Categories: ଖେଳ

କାମେରନ ହ୍ବାଇଟ୍‌ଙ୍କ ଅବସର

ମେଲବୋର୍ନ,୨୨।୮(ପି.ଟି.): ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ହ୍ବାଇଟ୍‌ ଶୁକ୍ରବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ଦୁଇ ଦଶନ୍ଧିର ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରର ଅନ୍ତ ଘଟିଛି। ୩୭ବର୍ଷୀୟ ହ୍ବାଇଟ୍‌ ଅଷ୍ଟ୍ରେଲିଆ ତରଫରୁ ୪ ଟେଷ୍ଟ, ୯୧ ଦିନିକିଆ ଓ ୪୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସୀମିତ ଓଭର କ୍ରିକେଟରେ ସେ ୭ଥର ଦଳର ନେତୃତ୍ୱ ନେଇଛନ୍ତି। ଏବେ କୋଚିଂ ଉପରେ ଫୋକସ କରିବେ ବୋଲି ହ୍ବାଇଟ୍‌ କହିଛନ୍ତି। ମୋର ଖେଳ ଶେଷ ହୋଇଛି ଓ ଏହା ନିଶ୍ଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆଡିଲେଡ୍‌ ଷ୍ଟ୍ରାଇକର ପାଇଁ ଖେଳିବାକୁ ଗୋଟିଏ ବର୍ଷ ଚୁକ୍ତି କରିଥିଲି। ଗତବର୍ଷ କେତୋଟି ମ୍ୟାଚ୍‌ ମଧ୍ୟ ଖେଳିଥିଲି। ପରେ ଅବସର ନେବାର ଏହା ପ୍ରକୃତ ସମୟ ବୋଲି ଉପଲବ୍ଧି କରିଛି। ଏବେ କୋଚିଂ ଦେବାକୁ ପ୍ରସ୍ତୁତି କରୁଛି। ଗତ ଗ୍ରୀଷ୍ମରେ ହ୍ବାଇଟ୍‌ ଆଡିଲେଡ ଷ୍ଟ୍ରାଇକର ପାଇଁ ୬ଟି ମ୍ୟାଚ୍‌ ଖେଳିଥିଲେ। ଘରୋଇ କ୍ରିକେଟ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ସେ ମୋଟ ଉପରେ ଅଷ୍ଟ୍ରେଲିଆର ୧୦ଟି ଡୋମେଷ୍ଟିକ୍‌ ଟାଇଟଲ ହାସଲ କରିଛନ୍ତି। ସେ ୬ଟି ସେଫିଲ୍ଡ ସିଲ୍ଡ, ଏକ ଘରୋଇ ଦିନିକିଆ ଟାଇଟଲ, ଓଲ୍ଡ ଷ୍ଟେଟ୍‌ର ୩ଟି ଟି୨୦ ଲିଗ୍‌ ଓ ଗୋଟିଏ ବିଗ୍‌ ବାଶ୍‌ ଲିଗ୍‌ ଟ୍ରଫି ଜିତିଛନ୍ତି। ୧୯ ବର୍ଷରୁ କମ୍‌ ଭିକ୍ଟୋରିଆ ଦଳ ପାଇଁ ମେଣ୍ଟର ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି।

Share