ଭୁବନେଶ୍ୱର,୩୧ା୭: ଓଡ଼ିଶାରେ ଲାଗି ରହିଥିବା ବର୍ଷା ଓ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ଲୋକ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପ୍ରଭାବିତ ଜିଲାପାଳମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି, ପାଣିପାଗ ବିଜ୍ଞାନ କେନ୍ଦ୍ର ଏବଂ ଜଳସମ୍ପଦ ବିଭାଗ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ହୀରାକୁଦ ପୁଣି ୧୦ଟି ଗେଟ୍ ଖୋଲିଥିବା କହିଛନ୍ତି ମନ୍ତ୍ରୀ। ତେବେ ଆଉ ୧୨ଟି ଗେଟ୍ ଖୋଲିବା ପାଇଁ ଯୋଜନା ଚାଲିଛି। ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲାକୁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।