ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ୨ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୬ା୧୨: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅଶୋକ କୁମାର ହୋତା ଭଞ୍ଜନଗର ସମ୍ମନ୍ବିତ ଜଳ ବିଭାଜିକା ପ୍ରକଳ୍ପ କର୍ମଚାରୀ ତଥା ବନପାଳ ଭାବେ ୧୯୯୭ରେ କାମ କରୁଥିଲେ। ସେହି ସମୟରେ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ସୋମବାର ଉକ୍ତ ମାମଲାର ଶୁଣାଣି ବେଳେ ଅଶୋକଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ୩୧ ଜଣ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜଶିଟକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୨ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରକାଶ କରିଛନ୍ତି ବୋଲି ପିପି ସୁରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୧୯୯୭ ମାର୍ଚ୍ଚ ୨୯ରେ ଅଶୋକଙ୍କର ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏକ କାଳୀନ ଚଢାଉ କରିଥିଲା। ତାଙ୍କର ଆକଳନ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ୨ଲକ୍ଷ ୮୩ ହଜାର ୬୫୮ଟଙ୍କାର ହିସାବ ସେ ଭିଜିଲାନ୍ସକୁ ଦେଇପାରି ନ ଥିଲେ। ଯାହାକି ତାଙ୍କ ଆୟର ଶତକଡା ୪୮.୨୮ ପ୍ରତିଶତ ଅଧିକ ରହିଥିଲା। ଭିଜିଲାନ୍ସ ତାଙ୍କୁ ମାମଲା ନମ୍ବର ୧୬/୯୭ ରେ ଗିରଫ କରି ପରେ ଜାମିନରେ ଛାଡ଼ିଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ଦୟାନିଧି ଗୋଛାୟତ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ।