ମୂଳୁ ମାଇଲେ

ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ନିର୍ମାଣକୁ ସୁପ୍ରିମକୋର୍ଟ ୫ ଜାନୁୟାରୀ ୨୦୨୧ରେ ଅନୁମତି ଦେଇଛନ୍ତି। ଜଷ୍ଟିସ୍‌ ଏ. ଏମ୍‌. ଖାନ୍‌ଓ୍ବିଲକର ଓ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ସପକ୍ଷରେ ରାୟ ଦେଇଥିବା ବେଳେ ଜଷ୍ଟିସ୍‌ ସଞ୍ଜୀବ ଖାନା ଭିନ୍ନ ମତ ରଖିଛନ୍ତି। ମାଷ୍ଟରପ୍ଲାନ୍‌ରେ ଦର୍ଶାଯାଇଥିବା ଜମି ବ୍ୟବହାର ନିୟମରେ ପରିବର୍ତ୍ତନ ଅଣାଯାଇଥିବାରୁ ଜଷ୍ଟିସ୍‌ ଖାନା ଅନ୍ୟ ଦୁଇ ପିଚାରପତିଙ୍କ ରାୟ ସହ ଏକମତ ହୋଇନାହାନ୍ତି। ସେହିଭଳି ଏହି ପ୍ରକଳ୍ପ ଲାଗି ଜନଶୁଣାଣି ଉପରେ ସେ ଗୁରୁତ୍ୱ ଦେବା ସହ ହେରିଟେଜ୍‌ କଞ୍ଜରଭେଶନ୍‌ କମିଟିର ଅନୁମୋଦନ ନିତାନ୍ତ ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯେହେତୁ ୨:୧ ଅନୁପାତରେ ରାୟ ପ୍ରକାଶ ପାଇଛି, ସରକାର ଏହି କାର୍ଯ୍ୟକୁ ଆଗେଇ ନେବା ଲାଗି ସବୁଜ ସଙ୍କେତ ପାଇଗଲେ ବୋଲି ଧରିନେବେ। ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭୂମିପୂଜା କରିଥିଲେ। ନିର୍ମାଣ ପାଇଁ କୋର୍ଟଙ୍କ ରାୟକୁ କେବଳ ଅପେକ୍ଷା ଥିଲା।
ପାର୍ଲାମେଣ୍ଟ ଭବନ ସୁଦୃଢ଼ ଥିବା ବେଳେ ଏପରି ଏକ ବୃହତ୍‌ ପ୍ରକଳ୍ପର ଆବଶ୍ୟକତା କ’ଣ ଅଛି ବୋଲି ବିରୋଧୀ ଦଳ ସମେତ ସାମାଜିକ କର୍ମକର୍ତ୍ତାମାନେ ଅଭିଯୋଗ କରିଆସୁଛନ୍ତି। ସରକାର ସଫେଇ ଦେଉଛନ୍ତି ଯେ, ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ପାର୍ଲାମେଣ୍ଟରେ କମ୍‌ ଜାଗା ଅଛି। ସେହିପରି ସେଥିରେ କୌଣସି ଅଗ୍ନି ନିର୍ବାପକ ଓ ଭୂକମ୍ପ ସହନକାରୀ ବ୍ୟବସ୍ଥା ନାହିଁ। ଏଥିରେ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ରହିବା ଲାଗି ଯୋଜନା କରାଯାଇଥିବାରୁ ତାହା ସରକାରଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ସରକାରଙ୍କ ପକ୍ଷରୁ କୋର୍ଟରେ ଏହା ମଧ୍ୟ ଯୁକ୍ତି ରଖାଯାଇଥିଲା ଯେ, ସେଣ୍ଟ୍ରାଲ ଭିଷ୍ଟା ସରକାରଙ୍କ ଏକ ନୀତିଗତ ନିଷ୍ପତ୍ତି। ମୌଳିକ ଅଧିକାର କ୍ଷୁଣ୍ଣ ହେଉ ନ ଥିଲେ କୋର୍ଟ ଏହାକୁ ବାତିଲ କରିପାରିବେ ନାହିଁ ବୋଲି ସରକାର କହିଥିଲେ।
