Categories: ଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶା ୧୬୦ ରନ୍‌ରେ ଅଗ୍ରଣୀ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ପୁଡୁଚେରୀ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ଅଭିମୁଖେ ଗତି କରିଛି। ପ୍ରଥମ ଇନିଂସରେ ଓଡ଼ିଶା ୩୨୨ ରନ କରିଥିବାବେଳେ ପୁଡୁଚେରୀ ୨୮୪ ରନରେ ଅଲ୍‌ଆଉଟ ହୋଇଛି। ରବିବାର ତୃତୀୟ ଦିବସ ଖେଳ ଶେଷ ବେଳକୁ ଓଡ଼ିଶା ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଛି। ଅର୍ଥାତ୍‌ ୬ ଉଇକେଟ ସୁରକ୍ଷିତ ଥାଇ ଓଡ଼ିଶା ମୋଟ ୧୬୦ ରନରେ ଅଗ୍ରଣୀଲାଭ କରିଛି। ସୋମବାର ମ୍ୟାଚର ଅନ୍ତିମ ଦିବସ। ତେଣୁ ମ୍ୟାଚରୁ ଫଳାଫଳ ମିଳିବା ସମ୍ଭାବନା କମ୍‌ ରହିଛି। ପ୍ରଥମ ଇନିଂସ ଅଗ୍ରଣୀ ରହିଥିବାରୁ ଓଡ଼ିଶା କୌଣସି ପରିସ୍ଥିତିରେ ମ୍ୟାଚ ହାତଛଡ଼ା କରିବାକୁ ଚାହିଁବ ନାହିଁ। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱାଧୀନ ଦଳ ଅତିକମ୍‌ରେ ପ୍ରଥମ ସେସନ ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ। ଏ କ୍ଷେତ୍ରରେ ପୁଡୁଚେରୀକୁ ଟାର୍ଗେଟ ଚେଜ୍‌ କରିବାକୁ ଆଉମାତ୍ର ୨ ସେସନ ସମୟ ରହିବ। ମ୍ୟାଚ ଡ୍ର ରହିଲେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇବ।

ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୨୭/୪ରୁ ଖେଳ ଆରମ୍ଭ କରିଥିବା ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକଙ୍କ ଶତକ ସତ୍ତ୍ୱେ ପ୍ରଥମ ଇନିଂସରେ ୨୮୪ ରନରେ ସୀମିତ ରହି ଯାଇଥିଲା। ପୁଡୁଚେରୀ ପକ୍ଷରୁ ଖେଳୁଥିବା ତାମିଲନାଡ଼ୁର କାର୍ତ୍ତିକ କ୍ୟାରିୟରର ୧୨ଶ ପ୍ରଥମ ଶ୍ରେଣୀ ଶତକ ପୂରଣ କରିଥିଲେ। ସେ ୧୭୫ଟି ବଲ୍‌ର ସମ୍ମୁଖୀନ ହୋଇ ୧୧୦ ରନ ସ୍କୋର କରିଥିଲେ। ମିଡିଲ ଅର୍ଡର ଓ ଲୋୟର ଅର୍ଡରରେ ଫବିଦ ଅହମଦ ୩୯, ସାଗର ଉଦେଶୀ ୩୪, କ୍ରିଷ୍ଣା ପାଣ୍ଡେ ୪୨ ଓ ରବି ଯାଦବ ୨୪ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ରାଜେଶ ମହାନ୍ତି, ସୁନୀଲ ରାଉଳ ଓ ହର୍ଷିତ ରାଠୋଡ ୨ଟି ଲେଖାଏ ଏବଂ ଦେବବ୍ରତ ପ୍ରଧାନ, ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ପ୍ରଥମ ଇନିଂସରେ ୩୮ ରନରେ ଅଗ୍ରଣୀ ହାସଲ କରିଥିବା ଓଡ଼ିଶାର ଦ୍ୱିତୀୟ ଇନିଂସ ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଓପନିଂ ଯୋଡ଼ିରେ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ତେବେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଟପ୍‌ ଅର୍ଡରର ୪ ବ୍ୟାଟର ତାହାକୁ ବଡ଼ ସ୍କୋରରେ ପରିଣତ କରି ନ ପାରି ଆଉଟ ହୋଇଯିବାରୁ ୧୦୮ ରନ ମଧ୍ୟରେ ଓଡ଼ିଶା ୪ ଉଇକେଟ ହରାଇଥିଲା। ଅନୁରାଗ ୨୨, ଶାନ୍ତନୁ ୨୮, ସନ୍ଦୀପ ପଟ୍ଟନାୟକ ୧୬ ଓ ଶୁଭ୍ରାଂଶୁ ସେନାପତି ୧୯ ରନକରି ଆଉଟ ହୋଇଯାଇଥିଲେ। ଷ୍ଟମ୍ପ୍ସ ବେଳକୁ ଗୋବିନ୍ଦ ପୋଦ୍ଦାର ୧୯ ଓ ବିପ୍ଳବ ସାମନ୍ତରାୟ ୫ ରନରେ ଅପରାଜିତ ରହିଥିଲେ। ପୁଡୁଚେରୀ ପକ୍ଷରୁ ସୌରଭ ଯାଦବ, ଗୌରବ ଯାଦବ, ରବି ଯାଦବ ଓ ସାଗର ଉଦେଶୀ ଗୋଟିଏ ଲେଖାଏ ଉଇକେଟ ବାଣ୍ଟି ନେଇଥିଲେ।

 

Share