ରଙ୍କଣାର ମନ

ଧନ ସମ୍ପତ୍ତି ତଥା ଅନ୍ୟାନ୍ୟ ଦ୍ରବ୍ୟ ସଞ୍ଚୟ କରିବା ମଣିଷର ଏକ ସହଜାତ ପ୍ରବୃତ୍ତି। ଅବଶ୍ୟ ସମସ୍ତଙ୍କଠାରେ ଏହା ସମାନ ଭାବେ ନ ଥାଏ। କେତେକଙ୍କ ମନରେ ଗୋଟିଏ ଦୁଇଟି ଜିନିଷ ପ୍ରତି ଲୋଭ ଥିଲାବେଳେ ଆଉ କେତେକଙ୍କର ତାହା ଥାଏ ପ୍ରାୟ ସବୁ ଜିନିଷ ପ୍ରତି। ତେଣୁ କେହି କେହି ପୁରୁଣା ବହି ବା ପତ୍ରପତ୍ରିକା ଘରେ ଗଦାକରି ରଖିଥା’ନ୍ତି, ଯଦିଓ ସେମାନେ ତାହା କେବେ ପଢ଼ନ୍ତି ନାହିଁ। ଅନ୍ୟପକ୍ଷରେ ଆଉ କେହି କେହି କୌଣସି ବାଛବିଚାର ନ କରି ଯାହା ପାଇଲେ ତାହା ସଞ୍ଚୟ କରି ରଖନ୍ତି। ଏପରିକି ସେମାନେ ବ୍ୟବହାର କରି ହେଉ ନ ଥିବା ଟେବୁଲ, ଚୌକି, ବିଛଣା, ବାସନପତ୍ର, ଲୁଗାପଟା, କପ୍‌ପ୍ଲେଟ୍‌, କଲମ ଆଦି ଘରୋଇ ଉପକରଣକୁ ଫିଙ୍ଗି ନ ଦେଇ କିମ୍ବା କାହାରିକୁ ନ ଦେଇ ସାଇତି ରଖିଥା’ନ୍ତି। ଯେଉଁମାନଙ୍କ ମନରେ ଏପରି ଅବାରିତ ଭାବେ ଯାହା ତାହା ସଞ୍ଚୟ କରିବାର ଅସରନ୍ତି ଆସକ୍ତି ଥାଏ, ସେମାନଙ୍କୁ ଆମେ ରଙ୍କଣା ବୋଲି କହୁ। ଏମାନଙ୍କର ଅନ୍ୟସବୁ ଲକ୍ଷଣ ହେଲା ଅଧିକରୁ ଅଧିକ ଜିନିଷ କିଣିବା ଏବଂ ଭବିଷ୍ୟତରେ କାମରେ ଆସିବ ଓ ସେତେବେଳେ ତାହା ନ ମିଳିପାରେ ବୋଲି ଭାବି ସଞ୍ଚତ୍ତ କରିବା, କିନ୍ତୁ କଦାପି ବ୍ୟବହାର ନ କରିବା, ପୁନଶ୍ଚ କୌଣସି ଅଦରକାରୀ ମନେହେଉଥିବା ଦ୍ରବ୍ୟ ଫିଙ୍ଗିଲା ବେଳେ ଭୁଲ୍‌କ୍ରମେ ସେଥିସହିତ କିଛି ଆଗାମୀ ଦିନଗୁଡ଼ିକରେ ଦରକାର ପଡ଼ିବା ଦ୍ରବ୍ୟ ହୁଏତ ଫିଙ୍ଗି ହୋଇଯିବ, ଏ ଭୟ ତାଙ୍କ ମନରେ ସଦାସର୍ବଦା ଥାଏ।
ପ୍ରତ୍ୟେକ ମଣିଷ ଜାଣେ ଯେ, ସେ ମରଣଶୀଳ। କେତେବେଳେ ‘କାଳପକ୍ଷୀରାଜ ଆସି ଉପରୁ ଚିଲାମାରି“ ତାକୁ ନେଇଯିବ ତାହା କେହି କହିପାରିବେ ନାହିଁ। ପୁନଶ୍ଚ ଗଲାବେଳେ ଏ ‘ଧନ’ କୁ ‘ଗଣ୍ଠିରେ ବାନ୍ଧି’ ନେଇ ହେବ ନାହିଁ। ତଥାପି ସେ ଏହା କରେ କାହିଁକି? ମନୋବିଜ୍ଞାନୀମାନେ ଏହାକୁ ବ୍ୟକ୍ତିର ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ଅବସ୍ଥା ସହ ସମ୍ପୃକ୍ତ କଲେଣି। ସେମାନଙ୍କ ମତରେ ଏ ଲକ୍ଷଣ ଅତିମାତ୍ରାରେ ପ୍ରକଟିତ ହେବା ଏକ ମନସ୍ତାତ୍ତ୍ୱିକ ନିଦାନୀୟ ତ୍ରୁଟି।
ଆମ ମସ୍ତିଷ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା ‘ସେରେବ୍ରାଲ୍‌ କୋର୍‌ସେକ୍ସ’। ଏଥିରେ ରହିଛି ‘ସିଙ୍ଗୁଲେଟ୍‌’ ଉପାଂଶ। ଏହାର ଅଗ୍ରଭାଗଟି ବିଭିନ୍ନ ନିଷ୍ପତ୍ତି ନେବା ଏବଂ ସମସ୍ୟାର ସମାଧାନ କରିବାରେ ବିଶେଷ ଭୂମିକା ଗ୍ରହଣ କଲାବେଳେ ପଶ୍ଚାତ୍‌ଭାଗଟି ସ୍ମୃତି ତଥା ବସ୍ତୁର ସ୍ଥାନିକସ୍ଥିତି ଆଦି ନିର୍ଦ୍ଧାରଣ ସହ ସମ୍ପୃକ୍ତ। ରଙ୍କଣା ବୋଲି କୁହାଯାଉଥିବା ଲୋକଙ୍କର ଏହି ଭାଗଟି ଅପେକ୍ଷାକୃତ କମ୍‌ ସକ୍ରିୟ ହେବାର ଦେଖାଯାଏ। ଏଥିରୁ ଗବେଷକମାନେ ମନେକରୁଛନ୍ତି ଯେ, ସମ୍ଭବତଃ ଏ ପ୍ରକାର ଆଚରଣ ସହିତ ମସ୍ତିଷ୍କର କିଛି ନିଦାନୀୟ ସମ୍ପର୍କ ରହିଛି। ସେଥିପାଇଁ ଆତ୍ମଚାରିତା(ଅଟିଜିମ୍‌), ମାନସିକ ଦୁର୍ବଳତା, ଅଭିଘାତ ଯୋଗୁ ମସ୍ତିଷ୍କରେ କ୍ଷତ, ସ୍ନାୟବିକ ଅସ୍ତ୍ର ଚିକିତ୍ସା ଇତ୍ୟାଦି ମଧ୍ୟ ସମୟ ସମୟରେ ଏହାର କାରଣ ହୋଇପାରନ୍ତି। ତେବେ ଏହାର ଅନ୍ୟ କାରଣମାନ ମଧ୍ୟ ଥିବାର ସମ୍ଭାବନା ରହିଛି। ସେଗୁଡ଼ିକ ନିଦାନୀୟ ଅପେକ୍ଷା ଅଧିକମାତ୍ରାରେ ମନସ୍ତାତ୍ତ୍ୱିକ। କୌଣସି ଆତ୍ମୀୟ ସ୍ବଜନଙ୍କୁ ହରାଇବା କିମ୍ବା ଅନ୍ୟ କିଛି ବ୍ୟକ୍ତିଗତ କ୍ଷତି ଯୋଗୁ ଉତ୍ପନ୍ନ ମାନସିକ ଚାପ ଓ ଅଭିଘାତ, ଦୁଶ୍ଚିନ୍ତା, ବାର୍ଦ୍ଧକ୍ୟଜନିତ ସ୍ମୃତିହୀନତା, ମଦ୍ୟପତା ଇତ୍ୟାଦି ହେଲା ଏହାର ଉଦାହରଣ।
ଆଗେ ଏହାକୁ ଅନେକ ‘ଓବେସିଭ୍‌ କମ୍ପଲ୍‌ସିଭ ଡିଜ୍‌ଅର୍ଡର ବା ଓସିଡି’ ସହିତ ସମ୍ପୃକ୍ତ ବୋଲି ମତ ଦେଉଥିଲେ। ସେଥିପାଇଁ ଦୀର୍ଘଦିନ ଧରି ଏହାକୁ ତାହାର ଏକ ଅଂଶ ବିଶେଷ ରୂପେ ବିବେଚନା କରାଯାଉଥିଲା। ତେବେ ୨୦୦୪ ଜୁନ୍‌ ମାସରେ ଏ ସମ୍ପର୍କରେ ପ୍ରଥମେ ଗବେଷଣା ପତ୍ରଟିଏ ପ୍ରକାଶିତ ହେଲା ”ଦ’ ଆମେରିକାନ୍‌ ଜର୍ନାଲ୍‌ ଅଫ୍‌ ସାଇକୋଲୋଜି“ରେ, ଅନେକ ଗବେଷଣାତ୍ମକ ଅଧ୍ୟୟନର ଫଳାଫଳ ବିଚାରକୁ ନେଇ। ଏଥିରେ ସୂଚିତ କରାଯାଇଥିଲା ଯେ, ଏ ଦୁଇଟି ମଧ୍ୟରେ ବିଶେଷ କିଛି ସମ୍ପର୍କ ନାହିଁ। ଉଦାହରଣ ସ୍ବରୂପ, ‘ଓସିଡି’ରେ ପ୍ରଭାବିତ ବ୍ୟକ୍ତି କରୁଥିବା ସଞ୍ଚୟ ସମ୍ପୂର୍ଣ୍ଣ ସଚେତନତାର ସହ କରିଥାଏ।
ଏଣୁ ଅନେକ ସମୟରେ ତା’ର ଏଗୁଡ଼ିକ ପ୍ରତି ଆସକ୍ତି ଅନ୍ଧଭାବେ ନିବିଡ଼ ନ ହୋଇପାରେ। ତେବେ ରଙ୍କଣାଙ୍କଠାରେ ଏହା ସେପରି ନୁହେଁ। ପୁନଶ୍ଚ ଏ ଉଭୟ ପ୍ରକାର ତ୍ରୁଟିର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ୨୦୧୩ ରେ ‘ଦ ଡାଇଗ୍ନୋଷ୍ଟିକ ଏଣ୍ଡ୍‌ ଷ୍ଟାଟିଷ୍ଟିକାଲ ମାନୁଆଲ ଅଫ୍‌ ମେଣ୍ଟାଲ ଡିଜ୍‌ଅର୍ଡର’ ମଧ୍ୟ ଏହାକୁ ‘ଓସିଡି’ଠାରୁ ସ୍ବତନ୍ତ୍ର ମାନସିକ ତ୍ରୁଟି ରୂପେ ଅଭିହିତ କରିଛି। ତେବେ ନିକଟରେ ରଙ୍କଣାମାନଙ୍କଠାରେ ମଧ୍ୟ ଏହାର ପରୀକ୍ଷା କରାଯିବା ଉଚିତ ବୋଲି ମତଦେଇଛି ”ଦ’ ଇଣ୍ଟରନ୍ୟାଶନାଲ ହୋର୍ଡିଂ ଫାଉଣ୍ଡେଶନ“।
ରଙ୍କଣା ମନୋବୃତ୍ତି ପିଲାଦିନୁ କିଛି ମାତ୍ରାରେ ଆରମ୍ଭ ହୋଇ ପ୍ରାପ୍ତବୟସ୍କଙ୍କଠାରେ ପୂର୍ଣ୍ଣ ପ୍ରକଟିତ ହେବାର ଦେଖାଯାଏ। ଏମାନଙ୍କ ମଧ୍ୟରୁ ୨ରୁ ୫ ଶତାଂଶଙ୍କଠାରେ ଏହା ବେଶ୍‌ ମାତ୍ରାରେ ଥାଏ। ବାର୍ଦ୍ଧକ୍ୟରେ ଏ ପ୍ରବୃତ୍ତି ଆହୁରି ବଢ଼ିଯାଏ। ସେହିପରି ଏକୁଟିଆ ବାସ କରୁଥିବା ଲୋକଙ୍କଠାରେ ଏ ତ୍ରୁଟି ଅପେକ୍ଷାକୃତ ଅଧିକ। କାରଣ, ସେମାନଙ୍କର ଆମତ୍ବିଶ୍ୱାସ କମ୍‌ ଏବଂ ସେମାନେ ନିଜର ଆବଶ୍ୟକତା ମେଣ୍ଟାଇବା ଦିଗରେ ଅକ୍ଷମ ବୋଲି ମନେକରନ୍ତି। ପୁନଶ୍ଚ ଏହା ମଧ୍ୟ ଆଂଶିକଭାବେ ବଂଶଗତ ଅର୍ଥାତ୍‌ ଜିନୀୟ ବୋଲି ମନେକରାଯାଏ।
ମନୋବିଜ୍ଞାନୀମାନେ ରଙ୍କଣାମାନଙ୍କୁ ତିନୋଟିସ୍ତରର ବୋଲି ଗଣନା କରନ୍ତି। ସେମାନେ ତାହା ନିର୍ଦ୍ଧାରଣ କରିବା ପାଇଁ ୧୦ଟି ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି। ଯଦି କୌଣସି ବ୍ୟକ୍ତି ପାଇଁ ତହିଁରୁ ମାତ୍ର ୩ଟି ଯାଏ ଉତ୍ତର ପ୍ରଯୁଜ୍ୟ ହୁଏ; ତେବେ ସେ ସାମାନ୍ୟ, ତାହା ୪ରୁ ୬ଟି ହେଲେ ‘ମଧ୍ୟମ’ ଏବଂ ତହିଁରୁ ଅଧିକ ହେଲେ ‘ଗୁରୁତର’ ବୋଲି ପରିଗଣିତ କରାଯାଉଛି। ତହିଁରୁ ପ୍ରଥମ ଦୁଇଶ୍ରେଣୀର ଲୋକଙ୍କୁ ବୁଝାଶୁଝା ତଥା ପରିବେଶ ପରିବର୍ତ୍ତନ ମାଧ୍ୟମରେ ବଦଳାଇ ଦିଆଯାଇପାରିବ। ତେବେ ତୃତୀୟ ଶ୍ରେଣୀଟି ପାଇଁ ଦରକାର ମନସ୍ତାତ୍ତ୍ୱିକ ଚିକିତ୍ସା।
ରଙ୍କଣାମାନଙ୍କଠାରୁ ସେମାନଙ୍କ ସଞ୍ଚତ୍ତ ଦ୍ରବ୍ୟ ବଳ ପ୍ରୟୋଗ କରି ଛଡ଼ାଇନେଲେ ତାହା ଫଳ ହୁଏ ଓଲଟା। ବରଂ ଏହାଦ୍ୱାରା ସେମାନେ କ୍ରୋଧିତ ତଥା ଦୁଃଖିତ ହୁଅନ୍ତି ଏବଂ ପୁନର୍ବାର ସଞ୍ଚୟ କରିବାକୁ ଲାଗନ୍ତି। ସେଥିପାଇଁ ଘରେ ଅଧିକ ସ୍ଥାନ ଦଖଲ କରନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ଏହାର ଅନାବଶ୍ୟକତା ଏବଂ ଅପକାରୀ ପ୍ରଭାବ (ଯେପରିକି ଘରର ସୁସ୍ଥପରିବେଶ ନଷ୍ଟ କରନ୍ତି) ସମ୍ପର୍କରେ ସଚେତନ କରାଗଲେ ତାହା କିଛିମାତ୍ରାରେ ଫଳବତୀ ହୋଇପାରେ। କାରଣ, ତଦ୍ଦ୍ବାରା ତାଙ୍କର ମନକୁ ନିଷ୍ପତ୍ତି ନେବା ଲାଗି ଅଧିକ ଉପଯୋଗୀ କରିବା ସହିତ ସକାରାତ୍ମକ ତଥା ଯୁକ୍ତିସିଦ୍ଧ କାର୍ଯ୍ୟକଳାପରେ ତାହାକୁ ସହାୟତା କରିହୁଏ। ଫଳରେ ତାହା ସୁସ୍ଥ, ସତେଜ, ସନ୍ତୁଳିତ ଏବଂ ଶାନ୍ତ ରହନ୍ତା ଏବଂ ରଙ୍କୁଣାମାନଙ୍କୁ ଏଥିରୁ ନିବୃତ୍ତ କରିପାରେ। ଏବେ କେତେକସ୍ଥଳେ ଏଥିପାଇଁ ଅବସାଦରୋଧୀ ଔଷଧର ମଧ୍ୟ ବ୍ୟବହାର ଫଳପ୍ରଦ ହେବାର ଦେଖାଯାଉଛି।

  • ପ୍ର. ରମେଶ ଚନ୍ଦ୍ର ପରିଡ଼ା
    ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
    ମୋ:୯୯୩୭୯୮୫୭୬୭

Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri