ମନେପଡ଼େ ବୋଉ

ଛନ୍ଦା ମିଶ୍ର

 

ମୋ ବୋଉର ସ୍ୱରଟି ଭାରି ମିଠା, ଖୁବ୍‌ ସୁନ୍ଦର ଗୀତ ସେ ଗାଏ ହାରମୋନିୟମ ବଜେଇ। ଆଉ ସେ ଯେତେବେଳେ ଆମକୁ ଶୋଇ ପକାଇ ଧୋରେ ବାଇଆ ଧୋଠାରୁ ନେଇ ମନବୋଧ ଚଉତିଶା ପର୍ଯ୍ୟନ୍ତ ଗାଏ, ମତେ ଲାଗେ ସେ ଏମିତି ଗାଉ ଥାଉ.. । ଗାଇ ଗାଇ ତା’ ଆଖି ମୁଜି ହୋଇଯାଏ, ହେଲେ ମୋ ମନ ପୂରେନା। ମୁଁ କହେ, ବୋଉ ଆଉ ଗାଉନୁ… । ବୋଉ ରାଗେ… ଜଲଦି ଶୁଅ, ଏତେ ଗୀତ ବୋଲିଲିଣି, ତଥାପି ଶୋଉନୁ…। ସବୁଥର ଭଳି ଏଥର ବି ବୋଉ ଆଗେ ଶୋଇପଡ଼େ। ତାରି ପାଖରେ ଶୋଇ ତାରି କାନି ଧରି ଖେଳୁ ଖେଳୁ କେତେବେଳେ ମତେ ନିଦ ହୋଇଯାଏ, ଜାଣେନା । ହେଲେ ସକାଳେ ଉଠିଲା ବେଳକୁ ବୋଉ ନ ଥାଏ ପାଖରେ। ଭୋରୁ ଉଠି ଦୁଆରେ ଗୋବର ପାଣି ପକେଇ, ଠାକୁରଙ୍କ ପାଇଁ ଫୁଲ ତୋଳି, ଜେଜେମା ପାଇଁ ଢାଳରେ ପାଣି ଓ ଦାନ୍ତକାଠି ସଜାଡି ରଖି, ଗାଧୋଇ ସାରି, ହାଣ୍ଡିଶାଳେ ଚୁଲିରେ ଚା’ ବସେଇ ଥାଏ। ମୁଁ ଯାଇ ତା’ ପାଖରେ ଖୁନ୍ଦିହୋଇ ବସେ । ବୋଉ ମତେ ଆଉଁଶି ଦିଏ, ଦାନ୍ତ ଘଷିବୁ ଯା.. କହିଲେ ଯାଇ ମୋ ନିଦ ଭାଙ୍ଗେ।
ସ୍କୁଲ ଗଲା ବେଳକୁ ସେମିତି ଜିଦି କରେ, ମତେ ଖୁଆଇ ଦେ…। ଭାତ ଡାଲି ଆଳୁଚକଟାକୁ ଗୋଳେଇ ସେ ଯେତେବେଳେ ଖୁଆଇ ଦିଏ ତା’ ହାତର ତିନୋଟି ଗୁଣ୍ଡାରେ ମୋ ପେଟ ପୂରିଯାଏ। ମୁହଁ ଧୋଇ ତା’ କାନିରେ ଓଦା ମୁହଁ ପୋଛି ଦେଲେ ମନ ପୂରି ଉଠେ। ପୁଣି ଦେହ ଖରାପ ଥାଉ କି ମନ ଉଦାସ ଥାଉ, ତା’ କୋଳରେ ଟିକେ ମୁଣ୍ଡ ଗୁଞ୍ଜି ଦେଲେ, ଅଶାନ୍ତ ମନ ମୋର ପ୍ରଶାନ୍ତିରେ ଭରି ଉଠେ, ଲାଗେ ସବୁ ଠିକ୍‌ ଅଛି।
ହେଲେ ଯେବେ ମୁଁ ଜାଣିଲି ମୋ ବୋଉ ଭାରି ମିଛେଇ ବୋଲି ସେଦିନ ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସାତ ଭାଇ ଭଉଣୀର ଘର। ତା’ ସାଙ୍ଗରେ ନିଇତି ଘରେ କୁଣିଆ। ସେଦିନ ହଠାତ୍‌ ମାମୁ ତାଙ୍କ ଦୁଇ ସାଙ୍ଗଙ୍କ ସହ ଆସି ପହଞ୍ଚି ଥାନ୍ତି। ଶନିବାର ଯୋଗୁ ଅଧାଦିନ ସ୍କୁଲ ଛୁଟି। ମୁଁ କହି ଯାଇଥାଏ, ବୋଉଲୋ ମୁଁ ଫେରିଲେ ତୋ ସାଙ୍ଗରେ ଖାଇବି..। ସ୍କୁଲରୁ ଫେରିଲା ବେଳକୁ ସେ ମୋ ପାଇଁ ପଖାଳ ବାଢ଼ି ଆଳୁ ସିଝାଟିଏ ଚକଟୁ ଥାଏ। କହିଲି କେତେ କଥା ରାନ୍ଧିବୁ କହୁଥିଲୁ, ଆଉ.. ବୋଉ ମୋ ପାଟିରେ ହାତ ଦେଇ କହିଲା, କାଇଁ ଏଡ଼େ ପାଟିଟା କରୁଛୁ, କୁଣିଆ ଆସିଲେ ପରା… । ମୁଁ ଖାଇବାକୁ ବସି କହିଲି, ତୋର ବାଢୁନୁ.. ଉତ୍ତର ଦେଲା, ମୁଁ ଖାଇ ସାରିଛି । ଚକିତ ହେଲି… ମତେ ଛାଡ଼ି ତ ବୋଉ କେବେ ଖାଏନି, ବୋଧେ ବେଶି ଭୋକ କରିଥିବ! ଖାଇସାରି, ଜହ୍ନମାମୁଟିଏ ଧରି ଗଡୁ ଗଡୁ ରୋଷେଇ ଘରେ ଖଡ଼ଖାଡ଼ ଶୁଣି ଉଠି ଦେଖିଲି, ସେ ନିଜ ପାଇଁ ଚୁଡ଼ା ଚିନି ଗୋଳୋଉଛି। ଧୀରେ ଧୀରେ ଏମିତି ତା’ର ଅନେକ ମିଛ ମୁଁ ଜାଣିପାରିଲି। ବାପା ଜାଣିଲେ ରାଗିବେ କହି ସେ କେତେ କଥା ମନେଇ ନିଏ। ହେଲେ ସବୁ ମିଛ ପଛରେ ଥାଏ ଆମ ପାଇଁ ମଙ୍ଗଳ କାମନା।
ବୋଉଠାରୁ ଅଧିକ ଦାନୀ ମୁଁ କାହାକୁ ଦେଖିନି। କେଉଁ ଉପାଦାନରେ ସେ ଗଢ଼ା କେଜାଣି, ଭୋକରେ ରହି ନିଜ ଖାଦ୍ୟରେ ଅନ୍ୟର ପେଟ ପୂରିଲେ ସେ ଭାରି ଖୁସି ହୁଏ। ସେଥିପାଇଁ ସକାଳୁ ସଞ୍ଜ ଯାଏ ଘର ଆଗରେ ଗାଈ ଗୋରୁଙ୍କଠାରୁ ନେଇ ସନ୍ନ୍ୟାସୀ, ଗରିବ ବ୍ରାହ୍ମଣ ଓ ଭିକାରିଙ୍କ ଭିଡ଼ ହୁଏ। ଲାଗୁଥିଲା ସତେ ଯେମିତି ସେ କେବଳ ଆମର ବୋଉ ନ ଥିଲା, ଥିଲା ଏ ସମସ୍ତଙ୍କର ବୋଉ। ଭିକାରି ଓ ସନ୍ନ୍ୟାସୀମାନେ ତାକୁ ମା’ ବୋଲି ସମ୍ବୋଧନ କରୁଥିଲେ, କିନ୍ତୁ ସେ ସକାଳୁ ଉଠି ଦାଣ୍ଡ କବାଟ ଖୋଲିବା କ୍ଷଣି କାଉଠାରୁ ନେଇ ଗୁଣ୍ଡୁଚି ଯାକେ, ତାଙ୍କ ଅବୋଧ୍ୟ ଭାଷାରେ ଏମିତି କିଚିରି ମିଚିରି ହେଉଥିଲେ ଯେ ଲାଗୁଥିଲା ଯେମିତି ସେମାନେ କହୁଛନ୍ତି, ହେଇ ବୋଉ ଆସିଲାଣି…
କଥା କଥାକେ ଭାଗବତରୁ ଉଦ୍ଧୃତି ଦେଉଥିବା ମୋ ବୋଉ ଖୁବ୍‌ ଭଗବତ୍‌ ବିଶ୍ୱାସୀ ଥିଲା। ଜୀବନରେ ଆସିଥିବା ସମସ୍ତ ଜଞ୍ଜାଳକୁ ସେଇ ଈଶ୍ୱରଙ୍କ ଇଚ୍ଛା କହି ହସି ହସି ସହିଗଲା। ସେଇ ଭାଗବତଙ୍କୁ ପୁଞ୍ଜି କରି ବେଶ୍‌ ନିୟମ ନିଷ୍ଠାରେ ଜୀବନ କାଟିଥିଲା ସେ। ସେଇ ଭାଗବତ କହନ୍ତି, ‘ପ୍ରାଣୀଙ୍କ ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି’। କାହା ଉପରେ ବୋଝ ନ ହେଇ, କାହାକୁ କଷ୍ଟ ନ ଦେଇ, ହଠାତ୍‌ ଚାଲିଗଲା ବଡ଼ ଏକାଦଶୀରେ । ଏମିତି ଶୋଇଥିଲା ଯେ ଦେଖିଲେ ଲାଗୁଥିଲା, ଏଇ ଉଠି ବସିବ… ପଚାରିବ, ମାଆ ଖାଇଚୁ.. ଛୁଆ କେମିତି ଅଛନ୍ତି.. ଇତ୍ୟାଦି ଇତ୍ୟାଦି। ବିଶ୍ବାସ କରି ହେଉ ନ ଥିଲା ଯେ ସେ ଚାଲିଯାଇଛି…
ଦୁଇ ବର୍ଷ ପରେ ବି ଲାଗେ ବୋଉ ଯେମିତି ଅଛି.. ଏଇଠି କୋଉଠି, ଏଇ ମତେ ଡାକିବ..। ଆଖିରୁ ଝରି ଯାଉଥିବା ଲୁହକୁ ତା’ ପଣତ କାନିରେ ପୋଛିଦେଇ କହିବ, ସଂସାର ଭିତରେ ଥିଲେ ସମସ୍ୟା ତ ଆସିବ, ତାକୁ ଡରିଲେ କ’ଣ ଚଳିବ ଝିଅ । ଭରସା ରଖିବୁ, ଯୋଉ ଠାକୁର ସମସ୍ୟା ଦେଇଛନ୍ତି ସେଇ ପୁଣି ସମାଧାନ ବତେଇ ଦେବେ, ଧୈର୍ଯ୍ୟ କେବେ ହରାଇବୁ ନାହିଁ।
ତୋ କଥା ଭାରି ମନେପଡୁଛି ଲୋ ବୋଉ… ଆଜି ଆଉ କେହି ନାହିଁ ଯେ ପଚାରିବ… ଝିଅ ତୁ ଖାଇଲୁଣି! ଏଠି ସବୁ ସମ୍ପର୍କ, ସ୍ବାର୍ଥରୁ ଆରମ୍ଭ ହୋଇ ସ୍ବାର୍ଥରେ ସରେ । ତୋ ପରି ନିଃସ୍ବାର୍ଥପର, ତୋ ପରି ମମତାମୟୀ, ତୋ ପରି ଉଦାର… ଆଉ କିଏ ହେବ! ତୋ ବିନା ଜୀବନକୁ ଜୀବନ ବୋଲି କହିବାକୁ ବି ସଙ୍କୋଚ ଲାଗୁଚି। ତୋ’ ପଣତକାନିର ସେଇ ନିଆରା ମହକକୁ ଆଜି ବି ମନ ଝୁରୁଛି। ବୋଉ ଲୋ…ଏ ଅବୁଝା ଝିଅର ଅନେକ ଅଳି ଅଝଟ ତୁ ସହିଚୁ, ଏଇ ଶେଷ ଅଳିଟି ପୂରଣ କରିଦେ ଲୋ ବୋଉ… ଆର ଜନ୍ମକୁ ପୁଣି ତୋ’ କୋଳରେ ମତେ ଆଶ୍ରୟ ନେବାର ସୌଭାଗ୍ୟ ଦେ… ।
ମୋ-୯୪୩୭୪୫୩୬୧୦

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri