Categories: ଖେଳ

ମହିଳା କୋଚ୍‌ ପାଇଁ ରମଣ ପୁଣି ଆବେଦନ କରିବେ

ନୂଆଦିଲ୍ଲୀ, ୧୪।୪(ପି.ଟି.)- ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟୁ.ଭି. ରମଣ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପାଇଁ ପୁଣି ଆବେଦନ କରିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ରମଣଙ୍କୁ ଅଧିକ ଦାୟିତ୍ୱ ଦେବା ଲକ୍ଷ୍ୟରେ ରହିଛି। ଚୁକ୍ତିବଦ୍ଧ ବ୍ୟକ୍ତିଙ୍କ ସମୟସୀମା ପୂରଣ ହୋଇଥିବାରୁ ନୂଆ ସମ୍ବିଧାନ ଅନୁସାରେ ବିସିସିଆଇ ଏହାର ଓ୍ବେବ୍‌ସାଇଟ୍‌ରେ ବିଜ୍ଞାପନ ଜରିଆରେ ନୂଆ ଦରଖାସ୍ତ ଆବେଦନ କରିଛି। ସିନିୟର ଦଳର ମୁଖ୍ୟ କୋଚ୍‌ ଥିବା ରମଣଙ୍କୁ ମହିଳା ‘ଏ’, ୧୯ ବର୍ଷରୁ କମ୍‌ ଏବଂ ଏନସିଏ ଟିମ୍‌ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କୁହାଯିବା ଅନୁମାନ କରାଯାଉଛି। ରମଣଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ସେ ପୁଣି ଆବେଦନ କରିବେ ଏବଂ ଏହି ପଦ ପାଇଁ ପ୍ରବଳ ଦାବିଦାର ମଧ୍ୟ ରହିବେ ବୋଲି ଜଣେ ସିନିୟର ବିସିସିଆଇ ଅଫିସିଆଲ ନିଜ ନାମ ଗୋପନରଖି ପ୍ରକାଶ କରିଛନ୍ତି। ମହିଳା ଦିନିକିଆ ବିଶ୍ୱକପ ଆଉ ଏକ ବର୍ଷରୁ କମ୍‌ ସମୟ ଅଛି। ଭାରତୀୟ ଦଳ ଆଗାମୀ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତରେ ଯିବାର ଅଛି। ତେଣୁ ବିସିସିଆଇ କିପରି ଆଭିମୁଖ୍ୟ ପୋଷଣ କରୁଛି ତାହା ଦେଖିବାକୁ ଉତ୍ସୁକତା ବଢ଼ିଛି। ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ ଆସନ୍ତା ବର୍ଷ ଅନୁଷ୍ଠିତ ହେବ। ତେଣୁ ବିସିସିଆଇ ଜୁନିୟର ଚୟନ କମିଟିକୁ ମଧ୍ୟ ପୁନର୍ଗଠନ କରିବ। କରୋନା ମହାମାରୀ ପାଇଁ ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟ ସ୍ଥଗିତ ରହିଥିବାରୁ ଆଶିଷ କପୁରଙ୍କ ନେତୃତ୍ୱାଧୀନ କମିଟି ସ୍ଥାନରେ ନୂଆ କମିଟି ଗଠନରେ ବିଳମ୍ବ ହୋଇଛି। ଜୁନିୟର ଚୟନ କମିଟି ୨୩ ବର୍ଷରୁ କମ୍‌ ଭାରତୀୟ ଇମର୍ଜିଂ ଦଳ ଗଠନ ଦାୟିତ୍ୱରେ ମଧ୍ୟ ରହିବ। ଜୁନିୟର ଚୟନ କମିଟି ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତି ଅତିକମ୍‌ରେ ୨୫ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିବ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରିକେଟରୁ ୫ ବର୍ଷ ହେଲା ଅବସର ନେଇଥିବା ନିୟମ ରହିଛି।

Share