ରଙ୍କଣାର ମନ

ଧନ ସମ୍ପତ୍ତି ତଥା ଅନ୍ୟାନ୍ୟ ଦ୍ରବ୍ୟ ସଞ୍ଚୟ କରିବା ମଣିଷର ଏକ ସହଜାତ ପ୍ରବୃତ୍ତି। ଅବଶ୍ୟ ସମସ୍ତଙ୍କଠାରେ ଏହା ସମାନ ଭାବେ ନ ଥାଏ। କେତେକଙ୍କ ମନରେ ଗୋଟିଏ ଦୁଇଟି ଜିନିଷ ପ୍ରତି ଲୋଭ ଥିଲାବେଳେ ଆଉ କେତେକଙ୍କର ତାହା ଥାଏ ପ୍ରାୟ ସବୁ ଜିନିଷ ପ୍ରତି। ତେଣୁ କେହି କେହି ପୁରୁଣା ବହି ବା ପତ୍ରପତ୍ରିକା ଘରେ ଗଦାକରି ରଖିଥା’ନ୍ତି, ଯଦିଓ ସେମାନେ ତାହା କେବେ ପଢ଼ନ୍ତି ନାହିଁ। ଅନ୍ୟପକ୍ଷରେ ଆଉ କେହି କେହି କୌଣସି ବାଛବିଚାର ନ କରି ଯାହା ପାଇଲେ ତାହା ସଞ୍ଚୟ କରି ରଖନ୍ତି। ଏପରିକି ସେମାନେ ବ୍ୟବହାର କରି ହେଉ ନ ଥିବା ଟେବୁଲ, ଚୌକି, ବିଛଣା, ବାସନପତ୍ର, ଲୁଗାପଟା, କପ୍‌ପ୍ଲେଟ୍‌, କଲମ ଆଦି ଘରୋଇ ଉପକରଣକୁ ଫିଙ୍ଗି ନ ଦେଇ କିମ୍ବା କାହାରିକୁ ନ ଦେଇ ସାଇତି ରଖିଥା’ନ୍ତି। ଯେଉଁମାନଙ୍କ ମନରେ ଏପରି ଅବାରିତ ଭାବେ ଯାହା ତାହା ସଞ୍ଚୟ କରିବାର ଅସରନ୍ତି ଆସକ୍ତି ଥାଏ, ସେମାନଙ୍କୁ ଆମେ ରଙ୍କଣା ବୋଲି କହୁ। ଏମାନଙ୍କର ଅନ୍ୟସବୁ ଲକ୍ଷଣ ହେଲା ଅଧିକରୁ ଅଧିକ ଜିନିଷ କିଣିବା ଏବଂ ଭବିଷ୍ୟତରେ କାମରେ ଆସିବ ଓ ସେତେବେଳେ ତାହା ନ ମିଳିପାରେ ବୋଲି ଭାବି ସଞ୍ଚତ୍ତ କରିବା, କିନ୍ତୁ କଦାପି ବ୍ୟବହାର ନ କରିବା, ପୁନଶ୍ଚ କୌଣସି ଅଦରକାରୀ ମନେହେଉଥିବା ଦ୍ରବ୍ୟ ଫିଙ୍ଗିଲା ବେଳେ ଭୁଲ୍‌କ୍ରମେ ସେଥିସହିତ କିଛି ଆଗାମୀ ଦିନଗୁଡ଼ିକରେ ଦରକାର ପଡ଼ିବା ଦ୍ରବ୍ୟ ହୁଏତ ଫିଙ୍ଗି ହୋଇଯିବ, ଏ ଭୟ ତାଙ୍କ ମନରେ ସଦାସର୍ବଦା ଥାଏ।
ପ୍ରତ୍ୟେକ ମଣିଷ ଜାଣେ ଯେ, ସେ ମରଣଶୀଳ। କେତେବେଳେ ‘କାଳପକ୍ଷୀରାଜ ଆସି ଉପରୁ ଚିଲାମାରି“ ତାକୁ ନେଇଯିବ ତାହା କେହି କହିପାରିବେ ନାହିଁ। ପୁନଶ୍ଚ ଗଲାବେଳେ ଏ ‘ଧନ’ କୁ ‘ଗଣ୍ଠିରେ ବାନ୍ଧି’ ନେଇ ହେବ ନାହିଁ। ତଥାପି ସେ ଏହା କରେ କାହିଁକି? ମନୋବିଜ୍ଞାନୀମାନେ ଏହାକୁ ବ୍ୟକ୍ତିର ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ଅବସ୍ଥା ସହ ସମ୍ପୃକ୍ତ କଲେଣି। ସେମାନଙ୍କ ମତରେ ଏ ଲକ୍ଷଣ ଅତିମାତ୍ରାରେ ପ୍ରକଟିତ ହେବା ଏକ ମନସ୍ତାତ୍ତ୍ୱିକ ନିଦାନୀୟ ତ୍ରୁଟି।
ଆମ ମସ୍ତିଷ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା ‘ସେରେବ୍ରାଲ୍‌ କୋର୍‌ସେକ୍ସ’। ଏଥିରେ ରହିଛି ‘ସିଙ୍ଗୁଲେଟ୍‌’ ଉପାଂଶ। ଏହାର ଅଗ୍ରଭାଗଟି ବିଭିନ୍ନ ନିଷ୍ପତ୍ତି ନେବା ଏବଂ ସମସ୍ୟାର ସମାଧାନ କରିବାରେ ବିଶେଷ ଭୂମିକା ଗ୍ରହଣ କଲାବେଳେ ପଶ୍ଚାତ୍‌ଭାଗଟି ସ୍ମୃତି ତଥା ବସ୍ତୁର ସ୍ଥାନିକସ୍ଥିତି ଆଦି ନିର୍ଦ୍ଧାରଣ ସହ ସମ୍ପୃକ୍ତ। ରଙ୍କଣା ବୋଲି କୁହାଯାଉଥିବା ଲୋକଙ୍କର ଏହି ଭାଗଟି ଅପେକ୍ଷାକୃତ କମ୍‌ ସକ୍ରିୟ ହେବାର ଦେଖାଯାଏ। ଏଥିରୁ ଗବେଷକମାନେ ମନେକରୁଛନ୍ତି ଯେ, ସମ୍ଭବତଃ ଏ ପ୍ରକାର ଆଚରଣ ସହିତ ମସ୍ତିଷ୍କର କିଛି ନିଦାନୀୟ ସମ୍ପର୍କ ରହିଛି। ସେଥିପାଇଁ ଆତ୍ମଚାରିତା(ଅଟିଜିମ୍‌), ମାନସିକ ଦୁର୍ବଳତା, ଅଭିଘାତ ଯୋଗୁ ମସ୍ତିଷ୍କରେ କ୍ଷତ, ସ୍ନାୟବିକ ଅସ୍ତ୍ର ଚିକିତ୍ସା ଇତ୍ୟାଦି ମଧ୍ୟ ସମୟ ସମୟରେ ଏହାର କାରଣ ହୋଇପାରନ୍ତି। ତେବେ ଏହାର ଅନ୍ୟ କାରଣମାନ ମଧ୍ୟ ଥିବାର ସମ୍ଭାବନା ରହିଛି। ସେଗୁଡ଼ିକ ନିଦାନୀୟ ଅପେକ୍ଷା ଅଧିକମାତ୍ରାରେ ମନସ୍ତାତ୍ତ୍ୱିକ। କୌଣସି ଆତ୍ମୀୟ ସ୍ବଜନଙ୍କୁ ହରାଇବା କିମ୍ବା ଅନ୍ୟ କିଛି ବ୍ୟକ୍ତିଗତ କ୍ଷତି ଯୋଗୁ ଉତ୍ପନ୍ନ ମାନସିକ ଚାପ ଓ ଅଭିଘାତ, ଦୁଶ୍ଚିନ୍ତା, ବାର୍ଦ୍ଧକ୍ୟଜନିତ ସ୍ମୃତିହୀନତା, ମଦ୍ୟପତା ଇତ୍ୟାଦି ହେଲା ଏହାର ଉଦାହରଣ।
ଆଗେ ଏହାକୁ ଅନେକ ‘ଓବେସିଭ୍‌ କମ୍ପଲ୍‌ସିଭ ଡିଜ୍‌ଅର୍ଡର ବା ଓସିଡି’ ସହିତ ସମ୍ପୃକ୍ତ ବୋଲି ମତ ଦେଉଥିଲେ। ସେଥିପାଇଁ ଦୀର୍ଘଦିନ ଧରି ଏହାକୁ ତାହାର ଏକ ଅଂଶ ବିଶେଷ ରୂପେ ବିବେଚନା କରାଯାଉଥିଲା। ତେବେ ୨୦୦୪ ଜୁନ୍‌ ମାସରେ ଏ ସମ୍ପର୍କରେ ପ୍ରଥମେ ଗବେଷଣା ପତ୍ରଟିଏ ପ୍ରକାଶିତ ହେଲା ”ଦ’ ଆମେରିକାନ୍‌ ଜର୍ନାଲ୍‌ ଅଫ୍‌ ସାଇକୋଲୋଜି“ରେ, ଅନେକ ଗବେଷଣାତ୍ମକ ଅଧ୍ୟୟନର ଫଳାଫଳ ବିଚାରକୁ ନେଇ। ଏଥିରେ ସୂଚିତ କରାଯାଇଥିଲା ଯେ, ଏ ଦୁଇଟି ମଧ୍ୟରେ ବିଶେଷ କିଛି ସମ୍ପର୍କ ନାହିଁ। ଉଦାହରଣ ସ୍ବରୂପ, ‘ଓସିଡି’ରେ ପ୍ରଭାବିତ ବ୍ୟକ୍ତି କରୁଥିବା ସଞ୍ଚୟ ସମ୍ପୂର୍ଣ୍ଣ ସଚେତନତାର ସହ କରିଥାଏ।
ଏଣୁ ଅନେକ ସମୟରେ ତା’ର ଏଗୁଡ଼ିକ ପ୍ରତି ଆସକ୍ତି ଅନ୍ଧଭାବେ ନିବିଡ଼ ନ ହୋଇପାରେ। ତେବେ ରଙ୍କଣାଙ୍କଠାରେ ଏହା ସେପରି ନୁହେଁ। ପୁନଶ୍ଚ ଏ ଉଭୟ ପ୍ରକାର ତ୍ରୁଟିର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ୨୦୧୩ ରେ ‘ଦ ଡାଇଗ୍ନୋଷ୍ଟିକ ଏଣ୍ଡ୍‌ ଷ୍ଟାଟିଷ୍ଟିକାଲ ମାନୁଆଲ ଅଫ୍‌ ମେଣ୍ଟାଲ ଡିଜ୍‌ଅର୍ଡର’ ମଧ୍ୟ ଏହାକୁ ‘ଓସିଡି’ଠାରୁ ସ୍ବତନ୍ତ୍ର ମାନସିକ ତ୍ରୁଟି ରୂପେ ଅଭିହିତ କରିଛି। ତେବେ ନିକଟରେ ରଙ୍କଣାମାନଙ୍କଠାରେ ମଧ୍ୟ ଏହାର ପରୀକ୍ଷା କରାଯିବା ଉଚିତ ବୋଲି ମତଦେଇଛି ”ଦ’ ଇଣ୍ଟରନ୍ୟାଶନାଲ ହୋର୍ଡିଂ ଫାଉଣ୍ଡେଶନ“।
ରଙ୍କଣା ମନୋବୃତ୍ତି ପିଲାଦିନୁ କିଛି ମାତ୍ରାରେ ଆରମ୍ଭ ହୋଇ ପ୍ରାପ୍ତବୟସ୍କଙ୍କଠାରେ ପୂର୍ଣ୍ଣ ପ୍ରକଟିତ ହେବାର ଦେଖାଯାଏ। ଏମାନଙ୍କ ମଧ୍ୟରୁ ୨ରୁ ୫ ଶତାଂଶଙ୍କଠାରେ ଏହା ବେଶ୍‌ ମାତ୍ରାରେ ଥାଏ। ବାର୍ଦ୍ଧକ୍ୟରେ ଏ ପ୍ରବୃତ୍ତି ଆହୁରି ବଢ଼ିଯାଏ। ସେହିପରି ଏକୁଟିଆ ବାସ କରୁଥିବା ଲୋକଙ୍କଠାରେ ଏ ତ୍ରୁଟି ଅପେକ୍ଷାକୃତ ଅଧିକ। କାରଣ, ସେମାନଙ୍କର ଆମତ୍ବିଶ୍ୱାସ କମ୍‌ ଏବଂ ସେମାନେ ନିଜର ଆବଶ୍ୟକତା ମେଣ୍ଟାଇବା ଦିଗରେ ଅକ୍ଷମ ବୋଲି ମନେକରନ୍ତି। ପୁନଶ୍ଚ ଏହା ମଧ୍ୟ ଆଂଶିକଭାବେ ବଂଶଗତ ଅର୍ଥାତ୍‌ ଜିନୀୟ ବୋଲି ମନେକରାଯାଏ।
ମନୋବିଜ୍ଞାନୀମାନେ ରଙ୍କଣାମାନଙ୍କୁ ତିନୋଟିସ୍ତରର ବୋଲି ଗଣନା କରନ୍ତି। ସେମାନେ ତାହା ନିର୍ଦ୍ଧାରଣ କରିବା ପାଇଁ ୧୦ଟି ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି। ଯଦି କୌଣସି ବ୍ୟକ୍ତି ପାଇଁ ତହିଁରୁ ମାତ୍ର ୩ଟି ଯାଏ ଉତ୍ତର ପ୍ରଯୁଜ୍ୟ ହୁଏ; ତେବେ ସେ ସାମାନ୍ୟ, ତାହା ୪ରୁ ୬ଟି ହେଲେ ‘ମଧ୍ୟମ’ ଏବଂ ତହିଁରୁ ଅଧିକ ହେଲେ ‘ଗୁରୁତର’ ବୋଲି ପରିଗଣିତ କରାଯାଉଛି। ତହିଁରୁ ପ୍ରଥମ ଦୁଇଶ୍ରେଣୀର ଲୋକଙ୍କୁ ବୁଝାଶୁଝା ତଥା ପରିବେଶ ପରିବର୍ତ୍ତନ ମାଧ୍ୟମରେ ବଦଳାଇ ଦିଆଯାଇପାରିବ। ତେବେ ତୃତୀୟ ଶ୍ରେଣୀଟି ପାଇଁ ଦରକାର ମନସ୍ତାତ୍ତ୍ୱିକ ଚିକିତ୍ସା।
ରଙ୍କଣାମାନଙ୍କଠାରୁ ସେମାନଙ୍କ ସଞ୍ଚତ୍ତ ଦ୍ରବ୍ୟ ବଳ ପ୍ରୟୋଗ କରି ଛଡ଼ାଇନେଲେ ତାହା ଫଳ ହୁଏ ଓଲଟା। ବରଂ ଏହାଦ୍ୱାରା ସେମାନେ କ୍ରୋଧିତ ତଥା ଦୁଃଖିତ ହୁଅନ୍ତି ଏବଂ ପୁନର୍ବାର ସଞ୍ଚୟ କରିବାକୁ ଲାଗନ୍ତି। ସେଥିପାଇଁ ଘରେ ଅଧିକ ସ୍ଥାନ ଦଖଲ କରନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ଏହାର ଅନାବଶ୍ୟକତା ଏବଂ ଅପକାରୀ ପ୍ରଭାବ (ଯେପରିକି ଘରର ସୁସ୍ଥପରିବେଶ ନଷ୍ଟ କରନ୍ତି) ସମ୍ପର୍କରେ ସଚେତନ କରାଗଲେ ତାହା କିଛିମାତ୍ରାରେ ଫଳବତୀ ହୋଇପାରେ। କାରଣ, ତଦ୍ଦ୍ବାରା ତାଙ୍କର ମନକୁ ନିଷ୍ପତ୍ତି ନେବା ଲାଗି ଅଧିକ ଉପଯୋଗୀ କରିବା ସହିତ ସକାରାତ୍ମକ ତଥା ଯୁକ୍ତିସିଦ୍ଧ କାର୍ଯ୍ୟକଳାପରେ ତାହାକୁ ସହାୟତା କରିହୁଏ। ଫଳରେ ତାହା ସୁସ୍ଥ, ସତେଜ, ସନ୍ତୁଳିତ ଏବଂ ଶାନ୍ତ ରହନ୍ତା ଏବଂ ରଙ୍କୁଣାମାନଙ୍କୁ ଏଥିରୁ ନିବୃତ୍ତ କରିପାରେ। ଏବେ କେତେକସ୍ଥଳେ ଏଥିପାଇଁ ଅବସାଦରୋଧୀ ଔଷଧର ମଧ୍ୟ ବ୍ୟବହାର ଫଳପ୍ରଦ ହେବାର ଦେଖାଯାଉଛି।

  • ପ୍ର. ରମେଶ ଚନ୍ଦ୍ର ପରିଡ଼ା
    ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
    ମୋ:୯୯୩୭୯୮୫୭୬୭

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri