ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତାମିଲନାଡୁର ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ତଥା ହିନ୍ଦୁମାନଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି।
ସଂଗଠନର ଅଭିଯୋଗ ଅନୁଯାୟୀ, ବିଗତ ଦିନରେ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଅପମାନ କଲାଭଳି ମନ୍ତବ୍ୟ ଦେଇଥିଲେ। ସନାତନ ଧର୍ମ ସମାଜକୁ ବିଭାଜନ କରୁଥିବାରୁ ଏହାକୁ ବିଲୋପ କରିବାର ଆବଶ୍ୟତା ଅଛି ବୋଲି କହିଥିଲେ। ତାଙ୍କର ଏହି ଘୃଣ୍ୟ ଓ ନିନ୍ଦନୀୟ ବକ୍ତବ୍ୟ ସମଗ୍ର ହିନ୍ଦୁ ସମାଜ ଏବଂ ସନାତନୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଏଥି ସହିତ ପୂର୍ବରୁ ମଧ୍ୟ ଉଦୟନିଧି ଏବଂ ତାଙ୍କ ପିତା ଏମ.କେ. ଷ୍ଟାଲିନ ବାରମ୍ବାର ହିନ୍ଦୁତ୍ୱକୁ ଅପମାନିତ କରିଆସୁଥିବା ନେଇ ସଂଗଠନ ଅଭିଯୋଗ କରିଛି।
ଏହି ପରିପ୍ରେକ୍ଷୀରେ ଉଦୟନିଧି ଷ୍ଟାଲିନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ପରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଏକ ଲିଖିତ ଏତଲା (FIR) ମଧ୍ୟ ଦାୟର କରାଯାଇଛି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ ସୂଚନା ଦେଇଛନ୍ତି ଯେ, ଏହି ପ୍ରତିବାଦ କେବଳ ବଲାଙ୍ଗୀରରେ ସୀମିତ ନାହିଁ, ବରଂ ସାରା ଦେଶର ପ୍ରତ୍ୟେକ ଜିଲ୍ଲାରେ ଉଦୟନିଧିଙ୍କ ନାମରେ ଏତଲା ଦିଆଯିବ।
ଜିଲା ସଭାପତି ବଦ୍ରିନାଥ ହୋତାଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳଙ୍କ ସମେତ ରାଜ୍ୟ ଉପସଭାପତି ପ୍ରଦୀପ କୁମାର ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ସନତ ପାତ୍ର, ସଚ୍ଚିଦାନନ୍ଦ ଶତପଥୀ, ଦୀନବନ୍ଧୁ ବିଶ୍ୱାଳ, ବୁଲୁ ପର୍ଡିଆ, ସୁନଜ ତ୍ରିପାଠୀ, ଶୁଭେନ୍ଦୁ ପଟ୍ଟନାୟକ, ଭାସ୍କର ରାଓ, ଉଦିତ ହୋତା ଏବଂ କହ୍ନେୟା ପ୍ରସାଦ ଲାଲଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଏହି ବିକ୍ଷୋଭକୁ ସଫଳ କରିଥିଲେ। ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପାଇଁ କେନ୍ଦ୍ର ଓ ତାମିଲନାଡୁ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।