ପ୍ରଶ୍ନବାଚୀରେ ବିରଳ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭରିଡଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ କଇଁଛ ଏଠାକୁ ଆସି ଅଣ୍ଡାଦାନ କରୁଛନ୍ତି। ତେବେ ଆୟୁସିଏନର ରେଡ ଡାଟା ଲିଷ୍ଟରେ ଥିବା ଏହି ଜୀବଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସଅଷ୍ଟି କରିଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଅହେତୁକ ମାତ୍ରାରେ ଜେଲି ଫିସର ସଂଖ୍ୟା ବୃଦ୍ଧି ଘଟୁଛି। ଶୈବାଳ ଉଦ୍ୟାନ ନଷ୍ଟ ହେଉଥିବା ବେଳେ ମାଛ ବଂଶ ବିଭିନ୍ନ କାରଣରୁ କମିଯାଉଛି। ତଟକ୍ଷୟ, ବନବିଭାଗର ସ୍ପିଡ ବୋଟ ଅଚଳ, ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ, ସମୁଦ୍ର ତଟରକ୍ଷା ବାହିନୀ ସହ ଭାବ ବିନିମୟରେ ଅଭାବରୁ ମତ୍ସ୍ୟଜୀବୀଙ୍କ ବେଆଇନ ପ୍ରବେଶ, ଗାଞ୍ଜ ଜାଲରେ କଇଁଛ ଧରାପଡିବା ଆଦି ସମସ୍ୟାରେ ସୁରକ୍ଷା ପ୍ରଦାନ ଦେବା ଏକ ଚାଲେଞ୍ଜ ପାଲଟିଛି। ହଜାର ଶାବକଙ୍କ ମଧ୍ୟରୁ ଗୋଟିଏ କଇଁଛ ପୂର୍ଣ୍ଣାଙ୍ଗ ଜୀବନ ଅତିବାହିତ କରୁଥିବା ନେଇ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ ସାମୁଦ୍ରିକ କଟକଣା ଆରମ୍ଭ ହୋଉଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଲିଭରିଡଲେ ଏହି ଅଞ୍ଚଳକୁ ପ୍ରଜନନ ସ୍ଥଳ ଭାବେ ବାଛିବା ବିଶ୍ୱ ପ୍ରକୃତିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୪୩୫ ବର୍ଗ କିଲୋମିଟରର ଏହି କଇଁଛଙ୍କ ଅନ୍ତୁଡିଶାଳ ବିଭିନ୍ନ କାରଣରୁ ଦୁର୍ବଳ ହେଉଥିବା ବେଳେ ଏହି ବିରଳ ଜୀବ ଆଇୟୁସିଏନର ରେଡ ଡାଟାବୁକ୍‌ରେ ଅଛି। ୧ ହଜାର ଶାବକଙ୍କ ମଧ୍ୟରୁ ମାତ୍ର ଗୋଟିଏ ପୂର୍ଣ୍ଣ ବୟସ୍କ ହେଉଥିବା ଆଇୟୁସିଏନ ଦର୍ଶାଇଥିବା ବେଳେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗର କାରଣ ସାଜିଛ। ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥାର ଏହି ସାମୁଦ୍ରିକ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ୧୪୩୫ ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୭ ବର୍ଗ କିଲୋମିଟର ସ୍ଥଳଭାଗ। ତେବେ ଏହି ସ୍ଥଳଭାଗ ସାମୁଦ୍ରିକ ତଟକ୍ଷୟ ହେଉଛି। ଚଳିତବର୍ଷ ଅଗରନାଶୀ ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ରରେ ବିଲୀନ ହେବା ସହିତ ବିଗତ ବର୍ଷଗୁଡିକରେ ନାଶୀ, ବାବୁବାଲି, ଏକକୁଳା ଆଦି ସ୍ଥାନର ଆକାର କମିଛି। ପ୍ରଜନନ ସ୍ଥାନ ଅପେକ୍ଷା କଇଁଛଙ୍କ ଅକାଳ ମୃତ୍ୟୁ ଏବେ ସମସ୍ୟା ହୋଇଛି। ଏହି ନିଷିଦ୍ଧାଞ୍ଚଳରେ ବହୁ ସମୟରେ ବେଆଇନ ମାଛ ଧରା ସେମାନଙ୍କ ଜୀବନ ପ୍ରତି ବିପଦ ସାଜିଛି। ବନ ବିଭାଗ ନିକଟରେ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରକୁ ଧରିବାକୁ ଉପଯୁକ୍ତ ଇଞ୍ଜିନ ବିଶିଷ୍ଟ ବୋଟ ନାହିଁ। ଜିଲାରେ ଥିବା ୩ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ତଟ ସୁରକ୍ଷା ବାହାନୀ ସହିତ ସମ୍ପର୍କ ରଖିବାରେ ବହୁ ସମୟରେ ବନ ବିଭାଗ ବିଫଳ ହେଉଛି। ଏବେ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ିଚାଲିଛି। ଯାହା ସାମୁଦ୍ରର ଶୈବାଳ ଉଦ୍ୟାନକୁ ନଷ୍ଟ କରୁଛି। ଶିଳ୍ପାଞ୍ଚଳ ଓ ଚିଙ୍ଗୁଡି ଘେରୀର ବର୍ଯ୍ୟବସ୍ତୁ ଓ ଜଳ ଶୈବାଳ ଉପରେ ପ୍ରଭାବ ପକାଇଛି। ଫଳରେ ଜେଲି ଫିସ ସଂଖ୍ୟା ବଢ଼ୁଛି। ଏହାସହ ବିଭିନ୍ନ କାରଣରୁ ପ୍ରତିବର୍ଷ ନିଷିଦ୍ଧାଞ୍ଚଳରେ ପ୍ରତିବର୍ଷ ହଜାରରୁ ଅଧିକ କଇଁଛଙ୍କ ମୃତ୍ୟୁ ହେଉଛି। ସୁରକ୍ଷା ବ୍ୟବସ୍ଥା ଗହୀରମଥାରେ କାର୍ଯ୍ୟକାରୀ ହେଉ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ ଦାସ କହିଛନ୍ତି, ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। କଟକଣା ସମୟରେ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ ରୋକିବା ପାଇଁ କ୍ୟାମ୍ପ ସହ ନିରୀକ୍ଷଣକୁ ଅଧିକ ଗୁରୁତ୍ୱ ଦିଅଯାଉଛି। ଗତ କଟକଣା ସମୟରେ ବେଆଇନ ଭାବେ ପ୍ରବେଶ ବୋଟ ଓ ଟ୍ରଲରକୁ ଜବତ କରାଯାଇଥିବା ବେଳେ ୪୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି।