Categories: ଖେଳ

ଫାଇନାଲରେ ବିଦର୍ଭ-ମୁମ୍ବାଇ ଭେଟ

ନାଗପୁର,7ା୩(ପି.ଟି.): ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ବିଦର୍ଭ। ବୁଧବାର ମଧ୍ୟପ୍ରଦେଶକୁ ୬୨ ରନ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛି ବିଦର୍ଭ। ପ୍ରଥମ ଇନିଂସ ପଛୁଆ ରହିଥିଲେ ମଧ୍ୟ ୟଶ ରାଠୋଡଙ୍କ ଲଢୁଆ ଶତକ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏହି ମ୍ୟାଚ୍‌କୁ ଜିତି ନେଇଥିଲା ଦଳ। ଏହା ସହ ମୁମ୍ବାଇ ବିପକ୍ଷରେ ଦଳ ଫାଇନାଲ ମ୍ୟାଚ୍‌ ଖେଳିବ। ମୁମ୍ବାଇ ୪୮ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଥିବା ବେଳେ ବିଦର୍ଭ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ଦିନରେ ବିଦର୍ଭକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିବା ବେଳେ ମଧ୍ୟପ୍ରଦେଶକୁ ଆବଶ୍ୟକ ଥିଲା ୯୩ ରନ୍‌। ଚତୁର୍ଥ ଦିନର ଅସମାପ୍ତ ସ୍କୋର ୨୨୮/୬ରୁ ଖେଳ ଆରମ୍ଭ କରି ମଧ୍ୟପ୍ରଦେଶ ୨୫୮ ରନ୍‌ରେ ଅଲଆଉଟ ହୋଇଥିଲା। ସାରାଂଶ ଜୈନ୍‌ ୨୫ ରନ୍‌ କରି ନବମ ଖେଳାଳି ଭାବେ ଆଉଟ ହୋଇଥିଲେ। ବୁଧବାର ସକାଳେ ୟଶ ଠାକୁର ଓ ଆଦିତ୍ୟ ଠାକରେ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ମଙ୍ଗଳବାର ୟଶ ଦୁବେ ଲଢୁଆ ୯୪ ରନ୍‌ କରିଥିଲେ। ତେବେ ଦିନର ଖେଳ ଶେଷହେବାକୁ ମାତ୍ର ୧ ଓଭର ବାକି ଥିବା ବେଳେ ଦୁବେ ସରାଓ୍ବତେଙ୍କ ବଲରେ ଆଉଟ ହୋଇଥିଲେ। ଏହା ସହିତ ମ୍ୟାଚ୍‌ ବିଦର୍ଭ ନିୟନ୍ତ୍ରଣକୁ ଆସିଥିଲା। ବିଦର୍ଭ ପକ୍ଷରୁ ଦ୍ୱିତୀୟ ଇନିଂସରେ ଲଢୁଆ ଶତକ ହାସଲ କରିଥିବା ୟଶ ରାଠୋଡଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ କରାଯାଇଥିଲା। ବିଦର୍ଭ ପ୍ରଥମ ଇନିଂସରେ ୧୭୦ ରନ୍‌ କରିଥିବା ବେଳେ ମଧ୍ୟପ୍ରଦେଶ ୨୫୨ ରନ୍‌ କରିଥିଲା। ତେବେ ୟଶଙ୍କ ଶତକ ବଳରେ ବିଦର୍ଭ ଦ୍ୱିତୀୟ ଇନିଂସରେ ୪୦୨ରନ୍‌ ସ୍କୋର କରି ୩୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

ସଂକ୍ଷିପ୍ତ ସ୍କୋର
ବିଦର୍ଭ ପ୍ରଥମ ଇନିଂସ: ୧୭୦/୧୦। ମଧ୍ୟପ୍ରଦେଶ ପ୍ରଥମ ଇନିଂସ: ୨୫୨/୧୦। ବିଦର୍ଭ ଦ୍ୱିତୀୟ ଇନିଂସ ୪୦୨/୧୦। ମଧ୍ୟପ୍ରଦେଶ ଦ୍ୱିତୀୟ ଇନିଂସ ୨୫୮/୧୦(ୟଶ ଦୁବେ-୯୪, ହର୍ଷ ଗାଓ୍ବଲି-୬୭, ସାରାଂଶ ଜୈନ୍‌-୨୫, ଅକ୍ଷୟ ଓ୍ବାଖରେ-୩/୪୨, ଆଦିତ୍ୟ ସରାଓ୍ବତେ-୨/୫୬, ୟଶ ଠାକୁର-୩/୬୦, ଆଦିତ୍ୟ ଠାକରେ-୨/୪୫)।

Share