ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ ନୌକା ଓ ତୀର ଚାଳନା ପ୍ରତିଯୋଗିତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ମଙ୍ଗଳବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବର ସଫଳତା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଏହି ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲା ମତ୍ସ୍ୟ ଅଧିକାରୀ, ଜୟପାଟଣା ବିଡିଓ, ଥୁଆମୂଳ ରାମପୁର ତହସିଲଦାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସିଡିପିଓ, ମେଡିକାଲ ଅଧିକାରୀ, ଅଗ୍ନିଶମ ଅଧିକାରୀ ଏବଂ ଥୁଆମୂଳ ରାମପୁର ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ଏପରିକି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ବୈଠକ ସମୟରେ ଏହି ଉପରିସ୍ଥ ଅଧିକାରୀଙ୍କ ମଧ୍ୟରୁ କେହି ମଧ୍ୟ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପ୍ରଶାସନିକ ସମନ୍ବୟ ଉପରେ ପ୍ରଶ୍ନ ଉଠିଛି। ଏହି ବୈଠକରେ ପ୍ରକଳ୍ପ ପ୍ରଶାସକ ଦାଶଙ୍କ ସମେତ ଥୁଆମୂଳ ରାମପୁର ବିଡିଓ ଧ୍ରୁବଚରଣ ମୁଦୁଲି, ଏଇଇ ସାଲଖୁ ହେମ୍ବ୍ରମ, ଏଡିଡବ୍ଲ୍ୟୁଇଓ ମହାପ୍ରସାଦ ଦାସ, ପିଏମ ଅଭିନାଶ ମହାନ୍ତି, ଜିଲ୍ଲା ନୌକା ଚାଳନା ଓ ଶର ଚାଳନା ସଂଘର ସଭାପତି ଏବଂ ଡିଏ ସୁଜିତ କୁମାର ସାହୁଙ୍କୁ ଛାଡିଦେଲେ ଅନ୍ୟ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଏମ୍ପିଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ଭାଜପା ନେତା ବିପିନ ନାଏକ, ଭାଜପା ଯୁବ ନେତା ବିଷ୍ଣୁ ନାଏକ, ଆଲୋକ କୁମାର ନାଏକ, ବାମୁନୁ ନାଏକ, ଦୟାନିଧି ଭୋଇ, ପୁଷ୍ପ ନାଏକ ପ୍ରମୁଖ ଉପସ୍ଥିତ ରହି ଚର୍ଚ୍ଚାରେ ଭାଗ ନେଇଥିଲେ।
ଏ ସମ୍ପର୍କରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୯ ତାରିଖରେ ମହୁଲପାଟଣା ଇନ୍ଦ୍ରାବତୀ ଜଳଭଣ୍ଡାର ସ୍ଥିତ ସାନ ଛତ୍ରଙ୍ଗର କେନ୍ଦୁଗୁଡ଼ା ଘାଟଠାରେ ପ୍ରତିବର୍ଷ ଭଳି ଏହି ଉତ୍ସବ ଅନୁଷ୍ଠିତ ହେବ। ପାରମ୍ପରିକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲା ମହୋତ୍ସବରେ ମଧ୍ୟ ସମ୍ମାନିତ କରାଯିବାର ବ୍ୟବସ୍ଥା ରହିଛି। ଏହି ଭାଇଚାରାର ପର୍ବରେ ସମସ୍ତେ ସାମିଲ ହୋଇ ଏହାକୁ ଉପଭୋଗ କରିବାକୁ ସେ ଆହ୍ବାନ ଦେଇଥିଲେ।
Dharitri – Odisha’s No.1 Odia Daily