ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏନ୍ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି ଅଭାବରୁ ତାହା ଭାଙ୍ଗିରୁଜି ଗଲାଣି। ବର୍ଷା ଦିନେ ଛାତରୁ ପାଣି ପଡୁଥିବାରୁ ତାରପୋଲିନ ଟାଣି ଦୋକାନ ଚଳାଇବାକୁ ପଡ଼ୁଛି। ଏଠାରେ ହୋଟେଲ, ମେଡିସିନ ଦୋକାନ, ସେଲୁନ ଭଳି ବ୍ୟବସାୟ କରୁଥିବା ଦୋକାନୀ ଭୟ ଓ ଆଶଙ୍କାରେ ରହିଛନ୍ତି। ଏହାର ମରାମତି କିମ୍ବା ପୁନଃନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଏନଏସି ପକ୍ଷରୁ କମ୍ପ୍ଲେକ୍ସରୁ ନିୟମିତ ଭଡ଼ା ଆଦାୟ ହେଉଥିବା ବେଳେ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପ୍ରତି ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠିଛି। ତୁରନ୍ତ ଯାଞ୍ଚ କରି ଜରାଜୀର୍ଣ୍ଣ କମ୍ପ୍ଲେକ୍ସଗୁଡ଼ିକର ମରାମତି କିମ୍ବା ପୁନଃନିର୍ମାଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରମୋଦ ଖିଲୋଙ୍କୁ ପଚାରିବାରୁ ତୁରନ୍ତ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

