ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଖଣି ଅଞ୍ଚଳବାସୀ: ଅଧିକାର ପାଇଁ ଦାବି କରିବାରୁ ନାଲିଆଖି

ଯାଜପୁର ଅଫିସ,୨୭।୯: ପ୍ରଶାସନିକ ଅବହେଳା ଏବଂ କେତେଜଣ ପ୍ରଭାବଶାଳୀଙ୍କ ଅମାନବୀୟ ବ୍ୟବହାର ଖଣି ପ୍ରଭାବିତ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏଭଳି ଅବସ୍ଥା ଏବେ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଅଞ୍ଚଳବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି। ଆବାସ ଯୋଜନାରେ ଘର, ଜବ୍‌କାର୍ଡ, ଲେବର କାର୍ଡ, କାଳିଆ ସମେତ କେତେକ କୃଷି ଯୋଜନାର ସୁବିଧା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବା ଲୋକଙ୍କ ହକ୍‌ ରହିଛି। ହେଲେ ଏହି ଅଧିକାର ପାଇଁ ଦାବି କରିବାରୁ ଲୋକଙ୍କୁ ନାଲିଆଖି ଦେଖାଯାଉଛି। ଏପରିକି ସୁକିନ୍ଦା ବ୍ଲକ ବେଣାଗାଡିଆ ଗ୍ରାମର ୧୬ ଜଣ ମହିଳାଙ୍କ ନାମରେ ଆଇପିସି ଦଫା ୧୦୭(ଶାନ୍ତି ଭଙ୍ଗ ଆଶଙ୍କା) ଅନୁଯାୟୀ ମାମଲା ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ଦାବି ହାସଲ ପାଇଁ ବୈଠକ ଓ ଲିଖିତ ଭାବେ ଆବେଦନ କରିଥିବା ସତ୍ତ୍ୱେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
ସୁକିନ୍ଦା ଓ କେନ୍ଦୁଝର ଜିଲାରେ ଥିବା ଖଣି ଖାଦାନରେ ଶ୍ରମିକମାନେ କାମ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ତେବେ ୨୦୦୦ ପରଠାରୁ ଖଣି, ଶିଳ୍ପ ଓ ରେଲୱେ ସାଇଡିଂଗୁଡ଼ିକରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର ଯୋଗୁ ବହୁ ଖଣି ପ୍ରଭାବିତ ଲୋକ ବୃତ୍ତି ହରାଇ ଭୋକଉପାସରେ ରହୁଛନ୍ତି। ରୋଜଗାର ହରାଇବା ସମସ୍ୟାର ସମାଧାନ ନିମନ୍ତେ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏଭଳିସ୍ଥଳେ ଖଣି ପ୍ରଭାବିତ ଗ୍ରାମଗୁଡିକରେ ବିଭିନ୍ନ ସରକାରୀ ଯୋଜନା ଅପହଞ୍ଚ ହୋଇରହିଛି। ଏନେଇ ପ୍ରଭାବିତ ଗ୍ରାମବାସୀ ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବାରମ୍ବାର ନିରାଶ ହୋଇଛନ୍ତି। ପ୍ରାୟ ୫୦୦୦ ଲୋକ ବସବାସ କରୁଥିବା ବେଣାଗାଡିଆ ନାଏକସାହିର ମହିଳାମାନେ ଗତ ଏପ୍ରିଲରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନେଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ବିଡିଓଙ୍କୁ ଲିଖିତ ଭାବେ ନିବେଦନ କରିଥିଲେ। ଏହି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ କହିବା ଅନୁସାରେ ବେଣାଗାଡିଆ ଗ୍ରାମବାସୀ ସମସ୍ତ କ୍ଷେତ୍ରରେ ଅବହେଳିତ। ଆବାସ ଯୋଜନାରେ ବାସଗୃହ, ଜବ୍‌କାର୍ଡ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଜନାରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ଖଣି ଖାଦାନ ଭରା ଏହି ଅଞ୍ଚଳରେ ରୋଜଗାର ପାଇଁ କୌଣସି ସୁବିଧା ଦିଆଯାଉ ନାହିଁ। ତେଣୁ ପରିବାରର ମୁରବୀମାନେ ବାହାର ଅଞ୍ଚଳକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ପାଇଁ ୧ କିମି ଦୂରକୁ ଯିବାକୁ ପଡ଼ୁଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ସବିଶେଷ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଅଞ୍ଚଳର ଜଣେ ନେତ୍ରୀ ଗତ ମେ ୧୬ ତାରିଖରେ ବେଣାଗାଡିଆକୁ ଯାଇ ମହିଳାମାନଙ୍କୁ ଧମକଚମକ ଦେଇଥିଲେ। କାହିଁକି ଗଣମାଧ୍ୟମରେ ଏହିସବୁ ଖବର ଦେଉଛ ବୋଲି ସେ ମହିଳାମାନଙ୍କୁ ତାଗିଦ କରିଥିଲେ। ଏହାପରେ ଗ୍ରାମର ମହିଳା ଓ ନାରୀ ନେତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ କଥା କଟାକଟି ହୋଇଥିଲା। ତାହା ସୁକିନ୍ଦା ଥାନା ପର୍ଯ୍ୟନ୍ତ ଯାଇଥିଲା। ସୁକିନ୍ଦା ଥାନାଧିକାରୀ ଗତ ମେ ୨୨ରେ ମାମଲାର ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଡାକିଥିଲେ। ତେବେ ଗ୍ରାମର ମହିଳା ସେହିଦିନ ଥାନାକୁ ଯାଇଥିବାବେଳେ ନାରୀନେତ୍ରୀଙ୍କ ଦେଖା ମିଳି ନ ଥିଲା। ଦାବି ହାସଲ କରିବାକୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ମହିଳାଙ୍କ ସ୍ବରକୁ ଚପାଇ ଦେବାକୁ ପୋଲିସ ପ୍ରଶାସନ ଅଭିନବ ଉପାୟ ଅବଲମ୍ବନ କରିଛି। ବେଣାଗାଡିଆ ଗ୍ରାମର ମିନତି ମହନ୍ତ, ଦମୟନ୍ତୀ ମହନ୍ତ, ପେଣ୍ଡୁ ନାଏକ, କୁନି ମହନ୍ତ, ଭାନୁମତି ମହନ୍ତ, ନନ୍ଦିତା ନାଏକ, ଯତି ନାଏକ, ଭାନୁ ନାଏକ, ମୀରା ନାଏକ, ନୟନ୍ତୀ ନାଏକ, ବନିତା ନାଏକ, ଡଲି ନାଏକ, ଟୁନି ନାଏକ, ତପି ନାଏକ, ଚେର ନାଏକ ଏବଂ ଖରଖରି ଗ୍ରାମର ସୁକାନ୍ତି ନାଏକଙ୍କ ବିରୋଧରେ ଆଇପିସି ଦଫା ୧୦୭ ଲଗାଯାଇ ମାମଲା ରୁୁଜୁ ହୋଇଛି। ଆସନ୍ତା ୨୯ ସୁଦ୍ଧା ସୁକିନ୍ଦା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ଭାନୁମତି ଓ ସୁକାନ୍ତି କହିଛନ୍ତି, ସରକାରୀ ଯୋଜନାରେ ସାମିଲ କରିବାକୁ ସେମାନେ ବିଡିଓଙ୍କୁ ଆବେଦନ ପତ୍ର ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଧମକ ଦିଆଯାଇଥିଲା। ପୂର୍ବରୁ ଖଣି ସମ୍ପ୍ରସାରଣ ସମୟରେ ପ୍ରଥମେ ନିଯୁକ୍ତି ଓ ପାରିପାର୍ଶ୍ୱିକ ବିକାଶ ପାଇଁ ଦାବି କରିଥିବାରୁ ସେମାନଙ୍କ ନାମରେ ଅନୁରୂପ ଭାବେ ୧୦୭ ଦଫା ଲାଗିଥିଲା। ଏଭଳି ଉପାୟରେ ସେମାନଙ୍କ ସ୍ବରକୁ ଚାପି ଦେବାକୁ ଉଦ୍ୟମ ହେଉଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?