Categories: ଖେଳ

ଶରଣାର୍ଥୀ ଦଳ ମୁଖ୍ୟ କରୋନା ପଜିଟିଭ

ଟୋକିଓ,୧୯।୭: ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଶରଣାର୍ଥୀ ଦଳ ମୁଖ୍ୟ ପୂର୍ବତନ ଡିଷ୍ଟାନ୍ସ ରନର ଟେଗ୍‌ଲା ଲୋରୋପ କରୋନା ପଜିଟିଭ ବୋଲି ଜଣାପଡିଛି। କୋଭିଡ୍‌-୧୯ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା। କାତାରର ଦୋହାସ୍ଥିତ ଟ୍ରେନିଂ ସେଣ୍ଟରରୁ ଟୋକିଓ ପ୍ରସ୍ଥାନ କରିବା ପୂର୍ବରୁ ହିଁ ଲୋରୋପ ପଜିଟିଭ ବୋଲି ଜଣାପଡିଥିଲେ। ଆସନ୍ତା ଶୁକ୍ରବାରଠାରୁ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଲୋରୋପ ପଜିଟିଭ ହେବା କାରଣରୁ ଶରଣାର୍ଥୀ ଦଳ ଟୋକିଓ ପହଞ୍ଚିବାରେ ବିଳମ୍ବ ହୋଇଛି।
ଆଗାମୀ କିଛି ଦିନ ମଧ୍ୟରେ ଦଳର ସଦସ୍ୟମାନେ ଟୋକିଓ ଯାତ୍ରା କରିବା ଆଶା କରାଯାଉଛି। କିନ୍ତୁ ଲୋରୋପ ସେଠାରେ ରହିବେ। ଶରଣାର୍ଥୀ ଦଳରେ ଜଣେ ଅଫିସିଆଲ କରୋନା ପଜିଟିଭ ବୋଲି ଆଇଓସି ତରଫରୁ ପୂର୍ବରୁ କୁହାଯାଇଥିଲା। ତେବେ ଦୋହାରେ ଥିବା ୨୬ ଆଥ୍‌ଲେଟ ଓ ଅନ୍ୟ ଅଫିସିଆଲମାନେ ଟେଷ୍ଟରେ ନେଗେଟିଭ ବୋଲି କୁହାଯାଇଥିଲା। ସେପଟେ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ରହୁଥିବା ୨ଜଣ ଆଥ୍‌ଲେଟ ପଜିଟିଭ ବୋଲି ରବିବାର ଆୟୋଜକମାନେ କହିଛନ୍ତି। କ୍ରୀଡ଼ାଗ୍ରାମରେ ଏମାନେ ପ୍ରଥମ ପଜିଟିଭ ବୋଲି କୁହାଯାଇଛି। ଏହି ଦୁଇ ଆଥ୍‌ଲେଟଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ।
ମାନବିକ ଅଧିକାରକୁ ଦୃଷ୍ଟିରେ ରଖି ଏହି ଶରଣାର୍ଥୀ ଦଳକୁ ଆଇଓସି ବେଶ୍‌ ପ୍ରୋତ୍ସାହିତ କରୁଛି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଏକ ୧୦ ଜଣିଆ ଶରଣାର୍ଥୀ ଦଳ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲା। କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଏହାର ଦୁଇଗୁଣରୁ ଅଧିକ ଆଥ୍‌ଲେଟ ଅଂଶଗ୍ରହଣ କରିବେ।

 

Share