ଯୁବବର୍ଗର ଉତ୍ତରଦାୟିତ୍ୱ

ଡ. ଭାରତ ଭୂଷଣ ରଥ

ସମ୍ପ୍ରତି ମୁମ୍ବାଇ ଠାରୁ ଆରମ୍ଭ କରି ଭୁବନେଶ୍ୱର ମହାନଗର ପର୍ଯ୍ୟନ୍ତ ଯୁବ ସମାଜର କାର୍ଯ୍ୟକଳାପକୁ ନେଇ ଜନତା ସ୍ତବ୍ଧ। ଅନେକ ଅସାମାଜିକ କାର୍ଯ୍ୟରେ ଯୁବବର୍ଗର ଭୂମିକା ଆଶାତୀତ ଭାବରେ ବୃଦ୍ଧି ପାଉଛି। ଆମେ ଜାଣୁ ଭାରତର ସର୍ବମୋଟ ଜନସାଧାରଣର ସିଂହଭାଗ ହେଉଛନ୍ତି ଯୁବବର୍ଗ। ଓ ଆଗାମୀ ପ୍ରାୟ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଯୁବବର୍ଗଙ୍କ ସଂଖ୍ୟା ଅଧିକ ପରିଲକ୍ଷିତ ହେବ। ଭାରତ ସରକାରଙ୍କ ୨୦୧୪ ୟୁଥ ପଲିସିକୁ ଆଧାର କରି ୧୫ ବର୍ଷରୁ ୨୯ ବର୍ଷ ବୟଷ ପର୍ଯ୍ୟନ୍ତ ଯୁବତୀଯୁବକମାନଙ୍କୁ ଯୁବବର୍ଗରେ ସାମିଲ କରାଯାଏ।
କିନ୍ତୁ ମୋଟାମୋଟି ଭାବରେ ୧୫ରୁ ୩୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମାରେ ଆସୁଥିବା ଯୁବବର୍ଗକୁ ଭାରତରେ ନିଯୁକ୍ତି, ପୁରସ୍କାର ତଥା ବିଭିନ୍ନ କ୍ଷେତ୍ରରେ ଯୁବ ଭାବରେ ସମ୍ମାନିତ କରାଯାଉଛି। ଭାରତ ସରକାର ତଥା ରାଜ୍ୟ ସରକାରଙ୍କର ଅନେକ ଯୋଜନାରେ ଯୁବବର୍ଗର ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି। ଶିକ୍ଷା, କୃଷି, କୁଟୀରଶିଳ୍ପ ତଥା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଯୁବତୀଯୁବକଙ୍କର ସ୍ବେଚ୍ଛାକୃତ ଅଂଶଗ୍ରହଣ ପାଇଁ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ ତଥା ଅନେକ ସରକାରୀ ସୁବିଧା ସୁଯୋଗ ମଧ୍ୟ ପରିଲକ୍ଷିତ ହୁଏ। ଏ ସମସ୍ତ ସୁବିଧାସୁଯୋଗ ଥିବା ସତ୍ତ୍ୱେ ଦିଲ୍ଲୀଠାରୁ ପଲ୍ଲୀଯାଏଁ ଯୁବବର୍ଗ ଅତ୍ୟଧିକ ବିଶୃଙ୍ଖଳିତ ଥିବାର ଦୃଷ୍ଟିଗୋଚର ହେଉଛି। ଗଣମାଧ୍ୟମରେ ପ୍ରସାରିତ ପ୍ରତ୍ୟେକଟି ଅସାମାଜିକ କାର୍ଯ୍ୟକଳାପରେ ଯୁବତୀଯୁବକ ସର୍ବାଗ୍ରେ ରହୁଛନ୍ତି। ଗଁାଗୁଡ଼ିକରେ ନିଶାଦ୍ରବ୍ୟ ସେବନ କରି ମା’ବାପାଙ୍କୁ ସର୍ବସ୍ବାନ୍ତ କରିବା ସହିତ ନିଜେ ରୋଗ ଏବଂ ମାନସିକ ବିଷାଦଗ୍ରସ୍ତ ଜୀବନ ବିତାଉଛନ୍ତି ଅନେକ ଯୁବକ। ବର୍ତ୍ତମାନର ଯୁବବର୍ଗଙ୍କୁ ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଜାଣିହୁଏ ଧନସମ୍ପତ୍ତିର ପ୍ରାଚୁର୍ଯ୍ୟରେ ବୁଡ଼ି ରହିଥିବା କିଛି ଯୁବକଯୁବତୀଙ୍କର ଜୀବନରାସ୍ତା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ। ଆଉ କିଛି ଧନସମ୍ପତ୍ତି ଏବଂ ପ୍ରତିଷ୍ଠା ପାଇବା ଉଦ୍ଦେଶ୍ୟରେ ବିପର୍ଯୟ ଆଡ଼କୁ ଗତି କରୁଛନ୍ତି। ବିଶେଷ ଭାବରେ ନିଶାସେବନ ଭାରତର ଯୁବଶକ୍ତିକୁ ଖୁବ୍‌ କ୍ଷତି ପହଞ୍ଚାଇଛି। ତେବେ ପ୍ରଶ୍ନ ଉଠେ ଏଭଳି ଅପ୍ରୀତିକର ପରିସ୍ଥିତି ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ଉତ୍ତର ପଥଭ୍ରଷ୍ଟ ଯୁବତୀଯୁବକଙ୍କ ଆଡ଼କୁ ଯେତିକି ଅଙ୍ଗୁଳି ନିର୍ଦ୍ଦେଶ କରେ, ଅନେକାଂଶରେ ତାଙ୍କର ପିତାମାତାଙ୍କ ଆଡ଼କୁ ମଧ୍ୟ ସମାନ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରେ।
ଆମେ ଜାଣୁ ଯୁବ ବୟସ ପାଦ ଖସିଯିବାର ସମୟ। ତେଣୁ ନିଜର ପିଲାମାନଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପକୁ ବନ୍ଧୁତ୍ୱପୂର୍ଣ୍ଣ ଶୈଳୀରେ ପିତାମାତାଙ୍କୁ ହିଁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ପୂର୍ବରୁ ପିଲାମାନଙ୍କର ଶାସନ ଦାୟିତ୍ୱ ଉଭୟ ଶିକ୍ଷା ଅନୁଷ୍ଠାନ ଏବଂ ପିତାମାତାଙ୍କ ହାତରେ ରହୁଥିଲା। ବର୍ତ୍ତମାନ ସମୟର ପ୍ରବାହରେ ପିଲାମାନଙ୍କର ଶାସନ କେବଳ ପିତାମାତାଙ୍କ ଉପରେ ନିର୍ଭର କରେ। ଯଦି ମାତାପିତା ଏ ଗୁରୁ ଦାୟିତ୍ୱକୁ ସତର୍କତାର ସହିତ ନ ତୁଲାଇବେ, ତେବେ ପିଲାଟିଏ ସ୍ବେଚ୍ଛାଚାରୀ ହେବ ନିଶ୍ଚୟ। ବର୍ତ୍ତମାନର ପରିବେଶ ଯୁବବର୍ଗକୁ ସ୍ବେଚ୍ଛାଚାରୀ ହେବାରେ ଅନେକ ପ୍ରକାରର ଇନ୍ଧନ ଯୋଗାଇଥାଏ। ତେଣୁ ଯୁବତୀ ଯୁବକମାନେ ମଧ୍ୟ ନିଜକୁ ସଂଯତ କରିବା ଆବଶ୍ୟକ।
ଜୀବନର ଅର୍ଥ ନୁହେଁ କାମନା, ବାସନା ଏବଂ ଧନ ଉପାର୍ଜନ। ଏହି ତତ୍ତ୍ୱକୁ ପିଲାଟିଏ ନିଜ ବାପା ଏବଂ ମା’ଙ୍କଠାରୁ ପ୍ରଥମେ ଶିକ୍ଷା କରିବା ଆବଶ୍ୟକ। ଯୁବବର୍ଗ ସର୍ବଦା ସଂସ୍କାରସମ୍ପନ୍ନ ମହାପୁରୁଷମାନଙ୍କୁ ଅନୁକରଣ କରିବା ସହିତ ଜ୍ଞାନ ପ୍ରଦାୟକ ପୁସ୍ତକ ପଢ଼ିବା ଦରକାର।
ଧନ ଏବଂ ଜ୍ଞାନ ଅପେକ୍ଷା ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବା ଯୁବକର କର୍ତ୍ତବ୍ୟ ହେଉ। ନିଜକୁ ଠିକ୍‌ ରାସ୍ତାରେ ରଖିବାର ଇଚ୍ଛାଶକ୍ତି ରଖିଲେ ସ୍ବତଃ ମାନବର ବିବେକ ତାକୁ ସ୍ବ ପଥର ପଥିକ କରେଇବ। ଏହାର ପ୍ରମାଣ ସ୍ବରୂପ ଅନେକ ଯୁବତୀଯୁବକ ଦେଶ ପାଇଁ ଉତ୍ସର୍ଗୀକୃତ ସେବା ଭାବନା ନେଇ କାର୍ଯ୍ୟରତ ଏବଂ ଦେଶ ବିକାଶରେ ସହାୟକ ହୋଇ ପ୍ରଶଂସାର ପାତ୍ର ହେଉଛନ୍ତି। ତେବେ ଯେଉଁମାନଙ୍କ ପାଇଁ ମା’, ବାପା, ଦେଶ ତଥା ସମାଜ ନିନ୍ଦିତ ହେଉଛି ସେହି ଯୁବବର୍ଗଙ୍କୁ ପରିବର୍ତ୍ତନ ହେବାର ସମୟ ଆସିଛି। ଯୁବସମାଜ ଚିନ୍ତା କରିବା ଆବଶ୍ୟକ ତାଙ୍କର ବ୍ୟବହାର ନିଜ ଉପରେ ଯେତିକି ପ୍ରଭାବ ପକାଉଛି, ତା’ଠାରୁ ଅଧିକ ପ୍ରଭାବ ସମାଜ ଉପରେ ପଡୁଛି ଏବଂ ସମାଜ ନଷ୍ଟ ହେବା ସହିତ ଉତ୍ତର ପିଢ଼ି କୁରାସ୍ତାକୁ ଆପଣାଉଛି।
ବିଶ୍ୱର ପ୍ରତ୍ୟେକଟି ରାଷ୍ଟ୍ର ଭାରତର ଯୁବବର୍ଗକୁ ଚାହିଁ ରହିଛି। ବିଶ୍ୱ ଭଲଭାବରେ ଜାଣିଛି ଭାରତର ଯୁବବର୍ଗ ଯଦି ନିଜ ଦେଶ ପ୍ରତି ଉତ୍ସର୍ଗୀକୃତ ହୋଇ ଦେଶ ବିକାଶରେ ମନୋନିବେଶ କରିବେ, ତେବେ ଭାରତ ସାମ୍ନାରେ ବିଶ୍ୱ ନତମସ୍ତକ ହେବ। ତେଣୁ ଭାରତର ଯୁବତୀଯୁବକମାନେ ନିଶାଦ୍ରବ୍ୟ ସେବନ ଓ ସନ୍ତ୍ରାସବାଦ ପ୍ରଭୃତି ଅନୈତିକ କାର୍ଯ୍ୟରୁ ଦୂରେଇ ରହି ସଂସ୍କାରଯୁକ୍ତ ଜୀବନ ଜିଇବା ପାଇଁ ସଙ୍କଳ୍ପବଦ୍ଧ ହେବା ବର୍ତ୍ତମାନ ସମୟର ଆହ୍ବାନ।
ଅଧ୍ୟାପକ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆନ୍ଧ୍ରପ୍ରଦେଶ, ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri