ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍ଷ୍ଟାଗ୍ରାମର କଣ୍ଟେଣ୍ଟ କ୍ରିଏଟର। ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ କୁଆଡ଼େ ମନ୍ତ୍ରୀ ଓ ତାଙ୍କ ଦଳର ନେତାମାନଙ୍କୁ ରିଲ୍ ଓ ଭିଡିଓ ତିଆରି କରିବାକୁ କହିଛନ୍ତି, ଯଦ୍ଦ୍ବାରା ନବ ପ୍ରଜନ୍ମଙ୍କ ସହ ଯୋଗାଯୋଗ ଗଢ଼ିଉଠିବ। ବାଃ ! ଶେଷରେ ଏଇଟା ବାକି ଥିଲା। ସଂସଦରେ ଉତ୍ତର ଦେବା ନୁହେଁ, ରିଲ୍ସ ଦ୍ୱାରା ପହଞ୍ଚ, ନୀତି ବଦଳରେ ଟ୍ରେଡିଂ ଅଡିଓ, ଗଣତନ୍ତ୍ର ବଦଳରେ ଆଲଗୋରିଦମ୍।
ଏବେ ହୁଏତ ତୈଳମନ୍ତ୍ରୀ କହିବେ ‘ବନ୍ଧୁଗଣ ଆମର ନୂତନ ବିଳାସବହୁଳ ଗାଡ଼ିକୁ ଦେଖନ୍ତୁ। ପେଟ୍ରୋଲର ମୂଲ୍ୟ ନେଇ ଏତେ ଭାବିବା ଦରକାର ନାହିଁ। ହସଖୁସିରେ ରୁହନ୍ତୁ ।
ଶିକ୍ଷାମନ୍ତ୍ରୀ ହୁଏତ ରିଲ୍ସର ଭିଡିଓରେ କହିବେ ‘ଶିକ୍ଷା ଆଣେ ଚେତନା’। ଶୁଣି ଛାତ୍ରୀଛାତ୍ର ହସି ଟୁପୁରୁଟାପୁରୁ ହେବେ। କାରଣ ଯେଉଁ ରାଷ୍ଟ୍ର ଗବେଷଣା ବଦଳରେ ମୁଖସ୍ଥ ବିଦ୍ୟାର କାରଖାନା ତିଆରି କରିଦିଏ। ସେଠାରେ ‘ଚେତନା’ ଶବ୍ଦଟି ସବୁଠାରୁ ବେଶି ନିର୍ବାସିତ।
ଯେଉଁ ସରକାର ପ୍ରଶ୍ନକୁ ରାଷ୍ଟ୍ରଦ୍ରୋହ, ପ୍ରତିବାଦକୁ ଷଡ଼ଯନ୍ତ୍ର ଆଉ ଛାତ୍ରକୁ ଶତ୍ରୁ ମନେକରେ, ସେହି ସରକାର ଏବେ କ୍ୟାମେରା ଆଗରେ ଛିଡ଼ାହୋଇ ‘କଣ୍ଟେଣ୍ଟ’ କରିବ। ରିଲ୍ସ ତିଆରି କରି ଗଣତନ୍ତ୍ରକୁ ସୁରକ୍ଷା ରିଲ୍ସରେ ଦିଆଯାଏନା। ଯେପରି ବ୍ୟାଣ୍ଡଏଡ୍ ଲଗାଇ ଆଘାତର ଅପରେଶନ ହୁଏନା, ସେହିପରି କ୍ୟାମେରା ଆଗରେ ହସିହସି ରାଷ୍ଟ୍ର ପତନକୁ ରଖାଯାଏ ନାହିଁ। ମ୍ୟାଲେରିଆର ଜୀବାଣୁକୁ ଯଦି ରିଲ୍ସ ତିଆରି କରିବାକୁ କୁହାଯାଏ, ସେ ତ ନାଚି ନାଚି କହିବେ ‘ମଶା ମୋର ବନ୍ଧୁ। ‘କିନ୍ତୁ ସବୁଠାରୁ ବଡ଼ ସଙ୍କଟରେ ପଡ଼ିଛି ‘ଜାତୀୟ’ ଗଣମାଧ୍ୟମ। ଏତେଦିନ ଏମାନେ ଥିଲେ କ୍ଷମତାର ସରକାରୀ ବିଶ୍ୱସ୍ତ ପ୍ରଚାର କଳାକାର। ପ୍ରଧାନମନ୍ତ୍ରୀ କଥା କହିଲେ, ସେମାନେ ପ୍ରତିଧ୍ୱନିତ କରନ୍ତି। ଏବେ ଯଦି ମନ୍ତ୍ରୀମାନେ ନିଜର ମୋବାଇଲ ନେଇ ସିଧାସଳଖ ଜନତାଙ୍କ ପାଖରେ ପହଞ୍ଚତ୍ବେ, ତା’ହେଲେ ଅନ୍ୟ ଗଣମାଧ୍ୟମର ଆବଶ୍ୟକତା କ’ଣ?
