Categories: ଖେଳ

ରମେଶ ପାଓ୍ବାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୧୦ା୨ (ପି.ଟି.)-ଫେବୃୟାରୀ ୨୦ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତର ପୂର୍ବତନ ଅଫ୍‌ ସ୍ପିନର ରମେଶ ପାଓ୍ବାରଙ୍କୁ ମୁମ୍ବାଇ କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତି ଦିଆଯାଇଛି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ସମ୍ପାଦକ ସଞ୍ଜୟ ନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବତନ ଘରୋଇ କ୍ରିକେଟର ଅମିତ୍‌ ପାଗ୍‌ନିସଙ୍କୁ ପ୍ରଥମେ ମୁମ୍ବାଇ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ତାଙ୍କ ପଦ ତ୍ୟାଗ କରିଥିଲେ। ୪୨ ବର୍ଷୀୟ ପାଓ୍ବାର ଭାରତ ତରଫରୁ ୨ ଟେଷ୍ଟ ଏବଂ ୩୧ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ଜାତୀୟ ମହିଳା ଦଳର କୋଚ୍‌ ଥିଲେ। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ମଧ୍ୟ ସେ କାର୍ଯ୍ୟକରିଛନ୍ତି। ବିଜୟ ହଜାରେ ଟ୍ରଫି ହେଉଛି ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ନାମେଣ୍ଟ। ଦିଲ୍ଲୀ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ପଣ୍ଡିଚେରୀ ସହ ମୁମ୍ବାଇ ଏଲିଟ୍‌ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛି। ମୁମ୍ବାଇର ମ୍ୟାଚଗୁଡ଼ିକ ଜୟପୁରରେ ଖେଳାଯିବ।

Share