ରାୟଗଡ଼ା, କନ୍ଧମାଳ ଜିଲାପାଳଙ୍କୁ ରିପୋର୍ଟ ତଲବ

କଟକ ଅଫିସ,୩୧।୧୦: ସ୍ବେରେଜ ଟାଙ୍କିରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ରାୟଗଡ଼ା ଓ କନ୍ଧମାଳ ଜିଲାପାଳଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁବନେଶ୍ୱର ଶ୍ରମିକ ମୃତ୍ୟୁ ଘଟଣାରେ ଠିକା କନ୍‌ଷ୍ଟ୍ରକ୍ସନ କମ୍ପାନୀ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ଦାଖଲ କରିଥିବା କ୍ଷତିପୂରଣ ରାଶିକୁ ମୃତ ଶ୍ରମିକଙ୍କ ପରିବାରଙ୍କୁ ପ୍ରଦାନ କରିବାକୁ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ସ୍ବେରେଜ ଟାଙ୍କିରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏସଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ କିପରି ପାଳନ କରାଯାଉଛି, ସେନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଆମିକସ କ୍ୟୁରିଭାବେ ନିଯୁକ୍ତ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପମି ରଥ ଉପସ୍ଥିତ ଥିଲେ। ଆସନ୍ତା ଡିସେମ୍ବର ୪ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୦ରେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ବାଗ୍‌ ଅଞ୍ଚଳର ନୂଆ ସ୍ବେରେଜ ଲାଇନରେ କାମ ଚାଲିଥିବାବେଳେ ମ୍ୟାନହୋଲରେ ଶ୍ୱାସରୁଦ୍ଧହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଉଭୟେ ଲକ୍ଷ୍ମୀ କନ୍‌ଷ୍ଟ୍ରକ୍ସନ ନାମକ ଏକ ଠିକା କମ୍ପାନୀ ଅଧୀନରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଗତ ଏପ୍ରିଲ ୧୫ରେ କଟକ ସିଡିଏ-୧୦ ଅଞ୍ଚଳର ମ୍ୟାନ୍‌ ହୋଲରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ସେହିପରି ସ୍ବେରେଜ ଟାଙ୍କିରେ ଗତ ୨୦ତାରିଖରେ ରାୟଗଡ଼ା ଜିଲାର ୩ଜଣ ଓ ଜୁଲାଇ ମାସରେ କନ୍ଧମାଳ ଜିଲାର ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଘଟଣାରେ ହାଇକୋର୍ଟ ନିଜ ତରଫରୁ ମାମଲା ରୁଜୁ କରିଥିଲେ। ଭୁବନେଶ୍ୱର ଘଟଣାରେ ମୃତ ଶ୍ରମିକଙ୍କୁ ବୀମା କମ୍ପାନୀ ତରଫରୁ ଗତ ଅଗଷ୍ଟ ମାସରେ ୨୧ ଲକ୍ଷ ୬୨ ହଜାର ଟଙ୍କା କ୍ଷତିପୂରଣ ରାଶି ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ଦାଖଲ କରାଯାଇଥିବାବେଳେ ମୃତକଙ୍କ ପରିବାରକୁ ପ୍ରଦାନ କରାଯାଉ ନଥିଲା। ଏନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।