ରେଙ୍ଗାଲି ପଞ୍ଚାୟତ: କିନ୍ନର, ଦିବ୍ୟାଙ୍ଗ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା

ସମ୍ବଲପୁର/ ରେଙ୍ଗାଲି, ୬ା୨(ବ୍ୟୁରୋ/ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଚର୍ଚ୍ଚାରେ ରହିଛି। ଝାଙ୍କରପାଲି ପଞ୍ଚାୟତର ସରପଞ୍ଚ ଆସନ ଲାଗି ୨୭ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ନେଇ ଚର୍ଚ୍ଚା ହୋଇଆସୁଥିଲା। ଏବେ ରେଙ୍ଗାଲି ପଞ୍ଚାୟତରେ କିନ୍ନର ଓ ଦିବ୍ୟାଙ୍ଗ ପ୍ରାର୍ଥୀ ହେବା ଘଟଣା ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି। ପ୍ରିୟା କିନ୍ନର ନାମରେ ଜଣାଶୁଣା ରେଙ୍ଗାଲିର ରମାକାନ୍ତ ସାହୁ (୩୦) ସରପଞ୍ଚ ପାଇଁ ନିର୍ବାଚନ ଲଢୁଛନ୍ତି। ସେ କହିଛନ୍ତି, ରେଙ୍ଗାଲି ପଞ୍ଚାୟତରେ ପୂର୍ବରୁ ଅନେକ ମହିଳା ଓ ପୁରୁଷ ସରପଞ୍ଚ ହୋଇଛନ୍ତି। ହେଲେ ଆଶାନୁରୂପକ ବିକାଶ ହୋଇ ପାରିନାହିଁ। ଏବେ ଏମିତି କିଛି ଗ୍ରାମ ରହିଛି ଯେଉଁଠି ପାଣି, ବିଜୁଳି, ରାସ୍ତା ଭଳି ମୌଳିକ ସୁବିଧା ପହଞ୍ଚତ୍ପାରି ନାହିଁ। ପୂର୍ବରୁ ରେଙ୍ଗାଲି ବ୍ଲକ କିନ୍ନର ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଛି। ଯଥା ସମ୍ଭବ ଲୋକଙ୍କ ସମସ୍ୟା ସମାଧାନ ଦିଗରେ କାମ କରିଛି। ତେଣୁ ଲୋକମାନେ ନୂତନ ପ୍ରାର୍ଥୀଙ୍କୁ ସୁଯୋଗ ଦେବେ ବୋଲି ଆଶା ରଖିଛି। ପାଖରେ ଟଙ୍କା ନ ଥିଲେ ବି ପ୍ରତ୍ୟେକ ଘରକୁ ଯାଇ ଭୋଟ ଭିକ୍ଷା କରୁଛି। ସ୍ବଇଚ୍ଛାରେ କେତେଜଣ ଆସି ମୋ ସହିତ ପ୍ରଚାର କରୁଛନ୍ତି।

ଦିବ୍ୟାଙ୍ଗମାନେ ସବୁ କ୍ଷେତ୍ରରେ ପାରଙ୍ଗମ। ଏହାର ଉଦାହରଣ ସାଜିଛନ୍ତି ରେଙ୍ଗାଲି ଗ୍ରାମର ଗୋପରଞ୍ଜନ ଭୋଇ (୩୬)। ରେଙ୍ଗାଲି ପଞ୍ଚାୟତକୁ ଦୁର୍ନୀତମୁକ୍ତ ଲକ୍ଷ୍ୟ ନେଇ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ରେଙ୍ଗାଲି ପଞ୍ଚାୟତରେ ଯିଏ ସରପଞ୍ଚ ହେଲେ ସେମାନେ ନିଜ ଆର୍ଥତ୍କ ସମ୍ବଳ ବୃଦ୍ଧି କରିଛନ୍ତି । ଗରିବ ନିରୀହ ପରିବାରକୁ ଅଣଦେଖା କରାଯାଉଛି। ବୃଦ୍ଧ, ଦିବ୍ୟାଙ୍ଗମାନେ ଭତ୍ତା, ପିଡିଏସ୍‌ ସାମଗ୍ରୀ ପାଇଁ ପଞ୍ଚାୟତ ଅଫିସକୁ ଆସି ହଇରାଣ ହେଉଛନ୍ତି। ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପ୍ରାଥମିକତା ହେବ। ଜନ ସାଧାରଣ ସହଯୋଗ କରିବେ ବୋଲି ସେ ଆଶା ରଖିଥିବା କହିଛନ୍ତି। ବସ୍‌ଷ୍ଟାଣ୍ଡ ନିକଟରେ ରହୁଥିବା ଦିବ୍ୟାଙ୍ଗ ନେପାଳ ଗହିର ଜଣେ ଫୁଟବଲ, କ୍ରିକେଟ ଖେଳାଳି ଭାବେ ବେଶ ପରିଚିତ। ଏପରି କି ସାମାଜିକ କାର୍ଯ୍ୟ କରି ସେ ପ୍ରଶଂସା ସାଉଁଟିଛନ୍ତି। ହେଲେ ଅଜଣା ରୋଗରେ ପୀଡିତ ହୋଇ ୧୪ବର୍ଷ ପୂର୍ବେ ଦିବ୍ୟାଙ୍ଗ ପାଲଟିଥିଲେ। ଏକ ହୋଟେଲ କରି ପରିବାର ପ୍ରତିପୋଷଣ କରୁଥିବା ନେପାଳ ଏବେ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ସେ କହିଛନ୍ତି, ଆଜି ମଧ୍ୟ ଉଚିତ ପରିବାର ସରକାରୀ ଯୋଜନାର ସୁବିଧା ପାଉ ନାହାନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନା ଯେଭଳି ଲୋକଙ୍କ ପାଖରେ ପହଞ୍ଚତ୍ବ ସେ ନେଇ କାର୍ଯ୍ୟ କରିବେ। ଭୋଟରମାନେ ସୁଯୋଗ ଦେବେ ବୋଲି ଆଶା ରଖିଥିବା କହିଛନ୍ତି।