ସମ୍ପ୍ରତି ଏକ ତଥାକଥିତ ଟେଲିଭିଜନ ମୁଖ୍ୟ ପ୍ରକାଶ୍ୟରେ ଲେଖିଛନ୍ତି, ବାମପନ୍ଥୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ କଣ୍ଠଗୁଡ଼ିକୁ ପ୍ଲାଟ୍ଫର୍ମରୁ ହଟାଇ ଦିଅ, ଟିଭି ପ୍ରଦର୍ଶନକୁ ଡାକ ନାହିଁ। ପଇସା ଦେବା ବନ୍ଦ କରିଦିଅ, ଦେଖିବ ସମସ୍ତେ ହାତବାନ୍ଧି ବସିବେ। ଏହା ସାମ୍ବାଦିକର ଭାଷା ନୁହେଁ, ଏହା ସମ୍ପାଦକଙ୍କର ଭାଷା ନୁହେଁ। ଏହି କ୍ଷମତାର ବେତନଭୋଗୀ ପ୍ରଚାରକଙ୍କର ଭାଷା। ସାମ୍ବାଦିକ ତଥ୍ୟ ସାଙ୍ଗରେ ତର୍କକରନ୍ତି। ପ୍ରଚାରକ ଲୋକଙ୍କ ଚେତନା ବିରୋଧରେ ଯୁଦ୍ଧ ଘୋଷଣାକରନ୍ତି। ଦୁଇଟିର ମଧ୍ୟରେ ପାର୍ଥକ୍ୟ ଯେପରି ହାସ୍ପାତାଳ ଓ କଂସେଇଖାନା ଭଳି। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟକରିବା ଜରୁରୀ। ରାସ୍ତାରେ ଥିବା କ୍ୟାମେରା କର୍ମୀଙ୍କ ଉପରେ ଆକ୍ରମଣ ଯଦି ହୋଇଥାଏ, ତାହା ନିଃସନ୍ଦେହରେ ନିନ୍ଦନୀୟ। ଗଣତନ୍ତ୍ରରେ କଥାର ଜବାବ ଇଟାରେ ନୁହେଁ। ଯୁକ୍ତିର ଜବାବ ଯୁକ୍ତି। ଯେଉଁ ରାଜନୈତିକ ସଂସ୍କୃତିକୁ ଆମେ ବର୍ବର ବୋଲି କହୁ, ତାହାର ପ୍ରତିଲିପି ହୋଇ ଉଠିଲେ କିନ୍ତୁ ଏହାସହ ଏହା ମଧ୍ୟ ମନେରଖିବାକୁ ହେବ, ବର୍ଷ ପରେ ବର୍ଷ ଏହି ଚ୍ୟାନେଲଗୁଡ଼ିକ ଗଣତନ୍ତ୍ରପ୍ରେମୀ, ପ୍ରଶ୍ନ ପଚାରୁଥିବା ଲୋକମାନଙ୍କୁ ‘ଦେଶଦ୍ରୋହୀ’, ‘ପାକିସ୍ତାନ ଓ ଚାଇନାର ଏଜେଣ୍ଟ’ ଅନୁପ୍ରବେଶକାରୀ, ଅର୍ବାନ ନକ୍ସଲ, ଦେଶ ବିରୋଧୀ ଇତ୍ୟାଦି ଛାପ ମାରି ସାମାଜିକ କାଠଗଡ଼ାରେ ଛିଡ଼ାକରାଇଛନ୍ତି, ରିପୋର୍ଟର ବୁମ୍ ନେଇ ଲୋକଙ୍କ ମୁଖର ଭାଷାକୁ କଦର୍ଥ କରିଛନ୍ତିି, ସଞ୍ଚାଳକ ଅଦାଲତର ବିଚାରକ ପରି ରାୟ ଶୁଣାଛନ୍ତିି, ତା’ପରେ ସେହି ସଞ୍ଚାଳକ ହିଁ ରାଜନୀତିରେ ପଦୋନ୍ନତି ପାଇଛନ୍ତି । ଗଣମାଧ୍ୟମରୁ ସିଧାସଳଖ ବିଧାନସଭା ଅବା ସଂସଦ ଏବେ କର୍ମଜୀବନ କେବଳ ସାମ୍ବାଦିକତା ନୁହେଁ, ରାଜନୈତିକ ନିଯୁକ୍ତି ଓ ସରକାରଙ୍କ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଉଛନ୍ତି ।
ଯିଏ ପ୍ରତିଦିନ ଶାସକର ଭାଷାକୁ ଜନଗଣଙ୍କ ଭାଷା ବୋଲି ଚଳାଇ ଦିଅନ୍ତି, ସେ ଖବରଦାତା ନୁହେଁ। ଏଭଳି ଲୋକଙ୍କୁ ଖବରଦାତା କହିବା ଅର୍ଥ ମହାଜନର ଗୁମାସ୍ତାକୁ କୃଷକର ପ୍ରତିନିଧି କହିବା ସଙ୍ଗେ ସମାନ। ତେବେ ବି ଏମାନଙ୍କ ଉପରେ ହାତ ଉଠାଇବେ ନାହିଁ। କାରଣ ଆମେ ଯଦି ଏମାନଙ୍କ ପରି ହେଉ, ତା’ହେଲେ ଲଢ଼େଇର ପ୍ରୟୋଜନ କେଉଁଠି? ବରଂ ସେମାନଙ୍କର ସବୁଠାରୁ ବଡ଼ ଭୟଟାକୁ ଲୋକଙ୍କ ସମ୍ମୁଖରେ ପ୍ରକାଶ କରିଦିଅନ୍ତୁ। ନ ହେଲେ ବର୍ଜନ କରନ୍ତୁ । ଖବର ଦେବେ ନାହିଁ। ଟିଆର୍ପି ଦେବେ ନାହିଁ। କ୍ଲିକ୍ କିମ୍ବା ବାଇଟ୍ ଦେବେ ନାହିଁ। ଆପଣଙ୍କର ରାଜନୈତିକ ବକ୍ତବ୍ୟକୁ ବଜାରର ପଣ୍ୟ କରିବାକୁ ଦିଅନ୍ତୁ ନାହିଁ। ସ୍ବାଧୀନ, କ୍ଷୁଦ୍ର, ଅନୁସନ୍ଧାନୀ, ଜନପକ୍ଷବାଦୀ ଗଣମାଧ୍ୟମକୁ ଶକ୍ତିଶାଳୀ କରନ୍ତୁ। କାରଣ ଆଧିପତ୍ୟ କେବଳ ସଂସଦରେ ନୁହେଁ, ଖବର ବଜାରରେ ମଧ୍ୟ ତିଆରି ହୁଏ। ଚେତନାର ବଜାର ଦଖଲ କରି ଶାସକ ଶ୍ରେଣୀ ଅନ୍ୟାୟ ଅତ୍ୟାଚାର କରୁଥିଲେ ମଧ୍ୟ ଦୀର୍ଘକାଳ କ୍ଷମତାରେ ରହିଥାଏ।
ଆଜି ସବୁ ରାଜ୍ୟରେ ଆନ୍ଦୋଳନ। କୃଷକ, ଶ୍ରମିକ, ଛାତ୍ର, ଯୁବକ ରାସ୍ତାରେ। ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏପରିକି ଓଡ଼ିଶାରେ ମଧ୍ୟ ପ୍ରତିବାଦର ପଟୁଆର। କିନ୍ତୁ ଟେଲିଭିଜନ ପର୍ଦ୍ଦାରେ ହୁଏତ ଆପଣ ଦେଖିବେ- କିଏ କାହା ଆଡ଼କୁ ଅନାଇ କ’ଣ କହିଲା, କେଉଁ ନେତା କେତେ ସେକେଣ୍ଡର ରିଲ୍ସ ତିଆରି କଲେ, କେଉଁ ଷ୍ଟୁଡିଓରେ କିଏ ସବୁଠାରୁ ଜୋରରେ ଚିତ୍କାର କଲା। କାରଣ ଖବର ବିକ୍ରି କଲେ ଲାଭ କମ୍, ଆଦର୍ଶର ଚେତନା ବିକ୍ରି କଲେ ଲାଭ ବେଶି। କର୍ପୋରେଟ୍ ଗଣମାଧ୍ୟମମାନେ ତଥ୍ୟ ଉପତ୍ାଦନ କରନ୍ତି ନାହିଁ, ସମ୍ମତି ଉପତ୍ାଦନ କରନ୍ତି । ସେମାନେ ଖବର ଦେଖାନ୍ତିି, କ୍ଷମତା ସପକ୍ଷରେ ସାମାଜିକ ଅନୁମତି ତିଆରି କରନ୍ତିି।
ମନେରଖନ୍ତୁ, ରାଷ୍ଟ୍ର ଯେତେବେଳେ ରିଲ୍ସ ତିଆରି କରିବାକୁ ଯାଏ, ସେତେବେଳେ ବୁଝିବାକୁ ହେବ ବାସ୍ତବର ମଞ୍ଚରେ ତାଙ୍କର ସଂଳାପ ଫୁସ୍କିଯାଇଛି। ଆଉ ପ୍ରଚାରଯନ୍ତ୍ର ଯେତେବେଳେ ନିଜକୁ ଗଣ ମାଧ୍ୟମ ବୋଲି ପରିଚୟ ଦିଏ, ସେତେବେଳେ ବୁଝିବାକୁ ହେବ ସତ୍ୟର ବଜାର ଦର ଭୟଙ୍କର ଭାବରେ ହ୍ରାସ ପାଇଛି। ଇତିହାସ କେବେ ରାଜ ଦରବାରରେ ଲେଖାହୋଇ ନାହିଁ। ଇତିହାସ ଲେଖା ହୋଇଛି କାରଖାନାର ଗେଟ୍ରେ, ଖଣି ଖାଦାନରେ, ବିଲବାଡ଼ିରେ, ବିଶ୍ୱବିଦ୍ୟାଳୟର ବ୍ୟାରିକେଡ୍ରେ, ଶ୍ରମିକର ଆନ୍ଦୋଳନରେ, ରାଜନୈତିକ ବନ୍ଦୀଙ୍କର ଜେଲର ଅନ୍ଧକାରରେ। ରିଲ୍ସର ଆୟୁ କେଇ ସେକେଣ୍ଡ। ସଂଗ୍ରାମର ଆୟୁ ପ୍ରଜନ୍ମ ପରେ ପ୍ରଜନ୍ମ।
କିଶୋର ଜେନା
ମୋ: ୯୩୪୮୧୬୯୯୩୧