ନୂଆ ଭାରତ ନିର୍ମାଣ ଲାଗି କେନ୍ଦ୍ର ସରକାର ବିଭିନ୍ନ ଯୁକ୍ତିର ସାହାରା ନେଇ ସେଣ୍ଟ୍ରାଲ ଭିଷ୍ଟାକୁ ସମର୍ଥନ କରିପାରନ୍ତି। କିନ୍ତୁ ନୂଆ ନିର୍ମାଣର ଅର୍ଥ ନୁହେଁ ଇଟା, ସିମେଣ୍ଟ ପାଇଁ ଏବେ ୨୦ ହଜାର କୋଟି ଟଙ୍କାର ଏକ ନୂଆଦିଲ୍ଲୀ ଗଠନ କରିବା। ନୂଆ ଭାରତ ତିଆରି କରିବାକୁ ହେଲେ ସର୍ବନିମ୍ନ ସ୍ତରରେ ବଞ୍ଚୁଥିବା ଭାରତୀୟ ନାଗରିକ ପାଖରେ ମୌଳିକ ସୁବିଧା ପହଞ୍ଚାଇବା। ଯେତେବେଳେ ନ୍ୟାୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ବାରମ୍ବାର କୁହାଯାଉଛି ସୁପ୍ରିମ୍‌କୋର୍ଟଙ୍କଠାରୁ ଆରମ୍ଭକରି ନିମ୍ନ ଅଦାଲତ ପର୍ଯ୍ୟନ୍ତ ଅନେକ ଲକ୍ଷ ମକଦ୍ଦମା ପଡ଼ିରହିଛି, ସେତେବେଳେ ସେହି ପରିସ୍ଥିତିର ସୁଧାର ଆଣିବା ହେବାକଥା ନୂଆ ଭାରତ ଲକ୍ଷ୍ୟ। ଯେତେବେଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ବିଜୁଳି, ପାନୀୟଜଳ ପ୍ରତ୍ୟେକ ବାସଗୃହରେ ପହଞ୍ଚି ନାହିଁ, ସେତେବେଳ ପର୍ଯ୍ୟନ୍ତ ନୂଆ ଭାରତ କେବଳ ଏକ ସ୍ଲୋଗାନ। ଯେ ପର୍ଯ୍ୟନ୍ତ ସାଧାରଣ ଭାରତୀୟ ନାଗରିକଙ୍କ ନିକଟରେ ସର୍ବନିମ୍ନ ସ୍ବାସ୍ଥ୍ୟସେବା ପହଞ୍ଚି ପାରିନାହିଁ, ସେ ପର୍ଯ୍ୟନ୍ତ ନୂଆ ଭାରତ ନାମ ଉଚ୍ଚାରଣ କରିବା ମହାପାପ। ଏହା ସହିତ ଆହୁରି ଅନେକ ଚାହିଦା ରହିଛି, ଯାହାକି ପ୍ରତ୍ୟେକ ନାଗରିକର ବଞ୍ଚିବା ପାଇଁ ଦରକାର। ସେଗୁଡ଼ିକୁ ଯୋଗାଇବା ହେଉଛି ନୂଆ ଭାରତ ଗଠନ କରିବାକୁ ଇଚ୍ଛୁକ ସରକାରର ପ୍ରଥମ ଦାୟିତ୍ୱ। କିନ୍ତୁ ଦୁଃଖର ବିଷୟ ଯେ, ମୌଳିକ ଆବଶ୍ୟକତାଗୁଡ଼ିକୁ ଅଣଦେଖା କରି ଇତିହାସ ସୃଷ୍ଟି କରିବାର ଉଦ୍ଦେଶ୍ୟ ଅନେକଙ୍କ ମୁଣ୍ଡରେ ପାଗଳାମି ଭାବେ ଜୁଟିଛି।
ମନେରଖିବାକୁ ହେବ ଯେ, କୌଣସି ଜାତିର ଇତିହାସକୁ ଲିଭେଇ ଇତିହାସ ସୃଷ୍ଟି କରାଯାଏ ନାହିଁ। ଯେଉଁ ଦେଶରେ ଏଭଳି ପ୍ରଚେଷ୍ଟା କରାଯାଇଛି, ଖୁବ୍‌ ଅଳ୍ପ ସମୟରେ ସେହିସବୁ ଦେଶ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇଛି। ଏଠାରେ ସବୁଠାରୁ ଉପଯୁକ୍ତ ଉଦାହରଣ ଭାବେ ସୋଭିଏଟ୍‌ ରୁଷିଆର କଥା ଦୋହରା ଯାଇପାରେ। ୪୦୦ ବର୍ଷର ଜାର୍‌ ସାମ୍ରାଜ୍ୟକୁ ଧ୍ୱଂସ କରି ଗଢ଼ିଉଠିଥିବା ସୋଭିଏଟ୍‌ ସଂଘ ମାତ୍ର ୬୯ ବର୍ଷରେ ଭାଙ୍ଗି ଚୂରମାର ହୋଇଗଲା। ଆଜିର ଭାରତରେ ଏଭଳି ଅନେକେ ଅଛନ୍ତି, ଯେଉଁମାନେ ଏହାର କାରଣ ଭାବେ କମ୍ୟୁନିଷ୍ଟ ଶାସନକୁ ଦର୍ଶାଇବେ। ବୋଲ୍‌ସେଭିକ୍‌ ବିଦ୍ରୋହ ପରେ ଦୀର୍ଘ ସମୟର ଜାର୍‌ ଇତିହାସକୁ ଧ୍ୱଂସ କରିଦିଆଗଲା। ଅନ୍ୟପଟେ ସେହିଭଳି କମ୍ୟୁନିଷ୍ଟ ଚିନ୍ତାଧାରାର ମାଓ ସେ-ତୁଙ୍ଗ୍‌ ଚାଇନାରେ ବିପ୍ଳବ ଆଣିଲେ, କିନ୍ତୁ ଇତିହାସକୁ ଧ୍ୱଂସ କଲେ ନାହିଁ। ସେହି କମ୍ୟୁନିଷ୍ଟ ଦଳ ଦ୍ୱାରା ଚାଇନା ଆଜି ପୃଥିବୀର ସର୍ବବୃହତ୍‌ ଶକ୍ତିଶାଳୀ ଦେଶ ଭାବେ ଗଢ଼ିଉଠିଛି। କୁହାଯାଉଛି ଯେ, ୨୦୨୮ ମସିହା ବେଳକୁ ଚାଇନାର ଜିଡିପି ଆମେରିକା ଜିଡିପିଠାରୁ ଅଧିକ ହୋଇଯିବ। ଏହା ବ୍ୟତୀତ ଯେଉଁମାନେ ପୃଥିବୀ ଭ୍ରମଣ କରିଥିବେ ସମସ୍ତେ ସ୍ବୀକାର କରିବେ ଯେ, ଅନ୍ୟ ଦେଶଗୁଡ଼ିକରେ ସବୁ ଇତିହାସକୁ ସାଇତିକରି ଜଗି ରଖିଛନ୍ତି। ନିଜର ଇତିହାସ ମଣିଷ ଜାତିକୁ ପ୍ରେରଣା ଦେବା ସହ ପୂର୍ବର ଦୋଷତ୍ରୁଟି ସମ୍ପର୍କରେ ମନେପକାଇଥାଏ। ଭିଏଟ୍‌ନାମ ଭଳି ଏକ କ୍ଷୁଦ୍ର ଦେଶ ମଧ୍ୟ ତାହାର ଆମେରିକା ସହ ଦୀର୍ଘଦିନର ଯୁଦ୍ଧ ଇତିହାସକୁ ବହୁତ ସ୍ନେହର ସହ ବଞ୍ଚାଇ ରଖିଛି। ତା’ଫଳରେ ସେହି ଦେଶର ଯୁବପିଢ଼ି ପୂର୍ବପୁରୁଷଙ୍କ ବଳିଦାନକୁ ମନେରଖିଛି। ଆଜି ଦିଲ୍ଲୀର ଇତିହାସ ବଦଳାଇଲା ବେଳକୁ କୁହାଯାଉଛି ଯେ, କଳଙ୍କିତ ମୁସଲମାନ ମୋଗଲ ଏବଂ ଖ୍ରୀଷ୍ଟିଆନ ଗୋରାଙ୍କ ଛାପ ଲିଭାଇ ଦିଆଯିବ। ଏଭଳି କହୁଥିବା ବ୍ୟକ୍ତି ନିଜ ପୂର୍ବପୁରୁଷଙ୍କ ଅନ୍ତର୍ଘାତୀ କାର୍ଯ୍ୟକୁ ଭୁଲିବାକୁ ଚାହୁଁଛନ୍ତି। ଏହି ମାଟି ଉପରେ ନିଜର କ୍ଷମତା ଜାହିର କରିବା ପାଇଁ ଇଚ୍ଛୁକ ମୁସଲମାନ ଶାସକମାନଙ୍କୁ ଭାରତରେ ପ୍ରବେଶ ଦ୍ୱାର କିଏ ଖୋଲିଥିଲା ତାହା ଇତିହାସ ପଢ଼ିଥିବା ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି। ସେହିଭଳି ବ୍ୟବସାୟ କରିବାକୁ ଆସିଥିବା ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଶାସନ ଗାଦିରେ ବସାଇବା ପାଇଁ ସୁଯୋଗ କିଏ ଦେଇଥିଲା ମଧ୍ୟ ଇତିହାସ ଆମକୁ ଜଣାଇଛି। ମନେରଖିବାକୁ ହେବ ଯେ, ଭାରତ ମାଟିରେ ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ଧର୍ମ ଜନ୍ମ ନେଇ ନ ଥିଲେ। ସବୁ କେଳେଙ୍କାରୀ ପଛରେ ଏହି ଦେଶର ଲୋକଙ୍କ ହାତ ଥିଲା। ଏହି ଭାରତୀୟମାନେ ବିଦେଶୀ ଆକ୍ରମଣକାରୀଙ୍କ ସହ ହାତ ମିଶାଇ ନିଜର ଭାଇ ବିରାଦରିଙ୍କ ବିରୋଧରେ ମସୁଧା କରିଥିବାର ପ୍ରମାଣ ବାରମ୍ବାର ଏହି ଦେଶର ଇତିହାସରୁ ପଢ଼ିବାକୁ ମିଳିଛି। କେବଳ ଯେ ଆକବରଙ୍କ ଜଣେ ରାଜପୁତ ରାଣୀ ଥିଲେ ତାହା ନୁହେଁ, ସବୁ ମୁସଲମାନ ଏବଂ ପରବର୍ତ୍ତୀ ସମୟରେ ଗୋରା ଶାସକମାନଙ୍କୁ ଏଇ ଭାରତୀୟ ରକ୍ତ ଡାକିଆଣି ଦେଶର କ୍ଷତି କରାଇଛି। ଏହିଭଳି ଇତିହାସକୁ ଘୋଡ଼ାଇବାକୁ ହେଲେ ଦେଶର ଅର୍ଥନୈତିକ ଉନ୍ନତି ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱ ରଖୁଛି। ଗରିବ ଲୋକ ନିଜର ପେଟ ପାଇଁ ଅଧିକ ଚିନ୍ତା କରିଥାଏ। ଭୋକିଲା ପେଟକୁ ଦେଶପ୍ରେମ ଶୁଣାଇବା ଏକ ଅଯଥା ପ୍ରୟାସ। କିନ୍ତୁ ପେଟ ପୂରିଥିଲେ ଏବଂ ସମାଜରେ ସୁଖଶାନ୍ତି ଥିଲେ, ସମସ୍ତେ ଦେଶକୁ ପ୍ରେମ କରିବେ। କେବଳ ପାର୍ଲାମେଣ୍ଟ, ରାଷ୍ଟ୍ରପତି ଭବନ ଏବଂ ଆଖପାଖର ଐତିହାସିକ କୀର୍ତ୍ତିକୁ ଭାଙ୍ଗିଦେଲେ ଇତିହାସ କିମ୍ବା ମଣିଷ ଚରିତ୍ର ବଦଳିବ ନାହିଁ।
ଏହା ବ୍ୟତୀତ ଇତିହାସ ଧ୍ୱଂସ କରିବା ପାଇଁ ଆକ୍ରମଣକାରୀ ସବୁବେଳେ ଚେଷ୍ଟା କରେ। ଗୁଜରାଟର ସୋମନାଥ ମନ୍ଦିର କିମ୍ବା ଓଡ଼ିଶାର କଳାପାହାଡ଼ ଦ୍ୱାରା ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ଦର୍ଶାଉଛି ଯେ, ଜାତି ଧ୍ୱଂସ କରିବାକୁ ହେଲେ ଇତିହାସ ଲିଭେଇଦିଅ।
ଯଦି ଗୋରାଙ୍କ ଇତିହାସ ଧ୍ୱଂସ କରିବାକୁ ଯାଇ ଆଜିର ପାର୍ଲାମେଣ୍ଟକୁ ଭଙ୍ଗାଯିବ, ତେବେ ସେମାନଙ୍କ ଦ୍ୱାରା ନିର୍ମିତ ଭାରତୀୟ ରେଳ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିବା କଥା ଚିନ୍ତା କରାଯିବା ଦରକାର। ତାହା ପରିବର୍ତ୍ତେ ଏକ ନୂଆ ଗମନାଗମନର ବ୍ୟବସ୍ଥା ହେବା ଦରକାର। ସେହି ରେଳ ଲାଇନ୍‌ ସହିତ ନୂଆ ରେଳପଥ ସଂଯୋଗ କରିବା ଏକ ବିରାଟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ। ଓଡ଼ିଆରେ ଢଗ ଅଛି-‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri