ମୂଳୁ ମାଇଲେ

ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ନିର୍ମାଣକୁ ସୁପ୍ରିମକୋର୍ଟ ୫ ଜାନୁୟାରୀ ୨୦୨୧ରେ ଅନୁମତି ଦେଇଛନ୍ତି। ଜଷ୍ଟିସ୍‌ ଏ. ଏମ୍‌. ଖାନ୍‌ଓ୍ବିଲକର ଓ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ସପକ୍ଷରେ ରାୟ ଦେଇଥିବା ବେଳେ ଜଷ୍ଟିସ୍‌ ସଞ୍ଜୀବ ଖାନା ଭିନ୍ନ ମତ ରଖିଛନ୍ତି। ମାଷ୍ଟରପ୍ଲାନ୍‌ରେ ଦର୍ଶାଯାଇଥିବା ଜମି ବ୍ୟବହାର ନିୟମରେ ପରିବର୍ତ୍ତନ ଅଣାଯାଇଥିବାରୁ ଜଷ୍ଟିସ୍‌ ଖାନା ଅନ୍ୟ ଦୁଇ ପିଚାରପତିଙ୍କ ରାୟ ସହ ଏକମତ ହୋଇନାହାନ୍ତି। ସେହିଭଳି ଏହି ପ୍ରକଳ୍ପ ଲାଗି ଜନଶୁଣାଣି ଉପରେ ସେ ଗୁରୁତ୍ୱ ଦେବା ସହ ହେରିଟେଜ୍‌ କଞ୍ଜରଭେଶନ୍‌ କମିଟିର ଅନୁମୋଦନ ନିତାନ୍ତ ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯେହେତୁ ୨:୧ ଅନୁପାତରେ ରାୟ ପ୍ରକାଶ ପାଇଛି, ସରକାର ଏହି କାର୍ଯ୍ୟକୁ ଆଗେଇ ନେବା ଲାଗି ସବୁଜ ସଙ୍କେତ ପାଇଗଲେ ବୋଲି ଧରିନେବେ। ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭୂମିପୂଜା କରିଥିଲେ। ନିର୍ମାଣ ପାଇଁ କୋର୍ଟଙ୍କ ରାୟକୁ କେବଳ ଅପେକ୍ଷା ଥିଲା।
ପାର୍ଲାମେଣ୍ଟ ଭବନ ସୁଦୃଢ଼ ଥିବା ବେଳେ ଏପରି ଏକ ବୃହତ୍‌ ପ୍ରକଳ୍ପର ଆବଶ୍ୟକତା କ’ଣ ଅଛି ବୋଲି ବିରୋଧୀ ଦଳ ସମେତ ସାମାଜିକ କର୍ମକର୍ତ୍ତାମାନେ ଅଭିଯୋଗ କରିଆସୁଛନ୍ତି। ସରକାର ସଫେଇ ଦେଉଛନ୍ତି ଯେ, ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ପାର୍ଲାମେଣ୍ଟରେ କମ୍‌ ଜାଗା ଅଛି। ସେହିପରି ସେଥିରେ କୌଣସି ଅଗ୍ନି ନିର୍ବାପକ ଓ ଭୂକମ୍ପ ସହନକାରୀ ବ୍ୟବସ୍ଥା ନାହିଁ। ଏଥିରେ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ରହିବା ଲାଗି ଯୋଜନା କରାଯାଇଥିବାରୁ ତାହା ସରକାରଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ସରକାରଙ୍କ ପକ୍ଷରୁ କୋର୍ଟରେ ଏହା ମଧ୍ୟ ଯୁକ୍ତି ରଖାଯାଇଥିଲା ଯେ, ସେଣ୍ଟ୍ରାଲ ଭିଷ୍ଟା ସରକାରଙ୍କ ଏକ ନୀତିଗତ ନିଷ୍ପତ୍ତି। ମୌଳିକ ଅଧିକାର କ୍ଷୁଣ୍ଣ ହେଉ ନ ଥିଲେ କୋର୍ଟ ଏହାକୁ ବାତିଲ କରିପାରିବେ ନାହିଁ ବୋଲି ସରକାର କହିଥିଲେ।
ନୂଆ ଭାରତ ନିର୍ମାଣ ଲାଗି କେନ୍ଦ୍ର ସରକାର ବିଭିନ୍ନ ଯୁକ୍ତିର ସାହାରା ନେଇ ସେଣ୍ଟ୍ରାଲ ଭିଷ୍ଟାକୁ ସମର୍ଥନ କରିପାରନ୍ତି। କିନ୍ତୁ ନୂଆ ନିର୍ମାଣର ଅର୍ଥ ନୁହେଁ ଇଟା, ସିମେଣ୍ଟ ପାଇଁ ଏବେ ୨୦ ହଜାର କୋଟି ଟଙ୍କାର ଏକ ନୂଆଦିଲ୍ଲୀ ଗଠନ କରିବା। ନୂଆ ଭାରତ ତିଆରି କରିବାକୁ ହେଲେ ସର୍ବନିମ୍ନ ସ୍ତରରେ ବଞ୍ଚୁଥିବା ଭାରତୀୟ ନାଗରିକ ପାଖରେ ମୌଳିକ ସୁବିଧା ପହଞ୍ଚାଇବା। ଯେତେବେଳେ ନ୍ୟାୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ବାରମ୍ବାର କୁହାଯାଉଛି ସୁପ୍ରିମ୍‌କୋର୍ଟଙ୍କଠାରୁ ଆରମ୍ଭକରି ନିମ୍ନ ଅଦାଲତ ପର୍ଯ୍ୟନ୍ତ ଅନେକ ଲକ୍ଷ ମକଦ୍ଦମା ପଡ଼ିରହିଛି, ସେତେବେଳେ ସେହି ପରିସ୍ଥିତିର ସୁଧାର ଆଣିବା ହେବାକଥା ନୂଆ ଭାରତ ଲକ୍ଷ୍ୟ। ଯେତେବେଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ବିଜୁଳି, ପାନୀୟଜଳ ପ୍ରତ୍ୟେକ ବାସଗୃହରେ ପହଞ୍ଚି ନାହିଁ, ସେତେବେଳ ପର୍ଯ୍ୟନ୍ତ ନୂଆ ଭାରତ କେବଳ ଏକ ସ୍ଲୋଗାନ। ଯେ ପର୍ଯ୍ୟନ୍ତ ସାଧାରଣ ଭାରତୀୟ ନାଗରିକଙ୍କ ନିକଟରେ ସର୍ବନିମ୍ନ ସ୍ବାସ୍ଥ୍ୟସେବା ପହଞ୍ଚି ପାରିନାହିଁ, ସେ ପର୍ଯ୍ୟନ୍ତ ନୂଆ ଭାରତ ନାମ ଉଚ୍ଚାରଣ କରିବା ମହାପାପ। ଏହା ସହିତ ଆହୁରି ଅନେକ ଚାହିଦା ରହିଛି, ଯାହାକି ପ୍ରତ୍ୟେକ ନାଗରିକର ବଞ୍ଚିବା ପାଇଁ ଦରକାର। ସେଗୁଡ଼ିକୁ ଯୋଗାଇବା ହେଉଛି ନୂଆ ଭାରତ ଗଠନ କରିବାକୁ ଇଚ୍ଛୁକ ସରକାରର ପ୍ରଥମ ଦାୟିତ୍ୱ। କିନ୍ତୁ ଦୁଃଖର ବିଷୟ ଯେ, ମୌଳିକ ଆବଶ୍ୟକତାଗୁଡ଼ିକୁ ଅଣଦେଖା କରି ଇତିହାସ ସୃଷ୍ଟି କରିବାର ଉଦ୍ଦେଶ୍ୟ ଅନେକଙ୍କ ମୁଣ୍ଡରେ ପାଗଳାମି ଭାବେ ଜୁଟିଛି।
ମନେରଖିବାକୁ ହେବ ଯେ, କୌଣସି ଜାତିର ଇତିହାସକୁ ଲିଭେଇ ଇତିହାସ ସୃଷ୍ଟି କରାଯାଏ ନାହିଁ। ଯେଉଁ ଦେଶରେ ଏଭଳି ପ୍ରଚେଷ୍ଟା କରାଯାଇଛି, ଖୁବ୍‌ ଅଳ୍ପ ସମୟରେ ସେହିସବୁ ଦେଶ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇଛି। ଏଠାରେ ସବୁଠାରୁ ଉପଯୁକ୍ତ ଉଦାହରଣ ଭାବେ ସୋଭିଏଟ୍‌ ରୁଷିଆର କଥା ଦୋହରା ଯାଇପାରେ। ୪୦୦ ବର୍ଷର ଜାର୍‌ ସାମ୍ରାଜ୍ୟକୁ ଧ୍ୱଂସ କରି ଗଢ଼ିଉଠିଥିବା ସୋଭିଏଟ୍‌ ସଂଘ ମାତ୍ର ୬୯ ବର୍ଷରେ ଭାଙ୍ଗି ଚୂରମାର ହୋଇଗଲା। ଆଜିର ଭାରତରେ ଏଭଳି ଅନେକେ ଅଛନ୍ତି, ଯେଉଁମାନେ ଏହାର କାରଣ ଭାବେ କମ୍ୟୁନିଷ୍ଟ ଶାସନକୁ ଦର୍ଶାଇବେ। ବୋଲ୍‌ସେଭିକ୍‌ ବିଦ୍ରୋହ ପରେ ଦୀର୍ଘ ସମୟର ଜାର୍‌ ଇତିହାସକୁ ଧ୍ୱଂସ କରିଦିଆଗଲା। ଅନ୍ୟପଟେ ସେହିଭଳି କମ୍ୟୁନିଷ୍ଟ ଚିନ୍ତାଧାରାର ମାଓ ସେ-ତୁଙ୍ଗ୍‌ ଚାଇନାରେ ବିପ୍ଳବ ଆଣିଲେ, କିନ୍ତୁ ଇତିହାସକୁ ଧ୍ୱଂସ କଲେ ନାହିଁ। ସେହି କମ୍ୟୁନିଷ୍ଟ ଦଳ ଦ୍ୱାରା ଚାଇନା ଆଜି ପୃଥିବୀର ସର୍ବବୃହତ୍‌ ଶକ୍ତିଶାଳୀ ଦେଶ ଭାବେ ଗଢ଼ିଉଠିଛି। କୁହାଯାଉଛି ଯେ, ୨୦୨୮ ମସିହା ବେଳକୁ ଚାଇନାର ଜିଡିପି ଆମେରିକା ଜିଡିପିଠାରୁ ଅଧିକ ହୋଇଯିବ। ଏହା ବ୍ୟତୀତ ଯେଉଁମାନେ ପୃଥିବୀ ଭ୍ରମଣ କରିଥିବେ ସମସ୍ତେ ସ୍ବୀକାର କରିବେ ଯେ, ଅନ୍ୟ ଦେଶଗୁଡ଼ିକରେ ସବୁ ଇତିହାସକୁ ସାଇତିକରି ଜଗି ରଖିଛନ୍ତି। ନିଜର ଇତିହାସ ମଣିଷ ଜାତିକୁ ପ୍ରେରଣା ଦେବା ସହ ପୂର୍ବର ଦୋଷତ୍ରୁଟି ସମ୍ପର୍କରେ ମନେପକାଇଥାଏ। ଭିଏଟ୍‌ନାମ ଭଳି ଏକ କ୍ଷୁଦ୍ର ଦେଶ ମଧ୍ୟ ତାହାର ଆମେରିକା ସହ ଦୀର୍ଘଦିନର ଯୁଦ୍ଧ ଇତିହାସକୁ ବହୁତ ସ୍ନେହର ସହ ବଞ୍ଚାଇ ରଖିଛି। ତା’ଫଳରେ ସେହି ଦେଶର ଯୁବପିଢ଼ି ପୂର୍ବପୁରୁଷଙ୍କ ବଳିଦାନକୁ ମନେରଖିଛି। ଆଜି ଦିଲ୍ଲୀର ଇତିହାସ ବଦଳାଇଲା ବେଳକୁ କୁହାଯାଉଛି ଯେ, କଳଙ୍କିତ ମୁସଲମାନ ମୋଗଲ ଏବଂ ଖ୍ରୀଷ୍ଟିଆନ ଗୋରାଙ୍କ ଛାପ ଲିଭାଇ ଦିଆଯିବ। ଏଭଳି କହୁଥିବା ବ୍ୟକ୍ତି ନିଜ ପୂର୍ବପୁରୁଷଙ୍କ ଅନ୍ତର୍ଘାତୀ କାର୍ଯ୍ୟକୁ ଭୁଲିବାକୁ ଚାହୁଁଛନ୍ତି। ଏହି ମାଟି ଉପରେ ନିଜର କ୍ଷମତା ଜାହିର କରିବା ପାଇଁ ଇଚ୍ଛୁକ ମୁସଲମାନ ଶାସକମାନଙ୍କୁ ଭାରତରେ ପ୍ରବେଶ ଦ୍ୱାର କିଏ ଖୋଲିଥିଲା ତାହା ଇତିହାସ ପଢ଼ିଥିବା ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି। ସେହିଭଳି ବ୍ୟବସାୟ କରିବାକୁ ଆସିଥିବା ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଶାସନ ଗାଦିରେ ବସାଇବା ପାଇଁ ସୁଯୋଗ କିଏ ଦେଇଥିଲା ମଧ୍ୟ ଇତିହାସ ଆମକୁ ଜଣାଇଛି। ମନେରଖିବାକୁ ହେବ ଯେ, ଭାରତ ମାଟିରେ ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ଧର୍ମ ଜନ୍ମ ନେଇ ନ ଥିଲେ। ସବୁ କେଳେଙ୍କାରୀ ପଛରେ ଏହି ଦେଶର ଲୋକଙ୍କ ହାତ ଥିଲା। ଏହି ଭାରତୀୟମାନେ ବିଦେଶୀ ଆକ୍ରମଣକାରୀଙ୍କ ସହ ହାତ ମିଶାଇ ନିଜର ଭାଇ ବିରାଦରିଙ୍କ ବିରୋଧରେ ମସୁଧା କରିଥିବାର ପ୍ରମାଣ ବାରମ୍ବାର ଏହି ଦେଶର ଇତିହାସରୁ ପଢ଼ିବାକୁ ମିଳିଛି। କେବଳ ଯେ ଆକବରଙ୍କ ଜଣେ ରାଜପୁତ ରାଣୀ ଥିଲେ ତାହା ନୁହେଁ, ସବୁ ମୁସଲମାନ ଏବଂ ପରବର୍ତ୍ତୀ ସମୟରେ ଗୋରା ଶାସକମାନଙ୍କୁ ଏଇ ଭାରତୀୟ ରକ୍ତ ଡାକିଆଣି ଦେଶର କ୍ଷତି କରାଇଛି। ଏହିଭଳି ଇତିହାସକୁ ଘୋଡ଼ାଇବାକୁ ହେଲେ ଦେଶର ଅର୍ଥନୈତିକ ଉନ୍ନତି ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱ ରଖୁଛି। ଗରିବ ଲୋକ ନିଜର ପେଟ ପାଇଁ ଅଧିକ ଚିନ୍ତା କରିଥାଏ। ଭୋକିଲା ପେଟକୁ ଦେଶପ୍ରେମ ଶୁଣାଇବା ଏକ ଅଯଥା ପ୍ରୟାସ। କିନ୍ତୁ ପେଟ ପୂରିଥିଲେ ଏବଂ ସମାଜରେ ସୁଖଶାନ୍ତି ଥିଲେ, ସମସ୍ତେ ଦେଶକୁ ପ୍ରେମ କରିବେ। କେବଳ ପାର୍ଲାମେଣ୍ଟ, ରାଷ୍ଟ୍ରପତି ଭବନ ଏବଂ ଆଖପାଖର ଐତିହାସିକ କୀର୍ତ୍ତିକୁ ଭାଙ୍ଗିଦେଲେ ଇତିହାସ କିମ୍ବା ମଣିଷ ଚରିତ୍ର ବଦଳିବ ନାହିଁ।
ଏହା ବ୍ୟତୀତ ଇତିହାସ ଧ୍ୱଂସ କରିବା ପାଇଁ ଆକ୍ରମଣକାରୀ ସବୁବେଳେ ଚେଷ୍ଟା କରେ। ଗୁଜରାଟର ସୋମନାଥ ମନ୍ଦିର କିମ୍ବା ଓଡ଼ିଶାର କଳାପାହାଡ଼ ଦ୍ୱାରା ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ଦର୍ଶାଉଛି ଯେ, ଜାତି ଧ୍ୱଂସ କରିବାକୁ ହେଲେ ଇତିହାସ ଲିଭେଇଦିଅ।
ଯଦି ଗୋରାଙ୍କ ଇତିହାସ ଧ୍ୱଂସ କରିବାକୁ ଯାଇ ଆଜିର ପାର୍ଲାମେଣ୍ଟକୁ ଭଙ୍ଗାଯିବ, ତେବେ ସେମାନଙ୍କ ଦ୍ୱାରା ନିର୍ମିତ ଭାରତୀୟ ରେଳ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିବା କଥା ଚିନ୍ତା କରାଯିବା ଦରକାର। ତାହା ପରିବର୍ତ୍ତେ ଏକ ନୂଆ ଗମନାଗମନର ବ୍ୟବସ୍ଥା ହେବା ଦରକାର। ସେହି ରେଳ ଲାଇନ୍‌ ସହିତ ନୂଆ ରେଳପଥ ସଂଯୋଗ କରିବା ଏକ ବିରାଟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ। ଓଡ଼ିଆରେ ଢଗ ଅଛି-‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri