ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ, ଯଦିଓ ଉତ୍କଳୀୟ ପରମ୍ପରାରେ ବାରମାସରେ ତେରପର୍ବ ଚାଲିଥାଏ। ଯାନିଯାତ୍ରା, ପିଠାପଣା ସବୁକିଛି ଆମର ପାଣିପାଗ ଅନୁସାରେ ପୂର୍ବ ପୁରୁଷମାନେ ନିର୍ଦ୍ଧାରଣ କରିଆସିଛନ୍ତି। ପ୍ରତ୍ୟେକ ପର୍ବର ମହତ୍ତ୍ୱ ଏକ ଧାର୍ମିକ ବିଚାରଧାରା ଉପରେ ନିହିତ ଥିଲେ ହେଁ ସୂକ୍ଷ୍ମ ଭାବରେ ଅନୁସନ୍ଧାନ କଲେ ଏ ସବୁର ବୈଜ୍ଞାନିକ ତାତ୍ପର୍ଯ୍ୟ ଅନେକ ଗୁରୁତ୍ୱ ବହନ କରିଛି।
ଆମର ଧର୍ମ କହିଲେ ‘ଜଗନ୍ନାଥ’, ଯାହାଙ୍କୁ ଆମେ ହିନ୍ଦୁଧର୍ମର ପ୍ରତୀକ ଭାବେ ମାନିଥାଉ। ଆମର ପ୍ରତ୍ୟେକଟି ପର୍ବପର୍ବାଣିରେ ପ୍ରଥମେ ଜଗନ୍ନାଥଙ୍କୁ ପ୍ରାଧାନ୍ୟ ଦେଇଥାଉ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଯଦି ଆମେ ଦେଖିବା ଜଗନ୍ନାଥଙ୍କ ବାମପାର୍ଶ୍ୱରେ ଶ୍ରୀଦେବୀ ମହାଲକ୍ଷ୍ମୀ ରୂପରେ ଏବଂ ଦକ୍ଷିଣ ପାର୍ଶ୍ୱରେ ଭୂଦେବୀ ଅର୍ଥାତ୍‌ ଧରଣୀ ମା’ ରୂପରେ ବିରାଜମାନ ଅଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଆଦିଶକ୍ତି ମା’ ଭଗବତୀ ରୂପରେ ବିବେଚନା କରାଯାଏ। ସେଥିପାଇଁ ଧରଣୀ ମା’କୁ କିଛି କଷ୍ଟ ନ ହେଲା ପରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଏ। ଯଦିଓ ଶାସ୍ତ୍ରପୁରାଣରେ ଏହାର ବର୍ଣ୍ଣନା ଏତେ ବେଶି ନାହିଁ ତଥାପି ଲୋକ ପରମ୍ପରା ଭାବରେ ଏହା ଘରେ ଘରେ ପ୍ରଚଳିତ।
ମାତୃଶକ୍ତି ଅଥବା ନାରୀଶକ୍ତିର ମହତ୍ତ୍ୱକୁ ଶାସ୍ତ୍ରପୁରାଣରେ ଅଗ୍ରାଧିକାର ଦିଆଯାଇଛି। ବସୁଧାକୁ ମା’ ଭାବରେ ପୂଜାକରି ଆମେ ମାତୃଶକ୍ତିର ବନ୍ଦନ କରିଥାଉ। ମା’ ବସୁଧା ଯେତେବେଳେ ରଜସ୍ବଳା ହୁଅନ୍ତି ସେତେବେଳେ କଥିତ ଅଛି ଜମି ଉର୍ବର ହୋଇଉଠେ ଏବଂ ଚାଷ କରିବାର କ୍ଷମତା ଦ୍ବିଗୁଣ ହୋଇଉଠେ, ଠିକ୍‌ ଯେମିତି କନ୍ୟା ରଜସ୍ବଳା ହେଲେ ତା’ ଭିତରେ ମାତୃଶକ୍ତି ଜାଗ୍ରତ ହୁଏ। ତେଣୁ ଧରଣୀ, ବସୁଧା ଯିଏ ସର୍ବଂସହା, ଯାହା ଉପରେ ଆମେ ପାଦଦେଇ ସାରା ଜୀବନ ଚାଲୁ, ଯାହା କୋଳରେ ଆମେ ଭୂମିଷ୍ଠ ହୋଇ ଦୁନିଆ ଦେଖୁ ତା’ର ଯତ୍ନ, ମର୍ଯ୍ୟାଦା ରକ୍ଷା କରିବା ଆମର କର୍ତ୍ତବ୍ୟ। ପାହାଡ଼, ପର୍ବତ, ନଦୀ ନାଳ ସବୁକିଛି ସେ ତା’ରି ବୁକୁରେ ଆଲିଙ୍ଗନ କରି ରଖିଥାଏ। ସେଥିପାଇଁ ରଜ ତିନିଦିନ ମାଟି ମା’କୁ କୌଣସି କଷ୍ଟ ନ ଦେଇ ତାକୁ ବିଶ୍ରାମ ଦେବାକୁ ଆମେ ବିଭିନ୍ନ ଉପଚାର କରିଥାଉ।
ରଜଦୋଳି ଖେଳିବା, ଝିଅ ବୋହୂମାନେ ନୂଆ ଲୁଗା ପିନ୍ଧି, ବେଶଭୂଷା ହୋଇ ଗାଁଦାଣ୍ଡରେ ବୁଲିବା, ପିଠାପଣା କରି ପରିବାର ସହ ଭଲପାଇବା ବାଣ୍ଟିବା, ବିଭିନ୍ନ ପ୍ରକାର ଖେଳ କୌତୁକରେ ସମସ୍ତଙ୍କ ମନୋରଞ୍ଜନ କରିବା; ଏସବୁ ଲୋକ ପରମ୍ପରା ଭାଇଚାରା ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଯାଏ। ଗାଁଗହଳିରେ ଝିଅ ବୋହୂ, ସାଥୀ ସହୋଦର, ପରିବାରର ସମସ୍ତେ ଏକାଠି ହୁଅନ୍ତି। କି ସୁନ୍ଦର ଆମର ଏ ପରମ୍ପରା! ସମ୍ପର୍କକୁ ଧରି ରଖିବାର ଏକ ଚମତ୍କାରିତା।
ମାଟି ମା’କୁ ସମ୍ମାନ ଦେବା ପାଇଁ ସ୍ବୟଂ ପ୍ରଭୁ ରାମଚନ୍ଦ୍ର କହିଥିଲେ: ”ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।“ ରଜପର୍ବ ନାରୀମାନଙ୍କ ସମ୍ମାନର ପର୍ବ। ମାଟି ମା’କୁ ସମ୍ମାନ ଦେଇ ଆମେ ବହୁ ପ୍ରାଚୁର୍ଯ୍ୟର ସହ ରଜପର୍ବ ପାଳନ କରିଥାଉ। ଉପନିଷଦରେ କଥିତ ଅଛି, ସୃଷ୍ଟି ଯେତେବେଳେ ସରିବାକୁ ଆସିଲା ସେତେବେଳେ ବିଶ୍ୱସ୍ରଷ୍ଟା ସମସ୍ତ ଦେବଦେବୀ, ଶକ୍ତିଙ୍କୁ ଆମନ୍ତ୍ରଣ କଲେ। ସମସ୍ତଙ୍କୁ ପଚରାଗଲା, କିଏ କେଉଁ ବିଭାଗ ନେବ। ସମସ୍ତ ଦେବତା ଓ ଶକ୍ତିମାନେ ଉଚ୍ଚ ଆସନ ଚାହିଁଲେ। ରାଧାମୋହନ ଗଡ଼ନାୟକ ବର୍ଣ୍ଣନା କରିଛନ୍ତି ତାଙ୍କ କବିତାରେ… ”ସକଳେ ଚାହିଁଲେ ମାନ ଉଚ୍ଚାସନ ସ୍ବାଧିକାର ଭୋଗ, କିନ୍ତୁ କଲ୍ୟାଣମୟୀ ମା’ ଚାହିଁଲେ ବିଶ୍ୱ ସ୍ରଷ୍ଟାଙ୍କର ଯାହା ଆଦେଶ ସେ ମଥାପାତି ପାଳନ କରିବେ।“ ପୁଣି କବି କହିଛନ୍ତି… ”ସୃଷ୍ଟି ପରେ ସୂର୍ଯ୍ୟ, ଚନ୍ଦ୍ର, ପ୍ରଭଞ୍ଜନ, ମେଘ ସମସ୍ତେ ଉଚ୍ଚ ଆସନ ଓ ଅଜସ୍ର କ୍ଷମତା ଚାହିଁଲେ।“ ସର୍ବଶେଷରେ ଭୂମାତାଙ୍କୁ ପଚରା ହେଲା ତୁମେ କ’ଣ ଚାହୁଁଛ… ନିର୍ଦ୍ୱନ୍ଦ୍ୱରେ ମା’ କହିଲେ… ”ହେ ପ୍ରଭୁ! ତୁମ ଇଚ୍ଛା ଏହି ମୋର ଦୀକ୍ଷା।“ ଆଶ୍ଚର୍ଯ୍ୟ ହୋଇଗଲେ ସ୍ରଷ୍ଟା। ବୋଇଲେ ମୋ ଇଚ୍ଛା ଅତି ଭୟଙ୍କର, ସହି ପାରିବ ତ? ମଥା ପାତି ସମ୍ମତି ଜଣାଇଲେ ମା’ ପୃଥିବୀ। ସ୍ରଷ୍ଟା କହିଲେ ତେବେ ଶୁଣ! ତୁମ ବକ୍ଷରେ ପର୍ବତ, ନଦୀନାଳ, ବୃକ୍ଷ, ଜୀବଜଗତ, ମନୁଷ୍ୟ ସମସ୍ତେ ରହିବେ। ଧାରଣ କରିପାରିବ ତ। ଧରଣୀ ଦେବୀ ପୁଣି ଥରେ ସମ୍ମତି ଜଣାଇଲେ। କିନ୍ତୁ କଲ୍ୟାଣମୟୀ ମା’ ସେ। ସମସ୍ତଙ୍କର ମଙ୍ଗଳ ଚାହେଁ। ବିଶ୍ୱ ସ୍ରଷ୍ଟା ଆଶୀର୍ବାଦ କଲେ। ମା’ ଯେ ଶ୍ରେଷ୍ଠ ଉଚ୍ଚତର ଆସନର ଅଧିକାରୀ ଏ ବାର୍ତ୍ତା ଗଗନପବନ ଚତୁର୍ଦ୍ଦିଗ କମ୍ପିତ ହୋଇଉଠିଲା। ଶକ୍ତି ବିନା ସୃଷ୍ଟି କାହିଁ?
