‘ରାବିଡ଼ି’ ଓ ଖୁସି

ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ‘ବର୍ତ୍ତମାନ ଆମ ଦେଶରେ ମାଗଣା ରାବିଡ଼ି ବାଣ୍ଟି ଭୋଟ ହାତେଇବାର ସଭ୍ୟତା ବଢ଼ିଚାଲିଛି; ଏହି ରାବିଡ଼ି ସଭ୍ୟତା ଦେଶର ପ୍ରଗତି ପାଇଁ ବହୁତ ଘାତକ’ ବୋଲି କହିବେ, ତେବେ ତାହାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ। ପ୍ରଧାନମନ୍ତ୍ରୀ କାହାକୁ ‘ରାବିଡ଼ି’ ବୋଲି ମନେକରୁଛନ୍ତି ଓ ତାହା କିଏ ବାଣ୍ଟୁଛନ୍ତି ସ୍ପଷ୍ଟ କରିନାହାନ୍ତି। ତେବେ, ଯେହେତୁ ସେ ଭୋଟ ସହିତ ମାଗଣା ରାବିଡ଼ିକୁ ଯୋଡ଼ିଛନ୍ତି, ସେଥିରୁ ବୁଝାଯାଉଛି ଯେ ଲୋକଙ୍କୁ ବିଭିନ୍ନ ସରକାର ଦେଉଥିବା ଭିନ୍ନ ଭିନ୍ନ ରିହାତିକୁ ସେ ‘ରାବିଡି’ ମନେକରୁଛନ୍ତି। ତେବେ ଆଜିର ଆଲେଖ୍ୟରେ ଆମେ ଏହାର ରାଜନୈତିକ ଦିଗକୁ ଆଦୌ ଯିବା ନାହିଁ ବା ପ୍ରଧାନମନ୍ତ୍ରୀ ପ୍ରକୃତରେ ରାବିଡ଼ିର କ’ଣ ଧାରଣା ରଖିଛନ୍ତି ତାହାର ଚର୍ଚ୍ଚା କରିବା ନାହିଁ। ଆମେ କେବଳ ‘ସୁଖ ସୂଚକାଙ୍କ’ରେ ସର୍ବାଗ୍ରେ ଥିବା କିଛି ରାଷ୍ଟ୍ରର ଉଦାହରଣ ନେଇ ସେଠାରେ ‘ରାବିଡ଼ି’ର କିଛି ଭୂମିକା ଅଛି ନା ନାହିଁ ଦେଖିବାର ଚେଷ୍ଟା କରିବା।
ପ୍ରଗତି ମାପିବାର ପ୍ରକୃତ ମାପକ କ’ଣ ହେବା ଦରକାର- ଅନେକ ବର୍ଷ ହେଲାଣି ଏହାରି ଉପରେ ଚର୍ଚ୍ଚା ହୋଇଆସିଛି। ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ‘ଜିଡିପି’ ବା ସମୁଦାୟ କେତେ ଉତ୍ପାଦନ ହେଉଛି, ତାହା ପ୍ରଗତିର ମାପକାଠି ହୋଇ ରହିଛି। ତେବେ ଏଥିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଉପଲବ୍ଧି କରି ୨୦୧୧ରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ‘ସୁଖ- ପ୍ରଗତିର ଏକ ସାମଗ୍ରିକ ପରିଭାଷା’ ଶୀର୍ଷକ ପ୍ରସ୍ତାବ ପାରିତ ହେଲା। ସେଥିରେ କୁହାଯାଇଥିଲା ଯେ, ଲୋକଙ୍କ ସୁଖ ଓ ଖୁସି ହିଁ ଉନ୍ନତି ଓ ପ୍ରଗତିର ପ୍ରକୃତ ପରିଭାଷା। ଏହି କ୍ରମରେ ଏପ୍ରିଲ ୨୦୧୨ରେ ପ୍ରଥମ ‘World Happiness Report’ ବା ବିଶ୍ବ ସୁଖୀ ରିପୋର୍ଟ ଆସିଲା। ସେହି ବର୍ଷଠାରୁ ପ୍ରତିବର୍ଷ ସେହି ରିପୋର୍ଟ ପ୍ରସ୍ତୁତ ହେଉଛି। ସେଥିରେ ବିଶ୍ବର କେଉଁ ରାଷ୍ଟ୍ରର ଲୋକେ କେତେ ସୁଖୀ ତାହା ମାପିବାର ପ୍ରୟାସ କରାଯାଉଛି। ମୋଟ ଘରୋଇ ଉତ୍ପାଦ, ସାମାଜିକ ସହାୟତା, ଜନ୍ମ ସମୟରେ ସୁସ୍ଥ ଆୟୁ ସମ୍ଭାବନା, ନିଜ ପସନ୍ଦର ଜୀବନ ଜିଇବାର ସୁଯୋଗ, ଉଦାରତା ଓ ଦୁର୍ନୀତିର ଅନୁଭବକୁ କାରକ ଭାବରେ ନେଇ ‘ସୁଖ ସୂଚକାଙ୍କ’ ପ୍ରସ୍ତୁତ କରାଯାଉଛି। ଏହାକୁ ନେଇ ଆଉ ଦ୍ୱିମତ ନାହିଁ ଯେ, ଖୁସି ଆଣିବାରେ ଆୟ ତ ଏକ ବଡ଼ ମାପକ ନିଶ୍ଚୟ ହେବ, କିନ୍ତୁ ତାହା ଆଦୌ ଏକମାତ୍ର ବା ପ୍ରମୁଖ ମାପକ ନୁହେଁ। ନିଜକୁ କେତେ ସୌଭାଗ୍ୟଶାଳୀ ମନେକରୁଛନ୍ତି, ନିଜକୁ କେତେ ସୁଯୋଗ ମିଳୁଛି ବୋଲି ବିବେଚନା କରୁଛନ୍ତି, ଆପଦ ବିପଦରେ ନିଜକୁ କେତେ ସୁରକ୍ଷିତ ମନେକରୁଛନ୍ତି ଇତ୍ୟାଦି ମଧ୍ୟ ଖୁସି ବା ସନ୍ତୁଷ୍ଟି ଆଣିବାରେ ବା ହୃଦୟଙ୍ଗମ କରିବାରେ ପ୍ରମୁଖ କାରକ। ସୁଖୀ ଦେଶଗୁଡ଼ିକର ସନ୍ତୁଷ୍ଟିର କାରଣ ଖୋଜିବା ଆଦୌ କଷ୍ଟପ୍ରଦ ନୁହେଁ। ସେହି ଦେଶର ଲୋକେ ବିଚାର କରନ୍ତି ଯେ, ତାଙ୍କୁ ଚାହୁଁଥିବା ସୁଯୋଗ ମିଳୁଛି, ତାଙ୍କୁ ସାମାଜିକ ସହାୟତା ମିଳୁଛି, ତାଙ୍କ ଦେଶରେ ବିଭେଦ ନାହିଁ, ତାଙ୍କ ସରକାରରେ ଦୁର୍ନୀତି ନାହିଁ। ସେମାନେ ଆହୁରି ବିଚାର କରନ୍ତି ଯେ, ସେମାନେ ସରକାରକୁ ଦେଉଥିବା କର ଅପଚୟ ହେଉନାହିଁ।
ବିଶ୍ୱର ସବୁଠାରୁ ଧନୀ ଓ ବଳୀୟାନ୍‌ ରାଷ୍ଟ୍ର ଆମେରିକା। କିନ୍ତୁ ଖୁସିରେ ସର୍ବାଗ୍ରେ ଥିବା ରାଷ୍ଟ୍ରଙ୍କ ତାଲିକାରେ ତା’ ନଁା ନାହିଁ। ଫିନ୍‌ଲାଣ୍ଡ, ଡେନ୍‌ମାର୍କ, ନରୱେ ଆଦି ରାଷ୍ଟ୍ର ସେହି ସୂଚୀରେ କ୍ରମାଗତ ଭାବରେ ଶୀର୍ଷରେ ରହି ଆସିଛନ୍ତି। ଲୋକଙ୍କୁ ସମାନ ସୁଯୋଗ ଦେଇ ପ୍ରଗତି ପଥରେ ଆଗେଇ ନେବା ପାଇଁ ସେହି ଦେଶର ସରକାରମାନେ ‘ରାବିଡ଼ି’ ବାଣ୍ଟିବାରେ ଆଦୌ କାର୍ପଣ୍ୟ କରନ୍ତି ନାହିଁ। ସୁଖ ସୂଚୀରେ ସର୍ବାଗ୍ରେ ରହୁଥିବା ଏଇ ରାଷ୍ଟ୍ରଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଉନ୍ନତ ଓ ବିଭେଦ ରହିତ। ସେଠାରେ ବିଦ୍ୟାଳୟରେ ପଢ଼ିବା ପାଇଁ ଫିଜ୍‌ ଦରକାର ପଡ଼େନାହିଁ। ତେଣୁ ଧନୀ ଯେଉଁଠି ପଢ଼ିବ, ଗରିବଟେ ବି ସେଇଠି ପଢ଼ିବାର ସମାନ ସୁଯୋଗ ରହିଛି। ଏହି ମାଗଣା ଶିକ୍ଷା ବ୍ୟବସ୍ଥା ଖାଲି ପ୍ରାଥମିକ ସ୍ତରରେ ନାହିଁ, ଉଚ୍ଚ ଶିକ୍ଷା ସ୍ତରରେ ମଧ୍ୟ ଅଛି। ଅଧ୍ୟୟନ ପାଇଁ ଆର୍ଥିକ ସ୍ବଚ୍ଛଳତା ଆଦୌ ଏକ କାରକ ନୁହେଁ ସେହିସବୁ ରାଷ୍ଟ୍ରରେ। ସ୍ବାସ୍ଥ୍ୟସେବା ସେଇଠି ସମସ୍ତଙ୍କ ପାଇଁ ସମାନ। ଧନୀ ପାଇଁ ଯେଉଁ ଡାକ୍ତରଖାନା, ଗରିବ ପାଇଁ ବି ସେୟା। ସବୁ ମାଗଣା। ସେହି ସବୁ ରାଷ୍ଟ୍ରରେ ‘ସାମାଜିକ ସୁରକ୍ଷା’କୁ ନାଗରିକର ‘ଅଧିକାର’ ବୋଲି ବିବେଚନା କରାଯାଏ। ସବୁ ବ୍ୟକ୍ତିଙ୍କୁ ଉପଯୁକ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ମିଳିବା, ବ୍ୟକ୍ତିର ଆୟ ନ ଥିଲେ ବା ବେକାର ଥିଲେ ରୋଜଗାରର ବିକଳ୍ପ ସାଧନ ବା ଭତ୍ତା ରହିବା, ବ୍ୟକ୍ତି ବେମାର ବା କାମ କରି ନ ପାରିଲେ ସେବା ଓ ଆୟର ଚିନ୍ତା ନ ଥିବା, ଶିଶୁ ଓ ବୟସ୍କଙ୍କ ପାଇଁ ଉନ୍ନତ ସେବା ବ୍ୟବସ୍ଥା ଥିବା, ବୈଷମ୍ୟ ନ ଥିବା ଇତ୍ୟାଦି ହେଲା ‘ସାମାଜିଜ ସୁରକ୍ଷା’। ଜଣେ ବ୍ୟକ୍ତି ନିଜକୁ ଚିନ୍ତାମୁକ୍ତ ମନେକରିବା ହେଲା ‘ସାମାଜିଜ ସୁରକ୍ଷା’ର ମାପକାଠି। ସେହି ଦେଶର ସରକାରମାନେ ଭୋଟ ପାଇଁ ସେଭଳି ବ୍ୟବସ୍ଥା ରଖିନାହାନ୍ତି। ସେମାନେ ବୁଝିଛନ୍ତି ଯେ, ତାହା ହିଁ ଶାସକ ଓ ଶାସନର କର୍ତ୍ତବ୍ୟ। ସୁଖର ସୂଚୀରେ ଆଗରେ ଥିବା ବହୁ ରାଷ୍ଟ୍ର ଆହୁରି ଅନେକ ପ୍ରକାରର ‘ରାବିଡ଼ି’ ବାଣ୍ଟନ୍ତି। ଲକ୍ସମବର୍ଗ, ଜର୍ମାନୀ ଆଦି ଦେଶରେ ସାର୍ବଜନୀନ ଗମନାଗମନ ବ୍ୟବସ୍ଥା ପ୍ରାୟ ମାହାଳିଆ। ସବୁଠି ବେକାରି, ବରିଷ୍ଠ ନାଗରିକ, ଅନ୍ୟ ଭାବରେ ଦୁର୍ବଳ ଲୋକଙ୍କ ପାଇଁ ସରକାରମାନେ ରାବିଡ଼ିର ବ୍ୟବସ୍ଥା ରଖିଛନ୍ତି। ହଁ, ଗୋଟିଏ ଯୁକ୍ତି ଆସିପାରେ ଯେ ସେହି ଦେଶଗୁଡ଼ିକରେ ସରକାର ଅଧିକ ଆୟକର ନିଅନ୍ତି। ହଁ, ଫିନ୍‌ଲାଣ୍ଡ ଓ ଡେନ୍‌ମାର୍କରେ ତ ଲୋକେ ୫୬% ଯାଏ ଆୟକର ଦିଅନ୍ତି। ସେତିକି କର ଦେଇକି ବି ସେହି ଦେଶର ଲୋକେ ପ୍ରବଳ ଖୁସି। କାରଣ ସେମାନେ ଚାହୁଁଥିବା ସେବା, ସୁଯୋଗ ଓ ବାତାବରଣ ତାଙ୍କୁ ତାଙ୍କ ସରକାର ପ୍ରଦାନ କରନ୍ତି। ଆଉ ସେମାନେ ମନେକରନ୍ତି ଯେ ସେମାନେ ଦେଉଥିବା କରର ସଠିକ ଉପଯୋଗ ହେଉଛି।
୨୦୨୨ର ହାପିନେସ୍‌ ରିପୋର୍ଟରେ ୧୪୬ଟି ରାଷ୍ଟ୍ରର ସୂଚୀରେ ଭାରତ ଦୟନୀୟ ୧୩୬ତମ ସ୍ଥାନରେ ରହିଛି। ୧୩୫ଟି ରାଷ୍ଟ୍ରର ଲୋକ ଭାରତର ଲୋକଙ୍କଠାରୁ ଅଧିକ ସୁଖୀ ଅଛନ୍ତି। ଯେଉଁ ପ୍ରଗତି ସୁଖ ଆଣେ ନାହିଁ, ତାହା କେତେବେଳେ ବି ପ୍ରଗତି ନୁହଁ। ରାବିଡ଼ି ବାଣ୍ଟିବା ପ୍ରଗତିର ସାଧକ ନା ବାଧକ ତାହାକୁ ନେଇ ଦ୍ବନ୍ଦ୍ବ ଥାଇପାରେ, କିନ୍ତୁ ସୁଖ ଯେ ପ୍ରଗତିର ପ୍ରମୁଖ ମାପକାଠି ତାହାକୁ ନେଇ ଆଦୌ କିଛି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ। ଆମ ଦେଶରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଓ ପୁଳାପୁଳା ଧନ ଦେଇ ଧନୀ ପିଲା ପଢ଼ୁଥିବା ବିଦ୍ୟାଳୟ ମଧ୍ୟରେ ଥିବା ବୈଷମ୍ୟକୁ ଆମେ ସମସ୍ତେ ଊଣାଅଧିକେ ଭୋଗିଛେ। କେବଳ ଧନୀ ଘରର ହୋଇଥିବାରୁ ନିଜଠାରୁ ଭଲ ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ଦେଖି ଆମ ଭିତରେ ନିଶ୍ଚୟ ହୀନମନ୍ୟତା ଜାଗ୍ରତ ହୋଇଥିବ ଆଉ ଆମଠୁ ଗରିବ ହୋଇଥିବା କାରଣରୁ ନୂ୍ୟନ ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ଦେଖି ତାଙ୍କ ପ୍ରତି ତାଚ୍ଛଲ୍ୟ ବା ଦୟା ଭାବ ଆସିଥିବ। ଆମ ବ୍ୟବସ୍ଥା ମୌଳିକ କ୍ଷେତ୍ରରେ ବି ବୈଷମ୍ୟର ମଞ୍ଜି ବାଳୁତ କାଳରୁ ବୁଣି ଚାଲିଛି। ଶୈଶବରୁ ହିଁ ପିଲା ଭିତରେ ହୀନମନ୍ୟତା ଭର୍ତ୍ତି ହେବାର ସମସ୍ତ ବ୍ୟବସ୍ଥା ଆମର ଏଠି ଅଛି। ଖାଲି ଶୈଶବ ନୁହେଁ, ଜନ୍ମଠାରୁ ମରିବା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ବିଭେଦ ଓ ବୈଷମ୍ୟ ଠୁଙ୍କିଠୁଙ୍କି ଭରି ରହିଛି। ସୁଖ ଆସିବ କୋଉଠି? ଭାରତୀୟ ସଭ୍ୟତା ସବୁବେଳେ ସମସ୍ତଙ୍କର ଖୁସି ହିଁ କାମନା କରିଛି। ଭାରତ ତାହାର ଲୋକଙ୍କୁ ଖୁସି କରିବାରେ ବି ଅଗ୍ରଣୀ ହେଉ, ଏହି କାମନା ତ ନିଶ୍ଚୟ ରଖିବା ଉଚିତ।

  • ବିମଳ ପାଣ୍ଡିଆ
    Email: bimalpandia@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri