ସମୟ ସ୍ରୋତରେ ସମ୍ପର୍କ

ଡ. ସୌମ୍ୟା ପରିଡ଼ା

କେହି ଜଣେ ପଚାରିଲେ ବଞ୍ଚତ୍ବା ପାଇଁ କ’ଣ କର। କହିଲି ଲେଖାଲେଖି କରେ, ଗଛ ଲଗାଏ, ସାଙ୍ଗସାଥୀଙ୍କୁ ଭେଟେ। ଆଉ ଆପଣ? ସେ କହିଲେ, ମୁଁ କେବଳ କାମ କରେ। ଆଉ କିଛି କରିବାକୁ ସମୟ ହିଁ ନାହିଁ। ଜୀବନ ଏବେ ନିରାଶପ୍ରାୟ। ଘରୁ ଅଫିସ୍‌ ଆଉ ଅଫିସ୍‌ରୁ ଘର। ତା’ଛଡ଼ା ଆଉ କିଛି କରିହୁଏନି। ନୂଆ ବାହାଘର ପରେ ସିନା ଖୁସିର ସଂସାର ଚାଲେ। ହେଲେ ପରେ ସେସବୁ ଜଞ୍ଜାଳ। ଛୁଆପିଲା, ଘରର ହାନିଲାଭ ଆଉ କର୍ତ୍ତବ୍ୟରେ ବନ୍ଧା ମଣିଷ ଯାହା ନିଇତି ଦଉଡ଼ିବା କଥା। ଏବେ ଘରେ ପାଦ ଦେଉ ଦେଉ ସବୁଦିନ କଳି ନ ହେଲେ ମନୋମାଳିନ୍ୟ। କେତେ ଆଉ ଖେଟେଖେଟେ ଶୁଣିବି, ଏବେ ଯାହା ଶୁଣିଲେ ବି ଏ କାନରେ ପୂରେଇ ସେ କାନରେ ବାହାର କରିଦିଏ। ତା’ପରେ ବି ଶାନ୍ତି ନାହିଁ।
ମନୋଜ ”ସମୟ ସହ ସବୁକଥା ଧୀରେ ଧୀରେ ବଦଳେ। ଆଗରୁ ଅଫିସ୍‌ ସରିଲେ କେମିତି ଘରକୁ ଯିବି ଭାବୁଥିଲି। ହେଲେ ଏବେ ଏତେ ଜଞ୍ଜାଳ ବୋଝ ଯେ, କେମିତି ଅଧିକ କାମ କରି ପରିବାରର ଛୋଟ ବଡ଼ ଆବଶ୍ୟକତା ପୂରଣ କରିବି ସେଇ ଚିନ୍ତା। ତେଣୁ ଘରୁ ମୁଁ ସକାଳୁ ବାହାରିଯାଏ ଆଉ ଡେରି ରାତିରେ ପହଞ୍ଚେ।“
ମିନତି ”ନୂଆ ନୂଆ ବାହାହୋଇ ଆସିଲା ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଧୀରେ ଧୀରେ ଦିହିଙ୍କଠୁ କେବେ ଦୁହେଁ ଦୂରେଇଗଲୁ ଜଣାପଡ଼ିଲାନି। ଆଗରୁ ଶାଶୁ, ଶ୍ୱଶୁର, ଦିଅର, ନଣନ୍ଦ ଆଉ ଏବେ ନିଜ ପିଲାମାନେ ଆମର ପ୍ରାଥମିକତା। ତେଣୁ ତା’ ଭିତରେ ଦିହିଙ୍କ ସମ୍ପର୍କ କଥା ପଚାରେ କିଏ।“
ଆଜିକାଲି ବିଭିନ୍ନ କାରଣ ନେଇ ଉଭୟ ମହିଳା ଓ ପୁରୁଷ ଚାପଗ୍ରସ୍ତ। ଆଉ ସେଥିପାଇଁ ପାରିବାରିକ କଳହ, ଘରୋଇ ହିଂସା, ଛାଡ଼ପତ୍ର, ହତ୍ୟାା ଏସବୁ ଯେମିତି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଆମ ଜେଜେମା’ ଜେଜେବାପା, ଆମ ମା’-ବାପା ଆଉ ଆମର ଏବେକାର ସମ୍ପର୍କ ଭିତରେ ଯେମିତି ଆକାଶପାତାଳ ତଫାତ୍‌। ସେତେବେଳେ ଆର୍ଥିକସ୍ତରରେ ଏତେ ସ୍ବଚ୍ଛଳ ନ ଥିଲେ ବି ମାନସିକସ୍ତରରେ ସେମାନେ ଆମଠୁ ଥିଲେ ଢେର୍‌ ଆଗରେ। ଯୌଥ ପରିବାରର ମଜା ଥିଲା ଅଲଗା। ପରସ୍ପର ପ୍ରତି ସ୍ନେହ, ଆଦର, ଅସୁବିଧାରେ ଜଣେ ଅନ୍ୟ ଜଣଙ୍କର ସାହାରା ହେବା, ସମ୍ପର୍କକୁ ନିଜ ନିଜ ଭିତରେ ସଜାଡ଼ି ରଖିବା ଯେମିତି ସେମାନଙ୍କ ପାଇଁ ବେଶ୍‌ ସହଜ ଥିଲା। କିନ୍ତୁ ଏବେ ପରିବାର କହିଲେ ମା’-ବାପା ଆଉ ଛୁଆ। ତା’ସହ ମୋଟାଅଙ୍କର ଦରମା ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ଆମ ସମ୍ପର୍କକୁ ଯୋଡ଼ିପାରୁନାହିଁ। ଭବିଷ୍ୟତକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁ କରୁ ଆମେ ଯେମିତି ବର୍ତ୍ତମାନକୁ ନିଜଠୁ ଦୂରେଇ ଦେଇଛେ। ‘ଆଜି’ଠାରୁ ଆମକୁ ‘ଆସନ୍ତାକାଲି’ର ନିଶା ବେଶି ଘାରିଛି। ତେଣୁ ବିଭିନ୍ନ ସମୟରେ ସ୍ବାମୀ-ସ୍ତ୍ରୀର ସମ୍ପର୍କ ବଳିପଡ଼ୁଛି। ଉଭୟ ଶାରୀରିକ ଓ ମାନସିକସ୍ତରରେ ସମ୍ପର୍କ ଦୁର୍ବଳ ହେଉଛି, ଯାହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ୁଛି। କାମର ଚାପ, ଦାୟିତ୍ୱ ବୋଝ, ପରିବାର ଭରଣପୋଷଣର ଭାର, ଛୁଆର ଭବିଷ୍ୟତ ଏସବୁ ଭିତରେ ପେଷିହୋଇ ମଣିଷ କେବେ ନିଜଠୁ ଓ ନିଜ ଲୋକଙ୍କଠୁ ଦୂରେଇ ଯାଉଛି ଜାଣିହେଉନି। ଘରେ ନୁହେଁ ବରଂ ବାହାରେ ସାଙ୍ଗସାଥୀ, ଶୁଭେଚ୍ଛୁଟିଏ ହାନିଲାଭ ପଚାରିବାକୁ ଅଧିକ ଗୁରୁତ୍ୱ ଦେଉଛି। ନିଜ ଅଜାଣତରେ ନିଜ ଲୋକଙ୍କୁ ପଛରେ ଛାଡ଼ି ଅନ୍ୟ କାହା ସହ ସମୟ ବିତେଇବା, କଥାହେବା, ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପର୍କକୁ ନିବିଡ଼ କରିବାଟାକୁ ଅଧିକ ଗୁରୁତ୍ୱ ଦେଉଛି।
ଅନେକ ସମୟରେ ଜଞ୍ଜାଳ ଭିତରେ ଫସି ସ୍ବାମୀ-ସ୍ତ୍ରୀ ଉଭୟ ଉଭୟଙ୍କର ମନକଥା କହିପାରନ୍ତିନି। କେବେକେବେ ଜଣେ ଅନ୍ୟ ଜଣକୁ ବୁଝନ୍ତିନାହିଁ। ଆଉ କେବେକେବେ ମୁଁ କାହିଁକି ଆଗ କହିବି ସେ କହୁ, ମୁଁ କାହିଁକି ଆଗ ବୁଝେଇବି, ସେ କ’ଣ ମୋ ମନକଥା ବୁଝିପାରୁନାହିଁ, ଏମିତି ଭାବନାରେ ମାସ ମାସ ବିତିଯାଏ। ଆଉ ତା’ ଭିତରେ ଗୋଟିଏ ଛାତ ତଳେ ରହିଲେ ବି ମାନସିକସ୍ତରରେ ସେମାନେ ଉଭୟ ଉଭୟଙ୍କଠୁ ବହୁ ଦୂରକୁ ଚାଲିଯାଆନ୍ତି। ସ୍ବାମୀ-ସ୍ତ୍ରୀ ସମ୍ପର୍କ କେବଳ ଶାରୀରିକ ନୁହେଁ ବରଂ ମାନସିକ ବି। ହେଲେ ଆମ ସାମାଜିକ ଚଳଣି ଏମିତି, ଯୋଉଥିପାଇଁ ଏବେ ବି ଏସବୁକୁ ନେଇ ପରିବାରର ଅନ୍ୟ ସଦସ୍ୟମାନେ କଥାହେବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ ହେଲେ ସାଧାରଣତଃ ଘରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଏକୁଟିଆ ଛାଡ଼ିଦିଅନ୍ତି। ତେଣୁ ଅନେକ ସମୟରେ ସେମାନଙ୍କୁ କେହି ଟିକିଏ ବୁଝେଇଦେଲେ ଯେଉଁ କଥାର ସମାଧାନ ହୋଇଯିବା କଥା ସେଇଟି ହୁଏନାହିଁ। ଦୁଇଟି ଲୋକ ମାନସିକ ଓ ଶାରୀରିକସ୍ତରରେ ଯେତେ ନିବିଡ଼ ତାଙ୍କ ସମ୍ପର୍କ ସେତେ ସୁଦୃଢ଼। ହେଲେ ଯୋଉଠି ମଣିଷକୁ ଲାଗେ ତା’ ମନର ମଣିଷ ତାକୁ ସେତିକି ଗୁରୁତ୍ୱ ଦେଉନାହିଁ, ସେଇଠି ସମସ୍ୟା ହେବା ଆରମ୍ଭ ହୁଏ। କଥାଟା ସତ ହେଉ କି ସେ ଲୋକର ଭାବନା, କାରଣ ଯାହାହେଉନା କାହିଁକି ସମ୍ପର୍କରେ ଫାଟ ହେବା ଆରମ୍ଭ ହୁଏ। ମନୋବିଜ୍ଞାନୀ ଗୀତା ଦାସ (କାନାଡ଼ା)ଙ୍କ ମତରେ, ଅନ୍ୟ ଲୋକର ବ୍ୟବହାର ଓ କଥାବାର୍ତ୍ତା ଯେମିତି ଆମ ମନରେ ଭଲ ବା ଖରାପ ପ୍ରତିକ୍ରିୟା ସୃଷ୍ଟିକରେ, ସେମିତି ଆମ ବ୍ୟବହାର ଓ କଥାବାର୍ତ୍ତା ତା’ ମନରେ ମଧ୍ୟ ଭଲ କି ଖରାପ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏଥିପାଇଁ କ୍ରିୟା-ପ୍ରତିକ୍ରିୟାର ବିଷଚକ୍ର ଭାଙ୍ଗିବାକୁ ପଡ଼ିଲେ ଅନ୍ୟ ଲୋକକୁ ଅପେକ୍ଷା ନ କରି ନିଜକୁ ଆଗକୁ ଆସିବାକୁ ପଡ଼ିବ। ଅନ୍ୟ ଲୋକର ବ୍ୟବହାର ଉପରେ ଆପଣଙ୍କର ନିୟନ୍ତ୍ରଣ ନାହିଁ। କିନ୍ତୁ ନିଜ ବୁଝାମଣା, କଥାବାର୍ତ୍ତା, ବ୍ୟବହାର, ମନୋଭାବ ବଦଳାଇପାରିଲେ ପରୋକ୍ଷ ଭାବରେ ଅନ୍ୟର ବ୍ୟବହାରକୁ ପ୍ରଭାବିତ କରିପାରିବେ।
ଯଦି କେହି ତମ ଜୀବନରୁ କେବେ ଦୂରେଇଯାଏ, ତୁମ କାହାଣୀର ଅନ୍ତ ହୁଏନାହିଁ। ବରଂ ତୁମ କାହାଣୀରେ ତା’ ଚରିତ୍ରର ଅନ୍ତ ହୁଏ। ସମୟ ସହ ସମ୍ପର୍କ ବି ଲିପାପୋଛା ଖୋଜେ, ମରାମତି ଖୋଜେ। କେବେ ସଜଡ଼ା ସମ୍ପର୍କ ଅସଜଡ଼ା ଲାଗେ ତ ଆଉ କେବେ ଦୀର୍ଘ ବର୍ଷର ଅସଜଡ଼ା ସମ୍ପର୍କ ପୁଣିଥରେ ସଜାଡ଼ି ହୋଇଯାଏ। ସମୟ ସ୍ରୋତରେ ନିଜକୁ ସମ୍ଭାଳି ନ ପାରି ଅନେକେ ଦିଗହରା ହୁଅନ୍ତି, ଅଧାବାଟରେ ଝୁଣ୍ଟିପଡ଼ନ୍ତି। ବୟସ ସହ ପରିପକ୍ୱତା ବି ବଢ଼େ। ତେଣୁ ପଛକୁ ଫେରି ଭାଙ୍ଗିଯାଇଥିବା ସମ୍ପର୍କ ଆଉ ଉଜୁଡ଼ା ସଂସାରକୁ ଦେଖିଲାବେଳେ ଅନେକେ ଭାବନ୍ତି, ବୋଧହୁଏ ସେ ସମୟର ନିଷ୍ପତ୍ତିଟା ଭୁଲ୍‌ ଥିଲା। ପଛକୁ ଫେରି ଉଜୁଡ଼ା ସମ୍ପର୍କକୁ ସଜାଡ଼ିବାକୁ ମନ ବଳାଇଲେ ବି ଆଉ ପରିସ୍ଥିତି ନ ଥାଏ।
ମୋ:୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri