Categories: ଖେଳ

ରିଚାର୍ଡଶନ ଓହରିଲେ, ଟାଏ ସାମିଲ

ସିଡ୍‌ନୀ, ୧୯।୧୧(ପି.ଟି.)- ଭାରତ ବିପକ୍ଷ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍‌ ରିଚାର୍ଡଶନ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ ଟାଏଙ୍କୁ ଘରୋଇ ଦଳରେ ସାମିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ରିଚାର୍ଡଶନ ନିଜ ପରିବାର ସହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରିଚାର୍ଡଶନ ନିଜ ନବଜାତ ପୁତ୍ର ସନ୍ତାନ ଏବଂ ସ୍ତ୍ରୀଙ୍କ ସହ ରହିବାକୁ ପସନ୍ଦ କରିଛନ୍ତି। ଏ ସମ୍ପର୍କରେ ସେ ଜାତୀୟ ଚୟନକର୍ତ୍ତାଙ୍କୁ ଜଣାଇ ଦେଇଥିବା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରକାଶ କରାଯାଇଛି। ”କେନ୍‌ ଆଡିଲେଡ୍‌ରେ ସ୍ତ୍ରୀ ନିକି ଏବଂ ନବଜାତ ପୁତ୍ର ସହ ରହିବାକୁ ଚାହିଁଛନ୍ତି। ଆମେ ସର୍ବଦା ଆମର ଖେଳାଳି ଏବଂ ସେମାନଙ୍କ ପରିବାରକୁ ସମର୍ଥନ କରି ଆସିଛୁ। ବିଶେଷ କରି ବର୍ତ୍ତମାନ ପରିସ୍ଥିତିରେ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ଆମେ ତାଙ୍କୁ ଆଗାମୀ ସିରିଜରେ ମିସ୍‌ କରିବୁ। ମାତ୍ର ଅସୁବିଧାକୁ ଅନୁଭବ କରି ତାଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରୁଛୁ“ ବୋଲି ଜାତୀୟ ଚୟନ କମିଟି ସଦସ୍ୟ ଟ୍ରେଭର ହନ୍ସ ପ୍ରକାଶ କରିଛନ୍ତି। ଚଳିତ ସପ୍ତାହରେ ଆଡିଲେଡ୍‌ରେ କରୋନା ସଂକ୍ରମଣ ପୁଣି ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟ ସେମାନଙ୍କ ସୀମାକୁ ସିଲ୍‌ କରିଦେଇଛନ୍ତି। ଫଳସ୍ବରୂପ ଟେଷ୍ଟ ଦଳର ଅଧିନାୟକ ଟିମ୍‌ ପେନ୍‌ ଓ ମାର୍ନସ ଲାବୁସ୍କାନଙ୍କ ସମେତ କେତେଜଣ ଖେଳାଳିଙ୍କୁ ଆଗୁଆ ସିଡ୍‌ନୀ ଆଣିବାକୁ କ୍ରିକେଟ ଅଷ୍ଟ୍ରେଲିଆ ବାଧ୍ୟ ହୋଇଛି। ଚଳିତ ମାସ ୨୭ରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରୁ ଆଡିଲେଡ୍‌ ଓଭାଲରେ ଦିବାରାତ୍ର ବିଶିଷ୍ଟ ହେବ। ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ଏବଂ ସମୟ ବ୍ୟବଧାନରେ ଏହାର ସମୀକ୍ଷା କରାଯାଉଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପ୍ରକାଶ କରିଛି।

Share