ୧୦୦ ମିଟର ଦୌଡ ଇଭେଣ୍ଟରୁ ମଧ୍ୟ ବଞ୍ଚିତ ହେବେ।
ତାଙ୍କୁ ୩୦ ଦିନ ପାଇଁ ବାସନ୍ଦ କରାଯାଇଥିଲା। ତେବେ ଏହି ବାସନ୍ଦ ଅବଧି ରିଲେ ରେସ୍‌ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୫ ତାରିଖରେ ଶେଷ ହେବାର ଥିଲା। ସେ ମଧ୍ୟ ରିଲେ ରେସ୍‌ରେ ଅଂଶଗ୍ରହଣ କରିବାରେ କୌଣସି ସମସ୍ୟା ନ ଥିଲା। କିନ୍ତୁ ସେ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡର ୧୩୦ ଜଣିଆ ରୋଷ୍ଟର ତାଲିକାରୁ ବାଦ୍‌ ପଡିଛନ୍ତି। ଫଳରେ ୨୧ ବର୍ଷୀୟା ରିଚାର୍ଡସନ ରିଲେ ରେସ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ। ସେ ଅଲିମ୍ପିକ୍ସରେ ୧୦୦ ମିଟର ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ସେ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବା ନିଶ୍ଚିତ ହୋଇଛି। ଏହି ସ୍ଥିତି ପାଇଁ ରିଚାର୍ଡସନଙ୍କ ପାଇଁ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ତରଫରୁ ସମବେଦନା ଜଣାଯାଇଛି। ମାରିଜୁଆନା ନେଇ ଥିବା ନିୟମର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ତେବେ ଦଳ ଚୟନ ନେଇ ଆମେ ନିରପେକ୍ଷତା ଅବଲମ୍ବନ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛୁ ବୋଲି ଟ୍ରାକ୍‌ ଆଣ୍ଡ ଫିଲ୍ଡ ଟିମ୍‌ ତରଫରୁ କୁହାଯାଇଛି। ରିଲେ ରେସ୍‌ ପାଇଁ ବାକିଥିବା ସ୍ଥାନଗୁଡିକରେ ଷଷ୍ଠ ଓ ସପ୍ତମ ସ୍ଥାନ ଅଧିକାର କରିଥିତ୍ବା ଆଥ୍‌ଲେଟଙ୍କୁ ସ୍ଥାନ ମିଳିବ।
ଉଲ୍ଲେଖଥାଉ କି, ଜୁନ୍‌ ୧୯ ତାରିଖରେ ରିଚାର୍ଡସନ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ମା’ଙ୍କ ଦେହାନ୍ତ ଓ ଟ୍ରାଏଲର ପ୍ରସ୍ତୁତି ପାଇଁ ସେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ। ଫଳରେ ସେ ଡ୍ରଗ୍ସର ସହାୟତା ନେଇଥିଲେ। ଏହା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଯୋଗିତା ଠିକ୍‌ ପୂର୍ବରୁ ମାରିଜୁଆନା ବ୍ୟବହାର କରିଥିଲେ ଦଣ୍ଡ ସାମାନ୍ୟ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ୨ ବର୍ଷ ବଦଳରେ ୩୦ ଦିନ ପାଇଁ ରିଚାର୍ଡସନଙ୍କୁ ବାସନ୍ଦ କରାଯାଇଥିଲା। ରାଷ୍ଟ୍ରପତି ଜୋ ଓ୍ବାଇଡେନ ମଧ୍ୟ ଏ ନେଇ ନିଜର ମତ ରଖିଛନ୍ତି। ମାରିଜୁଆନା ନିୟମ ନେଇ ବାଦବିବାଦ ଚାଲିଥିବା ବେଳେ ରିଚାର୍ଡସନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ନିୟମକୁ ମାନିବା ଉପରେ ଆମେରିକା ନିଶା ନିବାରଣ ସଂସ୍ଥା ଅଧିକ ଗୁରୁତ୍ୱ ଦେଇଛି। ଓ୍ବାଇଡେନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଯାହା ହେଉନା କାହିଁକି ରିଚାର୍ଡସନ ଅଲିମ୍ପିକ ଦଳରୁ ବାଦ୍‌ ପଡିବା ଘଟଣାକୁ କ୍ରୀଡ଼ାପ୍ରେମୀ ସହଜରେ ହଜମ କରିପାରୁନାହାନ୍ତି।

Share