ସୃଷ୍ଟି ପୁଣି ଥରେ ନୂଆ ମୋଡ଼ ନେଲା। ବିଶ୍ୱ ସ୍ରଷ୍ଟା ହସି ହସି କହିଲେ, ହେ ଭୂମାତା! ତୁମେ କାଳଜୟୀ। ତୁମ ଉପରେ ଆକାଶ ଛାତ ପରି ରହିଛି। ମେଘ ତୁମକୁ ସ୍ନାନ କରାଇବ, ପ୍ରଭଞ୍ଜନ ତୁମକୁ ବିଞ୍ଚନା କରିବ, ସୂର୍ଯ୍ୟ ଦିନରେ ଆଲୋକ ପ୍ରଦାନ କରିବ, ଚନ୍ଦ୍ର ରାତ୍ରିରେ ଶୀତଳ ଆଲୋକ ପ୍ରଦାନ କରିବ। ଏ ସମସ୍ତ ଅୟସର ଅଧିକାରିଣୀ ତୁମେ ମା’। ତୁମ ପାଦତଳେ ସମସ୍ତେ ରହିବେ। ମଧୁସୂଦନ ଦାସ ଯେପରି କହିଛନ୍ତି : ”ତୁହି ମା’ ଧରଣୀ ଜନନୀ ମୋହର ରଖିଛୁ ମା’ ମୋତେ କୋଳେ। ଲୋଟୁଅଛି ସିନ୍ଧୁ ଚରଣେ ତୋହର ଆହା କି ଉଲ୍ଲାସ ଭୋଳେ।“ ନାରୀ ଯେ ସବୁ ସମ୍ମାନର ଅଧିକାରୀ ଏହାକୁ ସ୍ବୟଂ ବିଶ୍ୱ ସ୍ରଷ୍ଟା ପ୍ରମାଣିତ କରିଥିଲେ। ଏହା ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଦୃଶ୍ୟ ହୁଏ। ଜଗନ୍ନାଥଙ୍କ ଉଭୟ ପାର୍ଶ୍ୱରେ ଶ୍ରୀଦେବୀ ଓ ଭୂଦେବୀ ପ୍ରତିଷ୍ଠିତ। ଶ୍ରୀଦେବୀ ତ ଲକ୍ଷ୍ମୀ ରୂପା, ଭୂଦେବୀଙ୍କୁ ବି ଲକ୍ଷ୍ମୀଙ୍କ ରୂପ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ତା’ରି ବକ୍ଷରେ ଫଳ, ପୁଷ୍ପ, ଖାଦ୍ୟଶସ୍ୟ, ସୁନା, ରୁପା, କୋଇଲା, ହୀରା, ମୋତି ମାଣିକ୍ୟ ସବୁକିଛି ସେ ଧାରଣ କରିଛି। ଅର୍ଥାତ୍‌ ଲକ୍ଷ୍ମୀ ସ୍ବରୂପା।
ମାଟି ମା’ର ସମ୍ମାନାର୍ଥେ ରଜପର୍ବ ଅତି ଆଡ଼ମ୍ବର ସହକାରେ ପାଳନ କରିବା ପ୍ରତ୍ୟେକ ଉତ୍କଳୀୟଙ୍କ କର୍ତ୍ତବ୍ୟ। ଖାଲି ପରମ୍ପରା ନୁହେଁ, ବାସ୍ତବବାଦୀ ହେବା ଦରକାର। ନିଜର ସଭ୍ୟତା, ସଂସ୍କୃତିକୁ ନିଜର କରି ବାନ୍ଧିରଖିବା ଆମ ଉତ୍କଳୀୟ ପରମ୍ପରା।

ଜୟଶ୍ରୀ ମହାପାତ୍ର
ମୋ: ୮୯୧୭୬୦୮୮୫୮

 

Dharitri – Odisha’s No.1 Odia Daily